ଭଞ୍ଜନଗର, : ଉତ୍ତର ଘୁମୁସର ବନଖଣ୍ଡ ରେ ବାରହା ଓ ହାତୀପଲ ଙ୍କ ଉପଦ୍ରବ ବନ ବିଭାଗର ଚିନ୍ତା ବଢ଼ାଇଛନ୍ତି। ବିଶେଷ କରି ବିଭିନ୍ନ ସ୍ଥାନରେ ଧାନ ଫସଲ ପାଚିବା ଆରମ୍ଭ କଲାଣି। ଆଉ ଦିନ କେଇଟା ପରେ ଚାଷୀ ତାର କ୍ଷେତରୁ ପାଚିଲା ଧାନ ଅମଳ କରି ଘରକୁ ଆଣିବ। ହେଲେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ବିଭିନ୍ନ ରେଞ୍ଜର ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମର ଚାଷ ଜମିରେ ବାରହା ଓ ହାତୀପଲ ଙ୍କ ଉପଦ୍ରବ ଚାଷୀଙ୍କ ନିଦ ହଜାଇ ଦେଇଛି । ସଞ୍ଜ ହେବା କ୍ଷଣି ବାରହା ଏବଂ ହାତୀ ପଲ ନିକଟସ୍ଥ ଜଙ୍ଗଲରୁ ବାହାରି ଆସି ପାଚିଲା ଧାନ କ୍ଷେତରେ ପସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବାରହା ଓ ହାତୀ ଙ୍କ ଦାଉରୁ ନିଜର ସୁନାର ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀ ଭାଇ ମାନେ କ୍ଷେତ ମଧ୍ୟରେ ହିଁ ମଞ୍ଚା କରି ରାତି ସାରା ଜଗି ବସୁଛନ୍ତି। ଚଳିତ ବର୍ଷ ବିଳମ୍ବିତ ବର୍ଷା କାରଣରୁ ଖରିଫ୍ ଚାଷ କାମ ପଛେଇଥିଲେ ବି ଭଞ୍ଜନଗର ବ୍ଲକରେ ଧାନ ଫସଲ ଭଲ ହୋଇଛି । ପାଚିଲା ଧାନ ବାସ୍ନାରେ ନିକଟସ୍ଥ ଜଙ୍ଗଲରୁ ବାରହା ଓ ହାତୀପଲ କ୍ଷେତ ମଧ୍ୟକୁ ପସି ଆସୁଛନ୍ତି। ସନ୍ଧ୍ୟା ହେବା କ୍ଷଣି କ୍ଷେତରେ ପସି ଧାନ ଫସଲ ନଷ୍ଟ କରୁଥିବା ବେଳେ ହାଡ ଭଙ୍ଗା ପରିଶ୍ରମ କରି କ୍ଷେତ ରେ ସୁନାର ଫସଲ ଫଳାଇଥିବା ଥିବା ଚାଷୀ ବାରହା ଓ ହାତୀ ପଲଙ୍କ କବଳରୁ ରକ୍ଷା କରିବା ଲାଗି କସରତ୍ କରୁଛି। ସଞ୍ଜ ନଇଁବା ପୂର୍ବରୁ ଚାଷୀମାନେ ଘରୁ ଖାଇ ପିଇ ସାଥୀରେ ଟର୍ଚ୍ଚ ଲାଇଟ୍, ନିଆଁହୁଳା,ବାଣ ଧରି ପାଚିଲା ଧାନ କ୍ଷେତ ଅଭିମୁଖେ ବାହାରି ପଡୁଛନ୍ତି। ସେଥିପାଇଁ କ୍ଷେତ ମଧ୍ୟରେ ହିଁ ମଞ୍ଚା କରି ଚାଷୀକୁ ରାତି ଉଜାଗର ରହିବାକୁ ପଡୁଛି। ଚାଷୀମାନ ଙ୍କ କହିବା ଅନୁଯାୟୀ,ଅନେକ ସମୟରେ ବାରହା ଓ ହାତୀ ପଲଙ୍କ ସହ ମୁହାଁମୁହିଁ ହେବାକୁ ପଡୁଛି। ତଥାପି ନିଜ ଜୀବନକୁ ପାଣି ଛଡାଇ ଫସଲକୁ ବାରହା ଓ ହାତୀ ଙ୍କ ଦାଉରୁ ସୁରକ୍ଷା ଦେବାକୁ ପଡ଼ୁଛି । ଜଙ୍ଗଲ ପାଖ ଚାଷ ଜମି ହୋଇଥିବାରୁ ବର୍ଷାର ଅଧିକାଂଶ ସମୟରେ ବାରହା ଓ ହାତୀପଲ କ୍ଷେତ ରେ ପସୁଛନ୍ତି । ବିଶେଷ କରି ବନଖଣ୍ଡର ମୁଜାଗଡ଼ ରେଞ୍ଜର ରମ୍ଭାପଲି,ମୁଜାଗଡ଼, ମହାଗୁଡା,ନିଧିଆପଲି,ଗୁଣ୍ଡୁରୀବାଡ଼ି ସମେତ ତାରାସିଙ୍ଗି ରେଞ୍ଜର ବିଭିନ୍ନ ସ୍ଥାନରେ ୧୭ ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି। ସେହିପରି ଶାଳୁଆପଲ୍ଲୀ, ହସନାପଲ୍ଲୀ, ଭାଲି ଆଖାଇ, ମଳାସପଦର,ବୁଢ଼ିଆମ୍ବା,ଟୋକାଗଣ୍ଡା,ଯୋଗୀମାରି,ବିଞ୍ଜିଗିରୀ, ବରୁଣପୁର,ଚିଟିପଲି,ଡହ ଆଦି ବିଭିନ୍ନ ଗ୍ରାମର ଧାନ ଫସଲରେ ବାରହା ପଲ ଉପଦ୍ରବ କରୁଛନ୍ତି । ପାଚିଲା ଧାନର ବାସ୍ନା ପାଇ ହାତୀପଲ କ୍ଷେତରେ ପଶିବା ସହ ଖାଇବା ଅପେକ୍ଷା ଦଳିଚକଟି ଅଧିକ ନଷ୍ଟ କରୁଛନ୍ତି । ବାରହା ଓ ହାତୀ ପଲ ଫସଲ ନଷ୍ଟ କରିବାର ପ୍ରମାଣ ମିଳେ ଓ ଚାଷୀ କ୍ଷତିପୂରଣ ପାଇବା ପାଇଁ ସରକାରଙ୍କୁ ଆବେଦନ କରେ ତେବେ ବନ ବିଭାଗ ପକ୍ଷରୁ ତଦନ୍ତ କରି କ୍ଷତିପୂରଣ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି। ଅପରପକ୍ଷରେ ବନ ବିଭାଗ ପାଇଁ ହାତୀ ପଲ ଙ୍କ ଉପଦ୍ରବ ଓ ସେମାନଙ୍କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ବିଶେଷ କରି ଲୋକଙ୍କ ଧନ ଜୀବନ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି। ହାତୀ ଏବଂ ମଣିଷ ଲଢେଇରେ ଗୁଣ୍ଡୁରୀବାଡି ଗ୍ରାମର ଟୁନା ଗୌଡ଼ ଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଥିବା ବେଳେ ବିଭାଗ ପକ୍ଷରୁ ଏହାକୁ ଗୁରୁତର ସହ ନିଆଯିବା ସହ ବନ ସୁରକ୍ଷା ସମିତି ମାଧ୍ୟମରେ ସଚେତନତା ସୃଷ୍ଟି କୁ ବ୍ୟାପକ କରାଯାଇଛି। ମୁଜାଗଡ଼ ରେଞ୍ଜରେ କିଛି ଦିନ ହେଲାଣି ୧୭ ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି। ଏହି ହାତୀପଲ ଧାନକ୍ଷେତ ମୁହାଁ ହେଉଥିବା ବେଳେ ଚାଷୀ ଫସଲ ସୁରକ୍ଷା ପାଇଁ ଗଛରେ ମଞ୍ଚା ତିଆରି କରି ରାତି ଉଜାଗର ହୋଇ ଜଗି ରହିବା ସହ ଅନ୍ୟାନ୍ୟ ଉପାୟ ଆପଣା ଥିବା ଦେଖିବାକୁ ମିଳିଛି।