କଳିଙ୍ଗ ସେନାର ତ୍ରୟୋବିଂଶତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : କଳିଙ୍ଗସେନା ଆଜି ତାହାର ତ୍ରୟୋବିଂଶତମ ପ୍ରତିଷ୍ଠା ଦିବସ ପାଳନ କରିଛି । ପ୍ରତିବର୍ଷ ଭଳି ଚଳିତବର୍ଷ କଳିଙ୍ଗସେନା ବିଶିଷ୍ଟ ସମାଜସେବୀ ଡକ୍ଟର ଭଗବାନ ପ୍ରକାଶଙ୍କୁ କଳିଙ୍ଗରତ୍ନ ଉପାଧି ପ୍ରଦାନ କରିଛି । ଏହି ଅବସରରେ ସେନା ସୁପ୍ରିମୋ ହେମନ୍ତ ରଥ ଦଳର ‘ଯୁବକ ଯୁବତୀଙ୍କ ସ୍ଥାୟୀତ୍ୱ କଳିଙ୍ଗ ସେନାର ଦାୟିତ୍ୱ’ ସଙ୍କଳ୍ପକୁ ଦୋହରାଇବା ସହିତ ଆଗାମୀ ଦିନରେ ସେନା ରାଜ୍ୟର ୫୦ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବ ବୋଲି କହିଛନ୍ତି । ଏଥି ସହିତ ଦଳ ରାଜ୍ୟର ଚାଷୀ, ଶ୍ରମିକ ଓ ମହିଳାମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବ ବୋଲି ଶ୍ରୀ ରଥ ପ୍ରତିଶ୍ରୁତି ଦେଇଛନ୍ତି । 

ପ୍ରତିଷ୍ଠା ଦିବସ ଅବସରରେ ଦଳ ପକ୍ଷରୁ ଆୟୋଜିତ ଉତ୍ସବରେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ହଜାର ହଜାର ସଂଖ୍ୟାରେ କଳିଙ୍ଗ ସୈନିକ ଉପସ୍ଥିତ ଥିଲେ । ଉପସ୍ଥିତ କଳିଙ୍ଗସୈନିକଙ୍କୁ ଉଦ୍‍ବୋଧନ ଦେଇ ସେନା ସୁପ୍ରିମୋ କହିଛନ୍ତି ଯେ ଓଡିଶାର ଅସ୍ମିତା ରକ୍ଷା ପାଇଁ କଳିଙ୍ଗସେନା ସବୁବେଳେ ଉଦ୍ୟମ ଜାରି ରଖିଛି ଓ ଆଗାମୀ ଦିନରେ ମଧ୍ୟ ତାହା ଜାରି ରହିବ । ରାଜ୍ୟରେ ଥିବା ଶିଳ୍ପସଂସ୍ଥାଗୁଡିକରେ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ଓଡିଆ ଯୁବକ ଯୁବତୀ କାମ ପାଇବେ ତାହା ଉପରେ ଦଳ ପ୍ରାଧାନ୍ୟ ଦେବ । ସେହିଭଳି ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ଉଚିତ୍‍ ମୂଲ୍ୟ ସହିତ ଧାନ ଭଳି ଅନ୍ୟାନ୍ୟ କୃଷିଜାତ ସାମଗ୍ରୀରେ ଓଡିଶା କିଭଳି ଏକ ବଳକା ରାଜ୍ୟ ହେବ ସେ ଦିଗରେ ଦଳ ପଦକ୍ଷେପ ଗ୍ରହଣ କରିବ । ଓଡିଶାର ବିସ୍ତୀର୍ଣ୍ଣ ବେଳାଭୂମି ଓ ଜଳଉତ୍ସର ଉପଯୋଗ କରାଯାଇ ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାଲାଗି ଦଳପକ୍ଷରୁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଶୀର୍ଘ କାର୍ଯ୍ୟକାରୀ କରାଯିବ । ସେହିଭଳି ରାଜ୍ୟରେ ବିଜୁଳି ଶକ୍ତି ଉତ୍ପାଦନର ବ୍ୟାପକ ସୁଯୋଗ ଥିବାରୁ ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ମାସିକ ୩୦୦ ୟୁନିଟ୍‍ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ ବୋଲି ଶ୍ରୀ ରଥ ପ୍ରତିଶ୍ରୁତି ଦେଇଛନ୍ତି । 

Leave A Reply

Your email address will not be published.