ଭୁବନେଶ୍ୱର : ଓଡିଶାରେ ଉନ୍ନୟନ ପାଇଁ ଅଧିକ ଅର୍ଥ ବ୍ୟୟ ହେଉଥିବାବେଳେ ବେତନ ଓ ଆନୁଷଙ୍ଗିକ ବ୍ୟୟ ଅନ୍ୟାନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି । ଏ ସଂକ୍ରାନ୍ତରେ ହୋଇଥିବା ଏକ ସଦ୍ୟତମ ଆକଳନରୁ ଜଣାପଡିଛି ଯେ ପ୍ରଶାସନିକ ବ୍ୟୟ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କମ୍ ।
ରାଜ୍ୟ ସରକାର ସାଧାରଣତଃ ଦରମା, ପେନସନ ଏବଂ ସୁଧ ଦେୟ ପ୍ରଦାନ କ୍ଷେତ୍ରରେ ବଜେଟ୍ର ଏକ ମୁଖ୍ୟ ଅଂଶ ଖର୍ଚ୍ଚ କରିଥାନ୍ତି । କିନ୍ତୁ ଓଡିଶାରେ ତାହା ହେଉନାହିଁ । ସେଥିପାଇଁ ବଜେଟ୍ର ସିଂହଭାଗ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟୟ ହୋଇପାରୁଛି । ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ପିଆରଏସ୍ ଏ ସଂକ୍ରାନ୍ତରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସେଥିରୁ ଜଣାପଡିଛି ଯେ ରାଜ୍ୟମାନେ ହାରାହାରି ଭାବରେ ରାଜସ୍ୱ ଆୟର ଶତକଡା ୫୩% ପ୍ରଶାସନିକ ଓ ଆନୁଷଙ୍ଗିକ ବ୍ୟୟରେ ଖର୍ଚ୍ଚ କରୁଛନ୍ତି । ୨୦୨୩-୨୪ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକ ସେମାନଙ୍କ ରାଜସ୍ୱ ଆୟର ୫୩% ଦରମା ଓ ପେନ୍ସନ ବାବଦରେ ଖର୍ଚ୍ଚ କରିବାକୁ ବ୍ୟବସ୍ଥା କରିଛନ୍ତି । ଏଥିରେ ବେତନ ଓ ପାରିଶ୍ରମିକ ବାବଦରେ ରାଜସ୍ୱ ଆୟର ୨୮%, ପେନସନ ବାବଦରେ ୧୩% ଏବଂ ସୁଧ ଦେୟ ବାବଦରେ ୧୨% ଖର୍ଚ୍ଚ ହେଉଛି ।
ହିମାଚଳ ପ୍ରଦେଶ, କେରଳ, ନାଗାଲାଣ୍ଡ ଏବଂ ପଞ୍ଜାବ ସେମାନଙ୍କ ରାଜସ୍ୱ ଆୟର ଅତି କମରେ ୭୦% ନିଶ୍ଚିତ ବ୍ୟୟରେ ଖର୍ଚ୍ଚ କରିବେ ବୋଲି ଆକଳନ କରାଯାଇଛି । ଅପରପକ୍ଷରେ ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ଏ ବାବଦୀୟ ଖର୍ଚ୍ଚ ସମସ୍ତ ରାଜ୍ୟର ହାରାହାରି ଠାରୁ କମ୍ ହେବ ବୋଲି ଆକଳନ କରାଯାଇଛି, ମୁଖ୍ୟତଃ ବେତନ ଓ ପାରିଶ୍ରମିକ ବାବଦରେ କମ୍ ଖର୍ଚ୍ଚ ରହିବ ।
ଓଡ଼ିଶାକୁ କେସ୍ ଷ୍ଟଡି ଭାବେ ଗ୍ରହଣ କରି ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ସରକାର ସେମାନଙ୍କ ବିତ୍ତୀୟ ନିଅଣ୍ଟ ପୂରଣ ପାଇଁ ବିଭିନ୍ନ ଉତ୍ସରୁ ଋଣ ନେଇପାରିବେ । ଏହି ଉତ୍ସଗୁଡ଼ିକ ମଧ୍ୟରେ ଖୋଲା ବଜାର ଋଣ, କେନ୍ଦ୍ର ସରକାରଙ୍କ ଋଣ, ଆର୍ଥିକ ଅନୁଷ୍ଠାନରୁ ଋଣ ଏବଂ ପବ୍ଲିକ ଆକାଉଣ୍ଟ ଅନ୍ତର୍ଭୁକ୍ତ ।
