ଭୁବନେଶ୍ୱର : ମହିଳାମାନଙ୍କ ପ୍ରତି ବିଭିନ୍ନ କିସମର ଅପରାଧ ବର୍ଷକୁ ବର୍ଷ ବଢି ଚାଲୁଥିବାବେଳେ ଓଡ଼ିଶା ସମେତ ସାରା ଦେଶରେ ଏଭଳି ସାଂଘାତିକ ମାମଲାର ଫଇସଲା ଓ ଦଣ୍ଡବିଧାନ ହାର ଢେର୍ କମ୍ ରହୁଛି । କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି)ର ସଦ୍ୟ ପ୍ରକାଶିତ ପରିସଂଖ୍ୟାନରେ ଏହା ଉଲ୍ଲେଖ ରହିଛି ।
୨୦୨୨ ଆରମ୍ଭ ବେଳକୁ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ୨୩,୬୬,୬୦୨ଟି ମାମଲା ସାରା ଦେଶରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ଓଡ଼ିଶାରେ ଏଭଳି କିସମର ମାମଲା ସଂଖ୍ୟା ଥିଲା ୧,୭୬, ୯୬୫ । କ୍ରାଇମ୍ ଇନ୍ ଇଣ୍ଡିଆର ଏହି ରିପୋର୍ଟ ଅନୁଯାୟୀ ଗତବର୍ଷ ଦେଶରେ ଏଭଳି ମାମଲାରୁ ୩୮, ୧୩୬ଟିରେ ଦଣ୍ଡ ବିଧାନ କରାଯାଇଥିବାବେଳେ ୧, ୦୫, ୦୮୦ରେ ଅଭିଯୁକ୍ତମାନେ ଖଲାସ ହୋଇଯାଇଥିଲେ ।
ମୋଟାମୋଟି ଭାବେ ମହିଳାମାନଙ୍କ ପ୍ରତି ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ସାରା ଦେଶରେ ୨୫.୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ରହିଛି ମାତ୍ର ୯.୨ ପ୍ରତିଶତ । ଏଠାରେ ଉଲ୍ଲେଖନୀୟ ଯେ ଏହି କିସମର ମାମଲା ଗୁଡିକରେ ଉତ୍ତର ପ୍ରଦେଶରେ ଦଣ୍ଡବିଧାନ ହାର ୭୦.୮ ପ୍ରତିଶତ ଥିବାବେଳେ ମିଜୋରାମରେ ୬୮ ଓ ବିହାରରେ ୬୦.୯ ପ୍ରତିଶତ ରହିଛି । ତେବେ ଓଡ଼ିଶା ପାଇଁ ଆଶ୍ୱାସନାର କଥା ହେଉଛି ଯେ ଏହି କିସମର ମାମଲା ଗୁଡିକରେ ଦଣ୍ଡବିଧାନ ହାର ଓଡ଼ିଶାରେ ୯.୨ ପ୍ରତିଶତ ଥିବାବେଳେ ଗୁଜୁରାଟରେ ୫.୩, ଆସାମରେ ୪.୮, ଆନ୍ଧ୍ରପ୍ରଦେଶରେ ୪.୫, କର୍ଣ୍ଣାଟକରେ ୫.୬, ପଶ୍ଚିମବଙ୍ଗରେ ୮.୯ ଓ ଜମ୍ମୁକାଶ୍ମୀରରେ ୬.୭ ପ୍ରତିଶତ ରହିଛି । ତେବେ ଅରୁଣାଞ୍ଚଳ, ଛତିଶଗଡ଼, ମଣିପୁର, ନାଗାଲାଣ୍ଡ, ଉତ୍ତରାଖଣ୍ଡ, ଲକ୍ଷାଦୀପ ଆଦିରେ ଦଣ୍ଡବିଧାନ ହାର ୪୦ରୁ ୬୭ ପ୍ରତିଶତ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି ।
ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଫଇସଲା ହାର ଓଡ଼ିଶା ସମେତ ଜାତୀୟ ସ୍ତରରେ ନୈରାଶ୍ୟଜନକ ରହୁଛି । ଏଭଳି ମାମଲାରେ ସର୍ବଭାରତୀୟ ସ୍ତରରେ ଫଇସଲା ହାର ୭.୭ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୪.୨ ପ୍ରତିଶତ ରହିଛି । ଏ କ୍ଷେତ୍ରରେ ଅନ୍ୟ ଯେଉଁ ରାଜ୍ୟ ଗୁଡିକ ଓଡ଼ିଶାଠାରୁ ଖରାପ ପ୍ରଦର୍ଶନ କରିଛନ୍ତି ସେଗୁଡିକ ଭିତରେ ଅରୁଣାଞ୍ଚଳ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ପୁଡୁଚେରି ଆଦି ରହିଛନ୍ତି । ଆନ୍ଧ୍ରପ୍ରଦେଶରେ ୨୧.୭ ପ୍ରତିଶତ ଓ ସିକିମ୍ରେ ୨୯.୨ ପ୍ରତିଶତ ଏହି କିସମର ମାମଲା ଫଇସଲା ହୋଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମହିଳାମାନଙ୍କ ସଶକ୍ତିକରଣ ଓ ସେମାନଙ୍କ ନିରାପତ୍ତା ଉପରେ ବେଶ୍ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏଥିପାଇଁ ମଧ୍ୟ କେତେକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଛି । ଓଡ଼ିଶା ସମେତ ସାରା ଦେଶରେ ଥାନା, ଫାଣ୍ଡି, ଜେଲ୍, କୋର୍ଟ, କଚେରି ଆଦିର ସଂଖ୍ୟା ବଢା ଚାଲିବା ସହ ବଜେଟ୍ରେ ମଧ୍ୟ ଅଧିକରୁ ଅଧିକ ଅର୍ଥ ବରାଦ ହେଉଛି । ଏହାସତ୍ତ୍ୱେ ମହିଳାମାନଙ୍କ ପ୍ରତି ହିଂସାକାଣ୍ଡ ଓ ଅନ୍ୟାନ୍ୟ ଅପରାଧ ଥମୁନାହିଁ । ସଂଖ୍ୟାଧିକ ମାମଲାରେ ଅଭିଯୁକ୍ତମାନେ ଖସିଯିବ ଏବଂ ଯେଉଁ ଅଳ୍ପ କେତୋଟି ମାମଲାରେ ଦଣ୍ଡବିଧାନ ହେଉଛି ସେଥିରୁ ଅଧିକାଂଶରେ ଅପରାଧୀମାନେ ଅପିଲ୍ କରି ସମୟ ଗଡାଇ ଚାଲିବା ଫଳରେ ଦଣ୍ଡବିଧାନ ଅତି ନଗନ୍ୟ ରହୁଛି । ୯୦ ପ୍ରତିଶତରୁ ଅଧିକ ମାମଲା ବିଚାର ନହୋଇ ପରବର୍ତ୍ତୀ ବର୍ଷକୁ ଗଡିବା ଏକ ପ୍ରଥାରେ ପଡିଯିବା ଫଳରେ ସାକ୍ଷ୍ୟ ପ୍ରମାଣ ନଷ୍ଟ ହେବାସହ ମାମଲା ଦୁର୍ବଳ ହେଉଥିବାରୁ ବିଳମ୍ବିତ ବିଚାର ବ୍ୟବସ୍ଥାରୁ ଅପରାଧୀମାନେ ଫାଇଦା ଉଠାଉଛନ୍ତି ।