ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର ୫ ତାରିଖରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଜିଲ୍ଲା ଯଥା-ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ପୂର୍ବାନୁମାନ ରହିଛି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଫସଲ ସୁରକ୍ଷା ପାଇଁ ସଚେତନ ରହିବା ଉପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଗୁରୁତ୍ୱାରୋପ କରିଛନ୍ତି ।
କଟା ହୋଇଯାଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ଗଚ୍ଛିତ ରଖନ୍ତୁ । କଟା ହୋଇଯାଇଥିବା ଧାନ ଅମଳ ସମ୍ଭବ ନହେଲେ ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ । କଟା ଧାନକୁ ବିଲରେ ଶୁଖାନ୍ତୁ ନାହିଁ । ଅମଳ ଉପଯୋଗୀ ଅନ୍ୟାନ୍ୟ ଫସଲକୁ ଆସନ୍ତା ଡିସେମ୍ବର ୪ ତାରିଖ ପୂର୍ବରୁ ଅମଳ କରିଦିଅନ୍ତୁ । ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡ଼ି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ ।
ମଣ୍ଡିରେ ଧାନ ଓ ଅନ୍ୟାନ୍ୟ ଫସଲକୁ ପଲିଥିନ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ । ଅମଳ ଉପଯୋଗୀ ମାଣ୍ଡିଆ ଫସଲକୁ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । ଅମଳ ଉପଯୋଗୀ କପା ଫସଲକୁ ଅତି ଶୀଘ୍ର ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ ।
ଜଳସେଚନ, ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଂଚନ ସାମୟିକ ବନ୍ଦ ରଖନ୍ତୁ । ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସଦ୍ୟ ଲଗାଯାଇଥିବା ଆଳୁ କିଆରୀରେ ନାଳି କାଟି ନାଳି ମୁହଁ ଖୋଲା ରଖନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ ।
ବର୍ତ୍ତମାନ ମୂଳା, ବୀନସ୍, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତୋଳି ବିକ୍ରୟ କରନ୍ତୁ । ବାଇଗଣ, ବିଲାତି ବାଇଗଣ, ଫୁଲକୋବି, ବ୍ରୋକୋଲି ଓ କାପ୍ସିକମ୍ ଆଦି ଫସଲର ତଳି ଘେରାରେ ଧଳା ଜରି ଓ ବାଉଁଶ ଢେରା ଦେଇ ଘୋଡ଼ାଇ ବର୍ଷା ଦାଉରୁ ରକ୍ଷା କରନ୍ତୁ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।