ଅଧିକାଂଶ ରାଜ୍ୟମାନଙ୍କ ପାଇଁ ସେମାନଙ୍କର ବିତ୍ତୀୟ ନିଅଣ୍ଟ ଭରଣା କରିବା ପାଇଁ ଖୋଲା ବଜାର ଋଣ ଉପରେ ନିର୍ଭର କରିଥାନ୍ତି । ୨୦୨୧-୨୨ରେ ରାଜ୍ୟଗୁଡ଼ିକ ସେମାନଙ୍କ ମୋଟ ବିତ୍ତୀୟ ନିଅଣ୍ଟର ୬୮% ଖୋଲା ବଜାର ଋଣ (ସଂଶୋଧିତ ଆକଳନ ଅନୁଯାୟୀ) ରୁ ସଂଗ୍ରହ କରିଥିଲେ । ତେବେ ୨୦୨୧-୨୨ ଓ ୨୦୨୨-୨୩ରେ ଓଡ଼ିଶା ଖୋଲା ବଜାରରୁ ଆଦୌ ଋଣ ନେଇନାହିଁ । ଏହା ବଦଳରେ ରାଜ୍ୟ ସରକାର ଓଡ଼ିଶା ଖଣିଜ କ୍ଷେତ୍ର ଉନ୍ନୟନ ନିଗମ ଏବଂ ରାଜ୍ୟ କ୍ଷତିପୂରକ ବନୀକରଣ ପାଣ୍ଠିରୁ ଋଣ ନେଇଥିଲେ । ରାଜ୍ୟ ସରକାର ଏହି ପାଣ୍ଠିରେ ଉପଲବ୍ଧ ଅତିରିକ୍ତ ରାଶିର ୬୦% ପର୍ଯ୍ୟନ୍ତ ଋଣ କରିପାରିବେ ଏବଂ ଋଣ ରାଶି ଖୋଲା ବଜାର ଋଣ ତୁଳନାରେ କମ୍ ସୁଧ ହାରରେ ଉପଲବ୍ଧ ।
ଅତୀତରେ ଓଡ଼ିଶା ମଧ୍ୟ ସ୍ୱଳ୍ପ ସୁଧହ ।ରରେ ଋଣ ସଂଗ୍ରହ କରିଛି । ଏହା ଦ୍ୱାରା ବିକଳ୍ପ ଉତ୍ସରୁ ଏହାର ନିଅଣ୍ଟକୁ ଭରଣା କରିବା ସହିତ ରାଜ୍ୟକୁ ସୁଧ ଦେୟ ହ୍ରାସ କରିବାକୁ ଅନୁମତି ମିଳିଛି । ୨୦୨୩-୨୪ ବଜେଟ୍ ଆକଳନ ଅନୁଯାୟୀ ରାଜ୍ୟ ସରକାର ବଜାର ଋଣ ଜରିଆରେ ୧୧,୩୦୩ କୋଟି ଟଙ୍କା ସଂଗ୍ରହ କରିବେ ।
ପଞ୍ଚାୟତ ଏବଂ ପୌରସଂସ୍ଥାଗୁଡିକ ପାଇଁ ଅର୍ଥ କମିଶନ ୩.୫୮ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏଥିସହ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ପୌରସଂସ୍ଥା ପାଇଁ ୧.୨୧ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେବାକୁ ସୁପାରିସ କରାଯାଇଛି ।
ତେବେ ୨୦୨୧-୨୨ ଓ ୨୦୨୨-୨୩ରେ ପୌରସଂସ୍ଥା ପାଇଁ ସୁପାରିସ କରାଯାଇଥିବା ଅନୁଦାନର ସମ୍ପୂର୍ଣ୍ଣ ରାଶି ଅନେକ ରାଜ୍ୟ ପାଇପାରିନାହାନ୍ତି । ମୋଟ ଉପରେ ୨୦୨୧-୨୨ ଓ ୨୦୨୨-୨୩ରେ ରାଜ୍ୟଗୁଡ଼ିକ ଯଥାକ୍ରମେ ମାତ୍ର ୭୩% ଓ ୬୬% ଅନୁଦାନ ପାଇଥିଲେ । ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର ଏବଂ ନାଗାଲାଣ୍ଡ ଭଳି ଉତ୍ତର-ପୂର୍ବର କେତେକ ରାଜ୍ୟ୨୦୨୧-୨୨ରେ ପୌରସଂସ୍ଥା ପାଇଁ କୌଣସି ଅନୁଦାନ ପାଇନାହାନ୍ତି ।