ଭୁବନେଶ୍ୱର : ରାଜ୍ୟରେ କାଳିଆ ହିତାଧିକାରୀଙ୍କ ସଂଖ୍ୟା ୬୧ଲକ୍ଷକୁ ଅତିକ୍ରମ କରିଥିବାବେଳେ ଏମାନଙ୍କୁ ବର୍ତ୍ତମାନ ସୁଦ୍ଧା ୧୧ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ପ୍ରଦାନ କରାଯାଇ ସାରିଲାଣି । ତେବେ ଏହି ହିତାଧିକାରୀଙ୍କ ମଧ୍ୟରେ ସର୍ବାଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ କାଳିଆ ଯୋଜନାରେ ଭୂମିହୀନ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସାମିଲ ହୋଇଛନ୍ତି । ଏମାନଙ୍କ ମୋଟ୍ ସଂଖ୍ୟା ରାଜ୍ୟରେ ୬୧ଲକ୍ଷ ୪୦ହଜାର ହୋଇଥିବାବେଳେ ଏଥି ମଧ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ୪୨ଲକ୍ଷ ୬୯ହଜାର ଏବଂ ଭୂମିହୀନ ହିତାଧିକାରୀ ରହିଛନ୍ତି ୧୮.୭୨ହଜାର । ସେହିଭଳି କାଳିଆ ଯୋଜନାରେ ପୁରୁଷ ହିତାଧିକାରୀଙ୍କ ସଂଖ୍ୟା ୬୬ ପ୍ରତିଶତରୁ ଅଧିକ ରହିଥିବାବେଳେ ମହିଳା ହିତାଧିକାରୀଙ୍କ ସଂଖ୍ୟା ୩୩.୫୮ ପ୍ରତିଶତ ରହିଛି । ତେବେ ତୃତୀୟବର୍ଗର କୌଣସି ହିତାଧିକାରୀ ଏହି ସରକାରୀ ଯୋଜନାରେ ନାହାନ୍ତି ।
ଚାଷବାସ ପାଇଁ କାଳିଆ ଯୋଜନାର ହିତାଧିକାରୀମାନଙ୍କୁ ନିୟମିତ ବ୍ୟବଧାନରେ ରାଜ୍ୟ ସରକାର ସହାୟତା ପ୍ରଦାନ କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜାନାରେ ଚାଷୀମାନଙ୍କୁ ୧୧,୩୬୧ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ୮୮୬୭ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ଭୂମିହୀନ ଚାଷୀମାନେ ୨୪୯୪ କୋଟି ଟଙ୍କାର ସହାୟତା ପାଇ ସାରିଲେଣି ।
ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କାଳିଆ ଯୋଜନାରେ ସର୍ବାଧିକ ୫ଲକ୍ଷ ହିତାଧିକାରୀ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ସେମାନଙ୍କୁ ସହାୟତା ବାବଦରେ ୮୯୮ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ରହିଛି । ଏଠାରେ ୩ଲକ୍ଷ ୮୦ହଜାର କରି ହିତାଧିକାରୀ ଥିବାବେଳେ କଟକ ଜିଲ୍ଲାରେ ୩ଲକ୍ଷ ୨୦ହଜାର, ବଲାଙ୍ଗିରରେ ୩ଲକ୍ଷ ୧୦ହଜାର, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରେ ୨ଲକ୍ଷ ୮୦ହଜାର କରି, କେନ୍ଦୁଝରରେ ୨ଲକ୍ଷ ୭୦ହଜାର, ପୁରୀରେ ୨ଲକ୍ଷ ୫୦ହଜାର ଚାଷୀ ରହିଛନ୍ତି । ତେବେ ସବୁଠାରୁ କମ୍ ମାତ୍ର ୨୦ହଜାର ଚାଷୀ ଝାରସୁଗୁଡା ଜିଲ୍ଲାରୁ କାଳିଆ ଯୋଜନାରେ ସାମିଲ ହୋଇଥିବାବେଳେ ଦେବଗଡ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୬୦ହଜାର ରହିଛି ।
ଏବେ ବି କାଳିଆ ଯୋଜନାରେ ସାମିଲ ହେବାପାଇଁ ରାଜ୍ୟର ଅନେକ ଚାଷୀ ଅପେକ୍ଷାରେ ରହିଛନ୍ତି । ତେବେ ଏହି ଚାଷୀମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରି ନଥିବାରୁ ସେମାନେ କାଳିଆ ଯୋଜନାରେ ନିଜକୁ ସାମିଲ କରିପାରୁ ନାହାନ୍ତି । ଉଲ୍ଲେଖନୀୟ ଯେ ଖାଦ୍ୟ ସୁରକ୍ଷା ଯୋଜାନରେ ସାମିଲ ପାଇଁ ରାଜ୍ୟରେ ୬ଲକ୍ଷରୁ ଅଧିକ ହିତାଧିକାରୀ ଆବେଦନ କରି ଏବେ ବି ଅପେକ୍ଷାରେ ରହିଥିବାବେଳେ ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ୱେ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରୁନଥିବାରୁ ସେମାନେ ସଫଳ ହୋଇପାରୁ ନାହାନ୍ତି ।