ମହିଳା ସଶକ୍ତିକରଣ ଜାତୀୟ ହାର ତୁଳନାରେ ଓଡିଶାର ପ୍ରଦର୍ଶନ ଭଲ

ଭୁବନେଶ୍ୱର : ମହିଳା ସଶକ୍ତିକରଣ କ୍ଷେତ୍ରରେ ଜାତୀୟ ହାର ତୁଳନାରେ ଓଡିଶାର ପ୍ରଦର୍ଶନ ଭଲ ରହିଛି । କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ରିପୋର୍ଟରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି ।

ଘରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ନିଷ୍ପତ୍ତି ନେବା କ୍ଷେତ୍ରରେ ଜାତୀୟ ସ୍ତରରେ ୮୮.୭ ପ୍ରତିଶତ ମହିଳା ପାରିବାରିକ ଆଲୋଚନାରେ ସାମିଲ ହେଉଥିବାବେଳେ ଓଡିଶାରେ ଏହି ହାର ୯୦.୨ ପ୍ରତିଶତ ବୋଲି ଦର୍ଶାଯାଇଛି । ସେହିପରି ଶ୍ରମ କରି ଅର୍ଥ ଉପାର୍ଜନ କ୍ଷେତ୍ରରେ ମଧ୍ୟ ଓଡିଶାର ମହିଳାଙ୍କ ହାର ଜାତୀୟ ସ୍ତର ଠାରୁ ଭଲ ରହିଛି । କେବଳ ସେତିକି ନୁହେଁ, ସାରା ଦେଶରେ ୪୩.୩ ପ୍ରତିଶତ ମହିଳାଙ୍କ ନାମରେ ଘର ଓ ଜମିବାଡି ରହିଥିବାବେଳେ ଓଡିଶାରେ ଏହି ହାର ୪୩.୫ ପ୍ରତିଶତ ଥିବା ଏହି ରିପୋର୍ଟ କହୁଛି ।

ବ୍ୟାଙ୍କ୍‍ ଆକାଉଣ୍ଟ ଖୋଲିବା କ୍ଷେତ୍ରରେ ଜାତୀୟ ସ୍ତର ଅପେକ୍ଷା ଓଡିଶାର ମହିଳାମାନେ ଢେର ଆଗରେ ରହିଛନ୍ତି । ସାରା ଦେଶରେ ୭୮.୬ ପ୍ରତିଶତ ମହିଳାଙ୍କ ନାମରେ ବ୍ୟାଙ୍କ୍‍ ଜମା ଖାତା ଥିବାବେଳେ ଓଡିଶାରେ ଏହି ହାର ୮୬.୫ ପ୍ରତିଶତ ଥିବା ଭାରତ ସରକାରଙ୍କ ରିପୋର୍ଟ କହୁଛି । ତେବେ ଜାତୀୟ ସ୍ତରରେ ମହିଳାଙ୍କ ଭିତରେ ମୋବାଇଲ ଫୋନ୍‍ ବ୍ୟବହାରକାରୀଙ୍କ ହାର ୫୪ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୫୦.୧ ପ୍ରତିଶତ ରହିଛି । ତେବେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୪ରେ ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ୩୯.୨ ପ୍ରତିଶତ ଓ ଜାତୀୟ ସ୍ତରରେ ୪୫.୯ ପ୍ରତିଶତ ରହିଥିବାବେଳେ ପରବର୍ତ୍ତୀ ସର୍ବେକ୍ଷଣ ବେଳକୁ ମୋବାଇଲ ଫୋନ୍‍ ବ୍ୟବହାରକାରୀ ମହିଳାମାନଙ୍କ ହାର ଢେର ବଢିଛି ।

