ଭୁବନେଶ୍ୱର : ଓଡିଶାରେ ଏବେ ପ୍ରାୟ ୩କୋଟି ୮୭ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ପ୍ରଦାନ କରାଯାଉଛି । ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ବିତରଣ ହେଉଛି । ଏହାଛଡା ଆଉ କେତେକ ଯୋଜନାରେ ବି ମାଗଣା ଚାଉଳ ମିଳୁଛି ।
୨୦୧୩ ମସିହାରେ ୟୁପିଏ ସରକାର ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ପ୍ରଣୟନ କରାଯାଇଥିଲା । ସେ ସମୟରେ କେନ୍ଦ୍ର ସରକାର ଚାଉଳ ଓ ଗହମ ସଂଗ୍ରହ କରି ରାଜ୍ୟଗୁଡିକୁ କିଲୋପିଛା ମାତ୍ର ୩ଟଙ୍କା ଦରରେ ଯୋଗାଉଥିଲେ । ଏ ବାବଦରେ କେନ୍ଦ୍ର ସରକାରଙ୍କୁ କିଲୋ ପିଛା ୨୮ରୁ ୩୦ ଟଙ୍କା ବହନ କରିବାକୁ ପଡୁଥିଲା । ରାଜ୍ୟରେ ଚାଉଳ ଓ ଗହମ ପହଞ୍ଚିବାପରେ ରାଜ୍ୟ ସରକାର ତାହା ଉପରେ କିଲୋ ପିଛା ୨ଟଙ୍କା ସବସିଡ୍ ଦେଇ ଲୋକପ୍ରିୟ ଟଙ୍କିକିଆ ଚାଉଳ ଯୋଗାଇ ଦେଉଥିଲେ । ସମାନ ଦରରେ ଗହମ ମିଳୁଥିଲେ ମଧ୍ୟ ଓଡିଶା ପାଇଁ ଗହମ ବନ୍ଦ କରି ତାହା ବଦଳରେ ଚାଉଳ ଦେବାକୁ କୁହାଯିବା ପରଠାରୁ କେନ୍ଦ୍ର ଆଉ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଆଧାରରେ ଓଡିଶାକୁ ଗହମ ଦେଉନାହିଁ ।
ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଆଧାରରେ ୩,୭୬,୫୯,୬୪୮ ଜଣ ହିତାଧିକାରୀ ଟଙ୍କିକିଆ ଚାଉଳ ପାଉଥିଲେ । ଇତି ମଧ୍ୟରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ମାଗଣାରେ ହିତାଧିକାରୀମାନଙ୍କୁ ଚାଉଳ ଯୋଗାଇବା ଲାଗି ଘୋଷଣା କରିବାପରେ ଏବେ ଟଙ୍କିକିଆ ପରିବର୍ତ୍ତେ ମାଗଣାରେ ଚାଉଳ ମିଳୁଛି ।
ସାରା ଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୁଣ୍ଡପିଛା ୫କିଲୋ କରି ପ୍ରାୟ ୮୧କୋଟି ୩୫ଲକ୍ଷ ଲୋକଙ୍କୁ ଆଗାମୀ ୫ବର୍ଷ ପାଇଁ ମାଗଣା ଚାଉଳ ଓ ଗହମ ମିଳିବ । ଏ ବାବଦରେ କେନ୍ଦ୍ର ସରକାର ଅନ୍ୟୁନ ୧୧ଲକ୍ଷ ୮୦ହଜାର କୋଟି ଟଙ୍କା ରାଜକୋଷରୁ ବ୍ୟୟ କରିବେ । ଏଠାରେ ଉଲ୍ଲେଖନୀୟ ଯେ ଏବେ ଦେଶର ଜନସଂଖ୍ୟା ୧୪୩କୋଟି ହେବ ବୋଲି ଅନୁମାନ କରାଯାଉଥିବାବେଳେ ଏମାନଙ୍କ ଭିତରୁ ୮୧କୋଟି ୩୫ଲକ୍ଷ ଲୋକ ଖାଦ୍ୟ ଦୃଷ୍ଟିରୁ ଅସୁରକ୍ଷିତ ଥିବା ଯୋଗୁଁ ସେମାନଙ୍କୁ ମାଗଣା ଚାଉଳ ଓ ଗହମ ଯୋଗାଯାଉଛି ।
ଓଡିଶାରେ ଢେର ଅଧିକ ସଂଖ୍ୟକ ଲୋକ ମାଗଣା ଚାଉଳ ପାଇଁ ଆଶାୟୀ ଥିବାବେଳେ ସେ ସମସ୍ତଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଆଧାରରେ ସାମିଲ କରାଯାଇ ପାରୁନଥିବାରୁ ରାଜ୍ୟ ସରକାର ନିଜର ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରି ଆଶାୟୀଙ୍କ ମଧ୍ୟରୁ ପ୍ରାୟ ୯,୯୭,୦୫୫ ହିତାଧିକାରୀଙ୍କୁ ଏଥିରେ ସାମିଲ କରିଛନ୍ତି । ଏହାବାଦ୍ ଆଉ ଲକ୍ଷାଧିକ ଲୋକ ଉକ୍ତ ଯୋଜନାରେ ସାମିଲ ହେବାପାଇଁ ଅପେକ୍ଷାକରି ରହିଛନ୍ତି ।
ମୋଟାମୋଟି ଭାବେ ଓଡିଶାର ଜନସଂଖ୍ୟା ଏବେ ପ୍ରାୟ ସାଢେ ୪କୋଟି ହେବ ବୋଲି ଅନୁମାନ କରାଯାଉଥିବାବେଳେ ସେଥି ମଧ୍ୟରୁ ପ୍ରାୟ ୩କୋଟି ୮୭ଲକ୍ଷ ଲୋକ ଖାଦ୍ୟ ଦୃଷ୍ଟିରୁ ଅସୁରକ୍ଷିତ ଥିବାରୁ ସେମାନଙ୍କୁ ମାସିକ ମୁଣ୍ଡପିଛା ୫କିଲୋ କରି ମାଗଣା ଚାଉଳ ଯୋଗାଯାଉଛି । ରାଜ୍ୟ ସରକାରଙ୍କ ଏହି ମାଗଣା ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ବି ଆଉ ୫ବର୍ଷ ଧରି ଚାଲିବ ଏବଂ ଏ ବାବଦରେ ଓଡିଶା ସରକାରଙ୍କୁ ନିଜ ପାଣ୍ଠିରୁ ୧୨୫୦କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିପାରେ । ଏହି ଦୁଇ ଯୋଜନା ବାଦ୍ ରାଜ୍ୟରେ କେତେକ ଛାତ୍ରାବାସ, ବାଳନିକେତନ ଆଦିକୁ ସରକାର ଶସ୍ତାରେ ଚାଉଳ ଯୋଗାଉଛନ୍ତି । ଶାରୀରିକ ଭିନ୍ନକ୍ଷମଙ୍କ ସମେତ ଆଉ କେତେକ ବର୍ଗର ଲୋକଙ୍କୁ ବି ବିଭିନ୍ନ ଯୋଜନାରେ ଚାଉଳ ଯୋଗାଯାଉଛି ।