ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ମଶା କାମୁଡାରେ କଲବଲ । ଦିନରେ ବି ଏଠାରେ ମଶା ଭଣ ଭଣ ହେବା ସହିତ ଲୋକଙ୍କୁ କାମୁଡୁଛନ୍ତି ।
ଶୀତ ଆରମ୍ଭ ସହିତ ରାଜଧାନୀରେ ଏବେ ମଶାବଂଶ ବୃଦ୍ଧି ପାଇବାରେ ଲାଗିଛନ୍ତି । ଯଦିଓ ସହରରେ ମଶାଙ୍କ ସାନ୍ଧ୍ରତା ୫୦ ମଧ୍ୟରେ ରଖିବାକୁ ବିଏମ୍ସି ଉଦ୍ୟମ ଚଳାଇଛି ତେବେ ଅଧିକାଂଶ ସ୍ଥାନରେ ମଶାଙ୍କ ସାନ୍ଧ୍ରତା ଅଧିକ ରହିବା ସହିତ ଲୋକଙ୍କୁ ଦିନ ରାତି କଲବଲ କରୁଛନ୍ତି ।
ସହରର ବିଭିନ୍ନ ସ୍ଥାନ ସହିତ କ୍ୟାପିଟାଲ ହସ୍ପିଟାଲରେ ଏବେ ମଶାଙ୍କ ଉତ୍ପାତ ବଢିବାରେ ଲାଗିଛି । ରାତିବେଳା ତ ଦୂରରକଥା ଦିନ ସମୟରେ ବି ଏଠାରେ ଲୋକେ ମଶା କାମୁଡାରେ ଅତିଷ୍ଠ ହେବାରେ ଲାଗିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ମଶାଙ୍କ ସ୍ଥିତି କିଭଳି ତାହା କେହିଜଣେ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରକୁ ଗଲେ ଜାଣିପାରିବ । ଏଠାରେ ସଂଧ୍ୟା ସମୟରେ ଲୋକେ ଛିଡାହୋଇ ପାରୁନାହାନ୍ତି । ରକ୍ତ ଭଣ୍ଡାରକୁ ଆସୁଥିବା ଲୋକଙ୍କ ସମେତ ଏହାର କର୍ମଚାରୀମାନେ ମଶା କାମୁଡାରେ ଅତିଷ୍ଠ ।
ସେହିଭଳି ଡାକ୍ତରଖାନାର ପ୍ରତ୍ୟେକ ୱାର୍ଡରେ ଏବେ ଲୋକେ ମଶା କାମୁଡାରେ କଲବଲ ହେଉଛନ୍ତି । ବିଶେଷକରି ଶିଶୁ ଓ ମହିଳା ୱାର୍ଡରେ ମଶାଙ୍କ ସ୍ଥିତି ଅତି ସାଂଘାତିକ । ଛୋଟ ଛୋଟ ପିଲା ମଶା କାମୁଡାରେ କଲବଲ ହେଉଥିବାରୁ ବାପ ମା’ମାନେ ସେମାନଙ୍କୁ ୨୪ଘଣ୍ଟା ଜଗି ରହୁଛନ୍ତି । ସେହଭଳି ସ୍ତ୍ରୀ ଓ ପ୍ରସୂତି ବିଭାଗ ଠାରୁ ଆରମ୍ଭ କରି ଡାକ୍ତରଖାନାର ପ୍ରାୟ ସବୁ ସ୍ଥାନରେ ମଶା ଭଣ ଭଣ ହେଉଛନ୍ତି ।
