ନିଶା ନିବାରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ନିଶା ପ୍ରସାରଣ ‘ସୁସ୍ଥ ଓଡ଼ିଶା- ବିକଶିତ ଓଡ଼ିଶା’ କ୍ଷେତ୍ରରେ ଏକ ପ୍ରମୁଖ ପ୍ରତିବନ୍ଧକ । ରାଜ୍ୟର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ରାଜ୍ୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଲାଗି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ନିଶା ନିବାରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁତ୍ୱ ଆରୋପ କରୁଛନ୍ତି ।

ଏଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୩ଦିନିଆ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ଅବସରରେ ଅନୁଷ୍ଠିତ ସୃଜନଶୀଳ ଲିଖନ ପ୍ରତିଯୋଗିତାରେ ଭାଗ ନେଇଥିବା ୩୦ଟି ଯାକ ଜିଲ୍ଲାର ପ୍ରତିଯୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ଏଭଳି ମତବ୍ୟକ୍ତ କରିଛନ୍ତି ।

ଉଲ୍ଲେଖନୀୟ ଯେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ‘ସୁରଭି’ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମହୋତ୍ସବ ଆୟୋଜନ କରିଆସୁଛି । ଏଥିଲାଗି ଢେର୍‍ ପୂର୍ବରୁ ବିଦ୍ୟାଳୟ, ବ୍ଲକ ଓ ଜିଲ୍ଲାସ୍ତରରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥାଏ । ବ୍ଲକସ୍ତରର କୃତୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାସ୍ତରରେ ଅନ୍ୟଏକ ପ୍ରତିଯୋଗିତାର ସମ୍ମୁଖୀନ କରାଇ ସେମାନଙ୍କ ମଧ୍ୟରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତି ଜିଲ୍ଲାରୁ କୃତୀ ପ୍ରତିଯୋଗୀ ଚୟନ କରାଯାଇଥାଏ ।

ଶିଶୁ ଦିବସ ଅବସରରେ ଗତକାଲି ରାଜଧାନୀରେ ଏହି ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସମାପନ ଉତ୍ସବରେ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ଥାଏ ।

ଅଷ୍ଟମରୁ ଦଶମ ଶ୍ରେଣୀ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ହୋଇଥିବା ସୃଜନଶୀଳ ଓ ଲିଖନ ପ୍ରତିଯୋଗିତାରେ ‘ସୁସ୍ଥ ଓଡ଼ିଶା- ବିକଶିତ ଓଡ଼ିଶା’ ଶୀର୍ଷକ ରହିଥିଲା । ଏହି ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଛାତ୍ରୀ ଥିଲେ । ସେମାନେ ୩୦ଟି ଯାକ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିଲେ ।

ପ୍ରତିଯୋଗୀମାନେ ସୁସ୍ଥ ଓ ବିକଶିତ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ‘ମମତା’ ଠାରୁ ‘ହରିଶ୍ଚନ୍ଦ୍ର’ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା, ବିଦ୍ୟାଳୟ ଓ ଡାକ୍ତରଖାନାର ରୂପାନ୍ତରଣ, କୃଷି, ଶିଳ୍ପ ପର୍ଯ୍ୟଟନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିବା ବେଳେ କେତେକ ସମସ୍ତ ଡାକ୍ତରଖାନାକୁ ଡାକ୍ତର ଓ ସ୍କୁଲ ଗୁଡିକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇ ଦେବା କଥା ମଧ୍ୟ ଲେଖିଛନ୍ତି । ‘ମିଶନ ଶକ୍ତି’ ମାଧ୍ୟମରେ କିଭଳି ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରୁଛି ସେ ସମ୍ପର୍କରେ ଅନେକ ପ୍ରତିଯୋଗୀ ଭୂରି ଭୂରି ପ୍ରଶଂସା କରିଛନ୍ତି । ଏମିତିକି ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, କାଳିଆ ଯୋଜନା ଆଦି ସମ୍ପର୍କରେ ବି ପିଲାମାନେ ସୂଚାଇଛନ୍ତି ।

ତେବେ ଅଧିକାଂଶ ପ୍ରତିଯୋଗୀ ନିଶା ବିରୁଦ୍ଧରେ ଖୋଲାଖୋଲି ମତବ୍ୟକ୍ତ କରି ମଦ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀ ଯୋଗୁ ରାଜ୍ୟର ପ୍ରଗତି ବାଧାପ୍ରାପ୍ତ ହେଉଥିବା ଏବଂ କେତେକ କ୍ଷେତ୍ରରେ ଏହା ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଥିବା ଲେଖିଛନ୍ତି । ନିଶାର ଅପକାରିତା ସମ୍ପର୍କରେ ସୂଚାଇବା ସହିତ ସଂଖ୍ୟାଧିକ ପ୍ରତିଯୋଗୀ ଲୋକମାନଙ୍କୁ ନିଶାଠାରୁ ଦୂରରେ ରଖିବା ପାଇଁ ସରକାର କଡ଼ାକଡ଼ି ଭାବେ ନିଶା ନିବାରଣ କାର୍ଯ୍ୟକ୍ରମକୁ ଚଳାଇବା ପାଇଁ ସ୍ପଷ୍ଟ ମତ ରଖିଛନ୍ତି ।

ପୂର୍ବରୁ ବିଭିନ୍ନ ସାମାଜିକ ସଂଗଠନ, ଗାନ୍ଧୀବାଦୀ ସଂସ୍ଥା, ଓଡ଼ିଶା ମଦମୁକ୍ତି ଅଭିଯାନ, ମୋନା, ସଲାମ ଜୀବନ ସମେତ କେତେକ ଗଣ ସଂଗଠନ ନିଶା ବିରୁଦ୍ଧରେ ସ୍ୱର ଉଠାଇ ଆସୁଛନ୍ତି । ବିଭିନ୍ନ ଅଞ୍ଚଳରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ମଦଭାଟି ଭାଙ୍ଗିବା ସହ ଆନ୍ଦୋଳନ ଚଳାଇବା ସଂକ୍ରାନ୍ତରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରିତ ହୋଇଆସୁଛି । ତେବେ ହାଇସ୍କୁଲସ୍ତରର ଛୋଟ ଛୋଟ ପିଲାମାନେ ନିଶା ବିରୁଦ୍ଧରେ ଯେଭଳି ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ପଷ୍ଟ ମତବ୍ୟକ୍ତ କରିଛନ୍ତି ତାହା ଅଭୂତପୂର୍ବ ବୋଲି ବିଚାରକମଣ୍ଡଳୀର ଜଣେ ସଦସ୍ୟ କହିଛନ୍ତି । ପ୍ରଚଳିତ ଅବକାରୀ ଆଇନରେ ଓ ସମ୍ବିଧାନରେ ଏବଂ ଓଡ଼ିଶା ସରକାରଙ୍କ ଯୁବନୀତିରେ ନିଶା ନିବାରଣ କଥା ରହିଥିବାବେଳେ କୋମଳମତୀ ଛାତ୍ରଛାତ୍ରୀଙ୍କ ମାନସିକତାକୁ ବିଚାରକୁ ନେଇ ସରକାର ନିଶା ନିବାରଣ କ୍ଷେତ୍ରରେ ସକାରାତ୍ମକ ପଦକ୍ଷେପ ନେବେ ବୋଲି ବହୁ ଅଭିଭାବକ ଓ ଛାତ୍ରଛାତ୍ରୀ ଆଶା ପୋଷଣ କରୁଛନ୍ତି ।

Leave A Reply

Your email address will not be published.