ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖଣିଜ କ୍ଷେତ୍ରରୁ ୪୫ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଜସ୍ୱ ଆଦାୟ ନେଇ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ ନେଇ ଆଶଙ୍କା ଉପୁଜିଲାଣି । ଖଣି ରାଜସ୍ୱ ଆଦାୟରେ ମାନ୍ଦାବସ୍ଥା ଯୋଗୁଁ ଏଭଳି ସ୍ଥିତି ଉପୁଯିଛି ।
୨୦୨୨-୨୩ ବର୍ଷରେ ରାଜ୍ୟ ସରକାର ଖଣିଜ କ୍ଷେତ୍ରରୁ ୩୭,୬୪୨ କୋଟି ଟଙ୍କାର ରାଜସ୍ୱ ପାଇବାପରେ ୨୦୨୩-୨୪ ବର୍ଷରେ ଏହି ପରିମାଣ ୪୫,୨୫୧ କୋଟି ଟଙ୍କା ହେବ ବୋଲି ଆକଳନ କରିଥିଲେ । ହେଲେ ଆର୍ଥିକ ବର୍ଷର ସାତମାସ ବିତିଥିଲେ ମଧ୍ୟ ଏହି ରାଜସ୍ୱ ମାତ୍ର ଅଧାରୁ ସାମାନ୍ୟ ଅଧିକ ଆଦାୟ ହୋଇଛି । ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଅକ୍ଟୋବର ଶେଷ ଖଣି ରାଜସ୍ୱ ଆଦାୟ ଅଭିବୃଦ୍ଧି ହ୍ରାସ ପାଇଛି । ତେବେ ଗତ ଆର୍ଥିକ ବର୍ଷ ତୁଳନାରେ ସାମାନ୍ୟ ଅଧିକ ଅଭିବୃଦ୍ଧି ସରକାରଙ୍କ ପାଇଁ ଆଶ୍ୱାସନାର ବିଷୟ ହୋଇଛି ।
ଖଣି ରାଜସ୍ୱକୁ ନେଇ ଏଭଳି ଆଶଙ୍କା ପ୍ରକାଶ ପଛରେ ବିଶେଷଜ୍ଞମାନେ ଆର୍ନ୍ତଜାତୀୟ ବଜାରକୁ ଦାୟୀ କରୁଛନ୍ତି । ବିଶ୍ୱ ବଜାରରେ ଏବେ ଖଣିଜ ସାମଗ୍ରୀର ଦାମରେ ଅସ୍ଥିରତା ସୃଷ୍ଟି ହୋଇଛି । ଋଷ-ୟୁକ୍ରେନ ଯୁଦ୍ଧ ସାଙ୍ଗକୁ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଆର୍ନ୍ତଜାତୀୟ ବଜାରରେ ଖଣିଜ ସାମଗ୍ରୀର ମୂଲ୍ୟରେ ଅସ୍ଥିରତା ସୃଷ୍ଟି ସହିତ ରପ୍ତାନି ଉପରେ ଏହାର ପ୍ରଭାବ ପଡିବାରେ ଲାଗିଛି । ଏଥିଯୋଗୁଁ ଯେଉଁ ହାରରେ ଖଣି ରାଜସ୍ୱ ଆଦାୟରେ ଅଭିବୃଦ୍ଧି ହେବାକଥା ତାହା ପରିଲକ୍ଷିତ ହେଉନାହିଁ ।
ଉଲ୍ଲେଖନୀୟ ଯେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ୧,୮୪,୫୦୦ କୋଟି ଟଙ୍କାର ରାଜସ୍ୱ ଆଦାୟର ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଖଣିଜ କ୍ଷେତ୍ରର ରାଜସ୍ୱ ହେଉଛି ଏହାର ସିଂହଭାଗ । ତେବେ ଚଳିତ ଆର୍ଥିକ ବର୍ଷରେ ଅକ୍ଟୋବର ଶେଷ ସୁଦ୍ଧା ମୋଟ୍ ୯୦,୫୫୯.୬୯ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବାବେଳେ ଏଥିରେ ଖଣିଜ ରାଜସ୍ୱର ଅବଦାନ ହେଉଛି ୨୮ହଜାର କୋଟି ଟଙ୍କାରୁ ଅଧିକ । ଯଦିଓ ଖଣିଜ କ୍ଷେତ୍ରରୁ ରାଜସ୍ୱ ଆଦାୟ ଅକ୍ଟୋବର ଶେଷ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ତୁଳନାରେ ପ୍ରାୟ ୫୩ ପ୍ରତିଶତ ରହିଛି, ହେଲେ ମୋଟ୍ ରାଜସ୍ୱ ଆଦାୟ ୫୦ପ୍ରତିଶତରୁ କମ୍ ।
ଏଭଳି ସ୍ଥିତିରେ ଆର୍ନ୍ତଜାତୀୟ ବଜାରରେ ଅସ୍ଥିରତା ଓ ଯୁଦ୍ଧର ଘନଘଟା ମଧ୍ୟରେ ଯେଭଳି ବିଶ୍ୱ ବଜାରରେ ଖଣିଜ ସାମଗ୍ରୀର ଚାହିଦା ହ୍ରାସ ପାଉଛି ସେଭଳି ସ୍ଥିତିରେ ଖଣିଜ ରାଜସ୍ୱ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ବିଶେଷଜ୍ଞମାନେ ସନ୍ଦୀହାନ ଅଛନ୍ତି । ଖଣିଜ ରାଜସ୍ୱର ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଏବେ ରାଜ୍ୟ ସରକାର ଏନଫୋର୍ସମେଣ୍ଟ ବ୍ୟବସ୍ଥା ଅଧିକ ସକ୍ରିୟ ପାଇଁ ବିଚାରୁଥିବା ସୂଚନା ମିଳୁଛି ।