ଭୁବନେଶ୍ୱର : ରାଜ୍ୟରେ ସଡକ ସୁରକ୍ଷା ସଚେତନତା ଖର୍ଚ୍ଚ ବର୍ଷକୁ ବର୍ଷ ବଢୁଥିବାବେଳେ ତାହା ସହିତ ତାଳ ଦେଇ ଦୁର୍ଘଟଣା ବି ବଢିବାରେ ଲାଗିଛି । ଫଳରେ ସଚେତନତାର ଶୈଳୀ ଓ କାର୍ୟ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।
ସଡକ ଦୁର୍ଘଟଣାକୁ ରୋକିବାପାଇଁ ସଚେତନତାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ଏ ସଂକ୍ରାନ୍ତୀୟ ଫିଲ୍ମ ପ୍ରଦର୍ଶନ ଠାରୁ ଆରମ୍ଭ କରି ନାଟକ, ପୋଷ୍ଟର, ବ୍ୟାନର ପ୍ରଦର୍ଶନୀ ସବୁକିଛି ହେଉଛି । ରାସ୍ତାପାଶ୍ୱର୍ ବ୍ୟବସାୟୀଙ୍କୁ ବି ସଚେତନ କରାଯାଉଛି । ଏ ବାବଦରେ ୨୦୨୦-୨୧ ବର୍ଷରେ ୯ କୋଟି ଟଙ୍କାରୁ କମ୍ ଅର୍ଥ ଖର୍ଚ୍ଚ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୧୨ କୋଟି ଟଙ୍କାକୁ ଟପିଯାଇଥିଲା । ୨୦୨୨-୨୩ ବର୍ଷରେ ସଚେତନତା ଖର୍ଚ୍ଚ ପାଖପାଖି ୨୪ କୋଟି ଟଙ୍କା ଥିଲା ।
ସଚେତନତା ବ୍ୟୟ ଭଳି ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ବି ବଢି ବଢି ଚାଲିଛି । ୨୦୨୦ ମସିହାରେ ରାଜ୍ୟରେ ସଡକ ଦୁର୍ଘଟଣା ସଂଖ୍ୟା ଦଶ ହଜାର ତଳେ ଅର୍ଥାତ୍ ୯୮୧୭ ଥିବାବେଳେ ୨୦୨୧ରେ ଏହା ୧୧ହଜାର ପାଖାପାଖି ପହଞ୍ଚି ଯାଇଥିଲା । ୨୦୨୨ରେ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ୧୧,୬୬୩ ରହିଥିଲା । ସେହିଭଳି ଏହି ତିନି ବର୍ଷରେ ରାଜ୍ୟରେ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା ଯଥାକ୍ରମେ ୪୭୩୮, ୫୦୮୧ ଏବଂ ୫୪୬୭ ରହିଛି । ଅନୁରୂପ ଭାବେ ଆହତଙ୍କ ସଂଖ୍ୟା ବି ୨୦୨୦ରୁ ୮୮୧୮ ରୁ ବୃଦ୍ଧି ପାଇଁ ୨୦୨୨ରେ ୧୦ହଜାରକୁ ଅତିକ୍ରମ କରିଯାଇଛି ।
କେବଳ ସେତିକି ନୁହେଁ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ସରକାର ପ୍ରଦାନ କରୁଥିବା ରାଶି ବି ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୧୯ମସିହାରେ ଏଭଳି ଦୁର୍ଘଟଣାରେ ମୃତକଙ୍କ ପାଇଁ ମୋଟ୍ ୫୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦୨୦ରେ ଏହି ପରିମାଣ ଏକ କୋଟି ୧୦ଲକ୍ଷ ଟଙ୍କାକୁ ଅତିକ୍ରମ କରିଥିଲା । ବର୍ଷକୁ ବର୍ଷ ଏହି ରାଶି ପରିମାଣ ବୃଦ୍ଧି ପାଇଁ ଚଳିତ ବର୍ଷ ୫କୋଟି ୯୩ଲକ୍ଷ ଟଙ୍କାକୁ ଅତିକ୍ରମ କରିଗଲାଣି ।
ଦୁର୍ଘଟଣାର ସଂଖ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଆହତ ଏବଂ ଅଜଣା ଗାଡି ଧକ୍କାରେ ମୃତ୍ୟୁ ସଂଖ୍ୟା ଯେଭଳି ଭାବେ ବଢି ବଢି ଚାଲିଛି ତାହା ଅତ୍ୟନ୍ତ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିବାରେ ଲାଗିଛି । ରାଜ୍ୟରେ ବଢୁଥିବା ସଡକ ଦୁର୍ଘଟଣାକୁ ନେଇ ଅତୀତରେ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରିବା ସହିତ ଦୁର୍ଘଟଣା ହ୍ରାସପାଇଁ ପଦକ୍ଷେପ ନେବାକୁ କହିଥିଲେ ।
ଏହାପରେ ରାଜ୍ୟ ସରକାର ଜନସଚେତନତା ଉପରେ ଗୁରୁତ୍ୱ ଦେବା ସହିତ ପରିବହନ ବିଭାଗ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଇଥିଲା । ଲୋକଙ୍କୁ ସଚେତନ କରିବାପାଇଁ ବ୍ୟାପକ ଅର୍ଥ ବ୍ୟୟରେ ଏ ସଂକ୍ରାନ୍ତରେ ଫିଲ୍ମ ଫେଷ୍ଟିଭାଲ ବି ଆୟୋଜନ କରାଯାଉଛି । ଏଥି ସହିତ ବିଭିନ୍ନ ଜାତୀୟ ଓ ଆର୍ନ୍ତଜାତୀୟ କ୍ରୀଡା ସମୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ହେଲେ ବ୍ୟାପକ ଅର୍ଥ ବ୍ୟୟ ସତ୍ୱେ କାହିଁକି ରାଜ୍ୟରେ ଦୁର୍ଘଟଣା ଏବଂ ତଦ୍ଜନିତ ମୃତାହତ ଘଟୁଛି ତାହା ଏବେ ପରିବହନ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ୟ୍ୟ କରିଛି । ଏଭଳି ସ୍ଥିତିରେ ସଚେତନତା କାର୍ୟ୍ୟର ଗୁଣ ଓ ମାନ ଯାଞ୍ଚ ପାଇଁ ମଧ୍ୟ ମତପ୍ରକାଶ ପାଉଛି ।