ବାମପଟରେ ଥିବା ରାସ୍ତାକୁ ଅବରୋଧ;ଲୋକ କଲବଲ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଛକରେ ବାମପଟରେ ହେଉଥିବା ଗହଳି ଏବେ ଲୋକଙ୍କୁ କଲବଲ କରୁଛି । ବିଶେଷକରି ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସଗୁଡିକ ସମସ୍ୟାରେ ପଡୁଥିବାବେଳେ ଏହାକୁ ନେଇ ଦୁର୍ଘଟଣା ବି ଘଟିବାରେ ଲାଗିଛି ।

ବିଭିନ୍ନ ଟ୍ରାଫିକ ଛକରେ ବାମପଟରେ ଥିବା ରାସ୍ତାରେ ଛିଡା ନହେବାପାଇଁ ବାରମ୍ବାର କୁହାଯିବା ସହିତ ସଚେତନ କରାଯାଉଛି । ଏପରିକି ଏଠାରେ ଗାଡିମୋଟର ଛିଡାକଲେ ଜୋରିମାନା ବି ଦେବାକୁ ପଡୁଛି । ଯେତେ ଯାହା କଲେ ବି ଲୋକେ ବିଭିନ୍ନ ଟ୍ରାଫିକ ଛକରେ ବାମପଟ ରାସ୍ତାକୁ ଦୀର୍ଘସମୟ ଧରି ଅବରୋଗ କରୁଛନ୍ତି । ଗାଡି ପଛକୁ ଗାଡି ରଖିବା ପରିବର୍ତ୍ତେ ଆଗରେ ପଳାଇବା ନିଶାରେ ବାମପଟକୁ ଅବରୋଧ କରିବା ରାଜଧାନୀବାସୀଙ୍କର ଏକ ପ୍ରକାର ଅଭ୍ୟାସରେ ପଡିଗଲାଣି ।

ବାମପଟରେ ଥିବା ରାସ୍ତାକୁ ଅବରୋଧମୁକ୍ତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ୍ବୁଲାନ୍ସ କିମ୍ବା ଅନ୍ୟାନ୍ୟ ଜରୁରୀ ସେବା ଯୋଗାଉଥିବା ଗାଡିଗୁଡିକୁ ସେହି ରାସ୍ତାରେ ଛାଡିବା । ହେଲେ ଅବରୋଧ ଯୋଗୁଁ ତାହା ସହଜରେ ହୋଇପାରୁ ନାହିଁ । ଏଥିପାଇଁ ଆଜି ପୁଲିସ୍‍ କମିଶନରଙ୍କ ଦପ୍ତର ପାଶ୍ୱର୍ରେ ଥିବା ପାୱାରହାଉସ୍‍ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସକୁ ବାଟ ଛାଡିବାକୁ ତରବରରେ ଯାଇ ଗୋଟିଏ ଚାରଚକିଆ ଯାନ ଅନ୍ୟ ପଟୁ ନୀଳବତୀ ଦେଖି ଯାଉଥିବା ଦୁଇ ଚକିଆ ଯାନଉପରେ ସିଧାସଳଖ ଚଢି ଯାଇଥିଲା ।

ରାଜଧାନୀର ମଧ୍ୟସ୍ଥଳରେ ଥିବା କ୍ୟାପିଟାଲ ହସ୍ପିଟାଲର କଳେବର ବୃଦ୍ଧି ସହିତ ପ୍ରତିଦିନ ଏଠାରୁ ଶହ ଶହ ରୋଗୀ ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଯୋଗେ ଆସୁଛନ୍ତି । ବିଶେଷକରି ରବିଟକିଜ୍‍ ଛକ, ଫାୟାରଷ୍ଟେସନ ଛକ, ଜୟଦେବବିହାର, ଆଚାର୍ଯ୍ୟବିହାର ଆଦି ପ୍ରମୁଖ ଛକରୁ ଆମ୍ବୁଲାନ୍ସଗୁଡିକ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି । ଏହିସବୁ ରାସ୍ତାରେ ଥିବା ଟ୍ରାଫିକ ଛକରେ ଗାଡିଚାଳକ ବାମପଟ ଅବରୋଧ କରି ରଖୁଥିବାରୁ ଆମ୍ବୁଲାନ୍ସଗୁଡିକ ଅଧିକାଂଶ ସମୟରେ ସାଇରନ୍‍ ମାରି ଛିଡାହୋଇ ରହୁଛନ୍ତି । ଫଳରେ ଉପସ୍ଥିତ ଥିବା ଟ୍ରାଫିକ ପୁଲିସ୍‍ ବାଧ୍ୟହୋଇ ଆମ୍ବୁଲାନ୍ସକୁ ବାଟ ଛାଡିବାକୁ ନାଲୀବତୀ ଥିବା ସତ୍ୱେ ଗାଡିମୋଟରକୁ ଯିବାପାଇଁ ନିର୍ଦ୍ଦେଶ ଦେଉଛନ୍ତି ।

ଟ୍ରାଫିକ ପରିଚାଳନାକୁ ସହଜ କରିବାପାଇଁ କମିଶନରେଟ ପୁଲିସ୍‍ ମୁତୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ଏମାନେ ବିଭିନ୍ନ ଛକରେ ମୁଖ୍ୟତଃ ବାମପଟ ରାସ୍ତା ଅବରୋଧକୁ ରୋକୁଥିଲେ । ଏବେ ବିଭିନ୍ନ ଛକରେ ଦାୟିତ୍ୱରେ ରହୁଥିବା ଟ୍ରାଫିକ କର୍ମଚାରୀମାନେ ସବୁକିଛି ସ୍ୱୟଂକ୍ରିୟ ଟ୍ରାଫିକ ଲାଇଟ୍‍ ଉପରେ ଛାଡିଦେଇ ଛକଠାରୁ କିଛି ଦୂରରେ ଛିଡା ହେଉଥିବା ଦେଖିବାକୁ ମିଳୁଛି ।

କମିଶନରେଟ ପୁଲିସ୍‍ ଯେଭଳି ହେଲମେଟ୍‍ ଚେକିଂ ଓ ମଦୁଆ ଧରିବା ଅଭିଯାନ ଚଳାଉଛି ଅନୁରୂପ ଭାବେ ସହରର ବିଭିନ୍ନ ଛକରେ ବାମପଟ ରାସ୍ତା ଅବରୋଧକାରୀଙ୍କ ବିରୁଦ୍ଧରେ ଅଭିଯାନ ଚଳାଇବାକୁ ମତପ୍ରକାଶ ପାଉଛି । ଏପରିକି ଯେଉଁମାନେ ଆମ୍ବୁଲାନ୍ସ ଚଳାଚଳ କରିବାକୁ ଥିବା ପାଶ୍ୱର୍କୁ ଅବରୋଧ କରୁଛନ୍ତି ସେମାନଙ୍କ ଯାନକୁ କିଛିଦିନ ପାଇଁ ଜବତ କରିବାକୁ ବି ସାଧାରଣରେ ମତପ୍ରକାଶ କରାଯାଉଛି । ତେବେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଓ ପୁଲିସ୍‍ କମିଶନରେଟ ଯେଭଳି ମିଳିତ ଭାବେ ଟ୍ରାଫିକ ବ୍ୟବସ୍ଥା ପରିଚାଳନା କରୁଛନ୍ତି ତାହାଦ୍ୱାରା ସହରବାସୀଙ୍କ ଠାରୁ ଆରମ୍ଭକରି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ କଲବଲ ହେବା ହିଁ ସାର ହେଉଛି ।

Leave A Reply

Your email address will not be published.