ରାଜଧାନୀରେ ମଶାବଂଶ ନିୟନ୍ତ୍ରଣ ପାଇଁ ବିଏମ୍ସି ପକ୍ଷରୁ ଏବେ କେତେକ ସ୍ଥାନରେ ମଶାଧୂଆଁ ଛଡାଯିବା ସହିତ ଘରକୁ ଘର ବୁଲି ମଶାଲାର୍ଭା ମାରିବାପାଇଁ ତେଲ ସିଞ୍ଚନ ହେଉଛି । ସେହିଭଳି ମଶା ବଂଶ ବୃଦ୍ଧିରେ ରୋକ୍ ଲଗାଇବାପାଇଁ ପୁଣିଥରେ ରାଜଧାନୀର ବିଭିନ୍ନ ଜଳ ଉତ୍ସରେ ଗମ୍ବୁସିଆ ମାଛ ଛାଡିବାକୁ ଯୋଜନା ଚଳାଇଛନ୍ତି ।
ଅନ୍ୟ ପକ୍ଷରେ ରାଜଧାନୀରେ ଏବେ ବି ଡେଙ୍ଗୁ ରୋଗୀ ଚିହ୍ନଟ ସହିତ କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟାନ୍ୟ ଡାକ୍ତରଖାନାରେ ସେମାନେ ଚିକିତ୍ସିତ ହେବାରେ ଲାଗିଛନ୍ତି । ସେହିଭଳି ନଭେମ୍ବର ଦ୍ୱିତୀୟ ସପ୍ତାହରୁ ମଶାବଂଶ ବିଶେଷକରି ମ୍ୟାଲେରିଆ ରୋଗ ସୃଷ୍ଟିକାରୀ ଏନୋଫିଲିସ୍ ମଶାବଂଶ ବୃଦ୍ଧି ପାଇଥାଏ । ତେଣୁ ଏଭଳି ସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ମଶାବଂଶ ବୃଦ୍ଧିରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି ।
ମଶାବଂଶ ବୃଦ୍ଧିର ଅନ୍ୟତମ କାରଣ ବିଭିନ୍ନ ସ୍ଥାନରେ ଜଳ ଜମି ରହିବା ହୋଇଥିବାବେଳେ ଏ କ୍ଷେତ୍ରରେ ବିଭିନ୍ନ ବସ୍ତି ବିଶେଷକରି ବେଆଇନ୍ ବସ୍ତିଗୁଡିକ ଆଗରେ ରହିଛନ୍ତି । ବେଆଇନ୍ ବସ୍ତିକୁ ବହୁ ସ୍ଥାନରେ ଜଳ ସଂଯୋଗ ଦିଆଯାଇଥିବାବେଳେ ସେଠାରେ ଜଳ ନିଷ୍କାସନର ସୁବିଧା ନଥିବାରୁ ମଶାବଂଶ ବିସ୍ତାର ହେବାରେ ଲାଗିଛି । ସେହିଭଳି ସହରର ଥିବା ୧୧ଟି ବଡ ବଡ ଡ୍ରେନ ମଧ୍ୟରୁ ଅଧିକାଂଶ ଡ୍ରେନକୁ ଲୋକେ ନିଜ ନିଜ ଘରର ବର୍ଜ୍ୟଜଳ ଛାଡି ଦେଉଥିବାରୁ ସେଠାରେ ମଧ୍ୟ ମଶାମାନେ ସହଜରେ ବଂଶ ବିସ୍ତାର କରିବାରେ ଲାଗିଛନ୍ତି । ଅନୁରୂପ ଭାବେ ସହରର ବିଭିନ୍ନ ସ୍ଥାନରେ ଥିବା ଗାଈଗୁହାଳ ଓ ଗୋବର ଗଦା ବି ମଶାବଂଶ ବୃଦ୍ଧିରେ ସହାୟକ ହେଉଛି । ବିଏମସି ଅଗ୍ରାଧିକାର ଭିତ୍ତିରେ ମଶାବଂଶ ବୃଦ୍ଧିର ଏହିସବୁ ଉତ୍ସଗୁଡିକୁ ନିୟନ୍ତ୍ରଣ ପାଇଁ ମତପ୍ରକାଶ ପାଉଛି ।