ଆଠ ବର୍ଷରେ ଓଡିଶାରେ ହୋଇନାହିଁ ନୂଆ ମହିଳା ଥାନା

ଭୁବନେଶ୍ୱର : ସମଗ୍ର ଦେଶରେ ଗତ ଆଠ ବର୍ଷ ମଧ୍ୟରେ ୨୨୭ଟି ମହିଳା ଥାନା ବଢିଥିବାବେଳେ ଓଡିଶାରେ ଗୋଟିଏ ହେଲେ ନୂଆ ମହିଳା ଥାନା ହୋଇନାହିଁ । ୨୦୧୪ ମସିହାରେ ରାଜ୍ୟରେ ୬ଟି ମହିଳା ଥାନା ଥିବାବେଳେ ୨୦୨୨ ସୁଦ୍ଧା ତାହା ଅପରିବର୍ତ୍ତିତ ରହିଛି ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡିଛି । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ଯେ ୨୦୧୪ ମସିହାରେ ସମଗ୍ର ଦେଶରେ ୫୧୮ଟି ମହିଳା ଥାନା ଥିବାବେଳେ ୨୦୨୨ ପହିଲା ସୁଦ୍ଧା ତାହା ୭୪୫କୁ ବୃଦ୍ଧି ପାଇଥିଲା । ତାମିଲନାଡୁରେ ସର୍ବାଧିକ ୨୦୨ଟି ମହିଳା ଥାନା ଥିବାବେଳେ ଉତ୍ତରଦେଶରେ ଦ୍ୱିତୀୟ ସର୍ବାଧିକ ୭୭ଟି ମହିଳା ଥାନା ରହିଛି । ତେବେ ମଧ୍ୟ୍ରଦେଶରେ ମହିଳା ଥାନା ସଂଖ୍ୟା ଏହି ଆଠବର୍ଷ ମଧ୍ୟରେ ୯ରୁ ୫୨କୁ ବୃଦ୍ଧି ପାଇଛି । ସେହିଭଳି ପଶ୍ଚିମବଙ୍ଗରେ ମହିଳା ଥାନା ସଂଖ୍ୟା ଏହି ସମୟରେ ୧୦ରୁ ୪୮କୁ ବଢିଥିବାବେଳେ ଝାଡଖଣ୍ଡରେ ୨୨ରୁ ୩୩କୁ ବୃଦ୍ଧି ପାଇଛି । ହରିୟାନାରେ ଏହି ସମୟରେ ମହିଳା ଥାନା ସଂଖ୍ୟା ୨ରୁ ୩୩କୁ ବଢିଛି । ତେବେ ଏହି ସମୟରେ ଆନ୍ଧ୍ରପ୍ରଦେଶରେ ମହିଳା ଥାନା ସଂଖ୍ୟା ୩୨ରୁ ୧୮ରୁ ହ୍ରାସ ପାଇଛି ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ପୁଲିସ୍‍ରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ୨୦୧୪ରୁ ବାରମ୍ବାର ରାଜ୍ୟଗୁଡିକୁ କହି ଆସୁଛନ୍ତି । ଏହାକୁ ଅତି କମ୍‍ରେ ୩୩ ପ୍ରତିଶତ ବଢାଇବାକୁ କେନ୍ଦ୍ର ସରକାର କହିବା ସହିତ ପ୍ରତ୍ୟେକ ମହିଳା ଥାନାରେ ଅତି କମ୍‍ରେ ୩ଜଣ ସବଇନ୍ସପେକ୍ଟର ଓ ୧୦ଜଣ କନେଷ୍ଟବଳଙ୍କୁ ନିଯୁକ୍ତି ଦେବାକୁ କୁହାଯାଇଛି । ଯାହା ଫଳରେ ମହିଳାଥାନାଗୁଡିକରେ ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

ଲୋକସଭାରେ ଦିଆଯାଇଥିବା ଏହି ଉତ୍ତରରୁ ଜଣାଯାଇଛି ଯେ ୨୦୧୩ ମସିହାରେ ସମଗ୍ର ଦେଶରେ ମହିଳା ପୁଲିସ୍‍ଙ୍କ ସଂଖ୍ୟା ମୋଟ୍‍ ପୁଲିସ୍‍ର ୫.୮୭ ପ୍ରତିଶତ ଥିବାବେଳେ ୨୦୨୨ ସୁଦ୍ଧା ତାହା ୧୧.୭୫ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୨୨ରେ ସମଗ୍ର ଦେଶରେ ୨,୪୬,୧୦୩ ଜଣ ପୁଲିସ୍‍ କର୍ମଚାରୀ ଥିଲେ । ତେବେ ଏହି ସୂଚନା ଅନୁଯାୟୀ ପ୍ରତିବର୍ଷ ଦେଶରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଏହି ସୂଚନା ଅନୁଯାୟୀ ୨୦୨୨ ପହିଳା ସୁଦ୍ଧା ଓଡିଶାରେ ମୋଟ୍‍ ୫୯୦୯ ଜଣ ମହିଳା ପୁଲିସ୍‍ କର୍ମଚାରୀ ଥିବାବେଳେ ଏମାନଙ୍କ ମଧ୍ୟରେ ଅତିରିକ୍ତ ପୁଲିସ୍‍ ଡିଜି ପାହ୍ୟାରେ ଜଣେ, ଆଇଜିପି ପାହ୍ୟାରେ ୨ଜଣ, ଅତିରିକ୍ତ ଆଇଜି/ଏସପି ପାହ୍ୟାରେ ୪ଜଣ, ଅତିରିକ୍ତ ଏସ୍‍ପି ପାହ୍ୟାରେ ୩ଜଣ, ଏଏସ୍‍ପି ପାହ୍ୟାରେ ୭୫ଜଣ, ଇନ୍ସପେକ୍ଟର ପାହ୍ୟାରେ ୨୭୫ଜଣ, ସବଇନ୍ସପେକ୍ଟର ପାହ୍ୟାରେ ୪୮୫ ଜଣ ଥିବାବେଳେ କନେଷ୍ଟବଳ ପଦବୀରେ ୪୫୮୦ ଜଣ ଅଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶରେ ୩୩ ହଜାରରୁ ଅଧିକ ମହିଳା ପୁଲିସ୍‍ ଥିବାବେଳେ ମହାରାଷ୍ଟ୍ରରେ ଏମାନଙ୍କ ସଂଖ୍ୟା ୩୦ହଜାରରୁ ଅଧିକ ରହିଛି ।

Leave A Reply

Your email address will not be published.