୧୫ରୁ ୨୪ବର୍ଷ ବୟସ୍କା ମହିଳାମାନଙ୍କ ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା ଗ୍ରହଣ କ୍ଷେତ୍ରରେ ହାର ୭୭.୩ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୮୧.୫ପ୍ରତିଶତ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେ-୪ ରିପୋର୍ଟରେ ଜାତୀୟ ସ୍ତରରେ ଏହି ହାର ୫୭.୬ ପ୍ରତିଶତ ଥିବାବେଳେ ଓଡିଶାରେ ୪୭.୪ ପ୍ରତିଶତ ରହିଥିଲା । ତେବେ ପରବର୍ତ୍ତୀ ସର୍ଭେ ବେଳକୁ ଏ କ୍ଷେତ୍ରରେ ଓଡିଶାରେ ହାର ତୁଳନାତ୍ମକ ଭାବେ ଢେର ବଢିଛି ।

ତେବେ ମହିଳାମାନଙ୍କ ପ୍ରତି ହିଂସା ବିଭିନ୍ନ କ୍ଷେତ୍ରରେ ଉଭୟ ଜାତୀୟ ଓ ଓଡିଶା ସ୍ତରରେ କମିଥିବା ଏଥିରେ ଦର୍ଶାଯାଇଛି । ୧୮ରୁ ୪୯ବର୍ଷ ବୟସ୍କା ବିବାହିତା ମହିଳାଙ୍କ ପ୍ରତି ସ୍ୱାମୀଙ୍କ ହିଂସାଚରଣ ଜାତୀୟ ସ୍ତରରେ ୨୯.୩ ପ୍ରତିଶତ ଦର୍ଶାଯାଉଥିବାବେଳେ ଓଡିଶାରେ ଏହି ହାର ୩୦.୬ ପ୍ରତିଶତ ରହିଛି । ସେହିଭଳି ଏହି ବୟସର ଗର୍ଭବତୀ ମହିଳାଙ୍କ ପ୍ରତି ଶାରୀରିକ ହିଂସା ଘଟଣା ଜାତୀୟ ସ୍ତରରେ ୩.୧ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୩.୫ ପ୍ରତିଶତ ରହିଛି । ତେବେ ୧୮ବର୍ଷ ବୟସର ଯୁବତୀଙ୍କ ପ୍ରତି ଯୌନହିଂସା ଘଟଣା ଜାତୀୟ ସ୍ତରରେ ୧.୫ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୦.୮ ପ୍ରତିଶତ ଥିବା କେନ୍ଦ୍ରୀୟ ରିପୋର୍ଟ କହୁଛି ।

ରକ୍ତହୀନତା କ୍ଷେତ୍ରରେ ଜାତୀୟ ସ୍ତରରେ ୧୫ରୁ ୪୯ବର୍ଷ ବୟସ୍କା ମହିଳାମାନଙ୍କ ହାର ୫୭ ପ୍ରତିଶତ ଥିବାବେଳେ ଓଡିଶାରେ କିନ୍ତୁ ଏହା ୬୪.୩ ପ୍ରତିଶତ ଥିବା ଏହି ରିପୋର୍ଟ ସୂଚାଉଛି । ୧୫ରୁ ୧୯ବର୍ଷ ବୟସର କିଶୋରୀମାନଙ୍କ କ୍ଷେତ୍ରରେ ରକ୍ତହୀନତା ହାର ଜାତୀୟ ସ୍ତରରେ ୫୯.୧ ପ୍ରତିଶତ ଥିବାବେଳେ ଓଡିଶାରେ ଏହି ହାର ୬୫.୫ ପ୍ରତିଶତ ଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି । ୧୫ରୁ ୪୯ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ୫୨.୨ ପ୍ରତିଶତ ଜାତୀୟ ସ୍ତରରେ ରକ୍ତହୀତା ଭୋଗୁଥିବାବେଳେ ଓଡିଶାରେ କିନ୍ତୁ ଏହି ହାର ୬୧.୮ ପ୍ରତିଶତ ରହିଛି । 

Leave A Reply

Your email address will not be published.