ହାଟଡିହି ଅନ୍ଧାର ରୁ ଗ୍ରାମବାସୀ ଙ୍କୁ ମୁକ୍ତି ମିଳିବ । ରାତି ରେ ଯିବା ଆସିବା କରିବା ସମୟରେ ଜନ ସାଧାରଣ ଆଉ ଅସୁବିଧାର ସମ୍ମୁଖିନ ହେବେ ନାହିଁ, ଏହାକୁ ଆଖି ଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ବିଜୁଳି ସୁବିଧା ଯୋଗାଇଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ, ବିଭାଗୀୟ କର୍ମଚାରୀ, ଜନ ପ୍ରତିନିଧୀ ଓ ରାଜନୈତିକ ବ୍ୟକ୍ତିଙ୍କ ମଧୁ ଚନ୍ଦ୍ରିକାରେ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଯାହାଫଳରେ ଲାଇଟ ଲଗାଇବା ନାଁ ରେ ମିଥ୍ୟା ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରୁଛନ୍ତି । ଏହିଭଳି ଦୁର୍ନିତି ହାଟଡ଼ିହି ବ୍ଲକ ଅନ୍ତର୍ଗତ କଳିଗାଁ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ଉକ୍ତ ପଞ୍ଚାୟତ ରେ ତାମ୍ପଳା-କନକପା ରାସ୍ତାକୁ ଆଲୋକୀକରଣ କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନ ଯୋଜନା ରୁ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଉକ୍ତ ସ୍ଥାନରେ ଗୋଟିଏ ବି ଲାଇଟ୍ ଲାଗିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟି ନାହିଁ । ସୂଚନା ଅନୁଯାଇ ଗତ ବର୍ଷ ମାର୍ଚ୍ଚ ମାସ ୯ ତାରିଖରେ ଉକ୍ତ ସ୍ଥାନ ର ଆଲୋକୀକରଣ ପାଇଁ ପାଣିକୋଇଲି ସ୍ଥିତ ଏମ୍.ଜେ ଟ୍ରେଡ଼ର୍ସ କୁ ଭାଉଚର ନଂ ପି-୩ ଜରିଆରେ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କେବଳ ସେତିକି ନୁହେଁ ସେହି ଦିନ ଚତୁର୍ଥ ରାଜ୍ୟ ଅର୍ଥ କମିଶନ (ଭାଉଚର ନଂ ପି-୪) ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ (ଭାଉଚର ନଂ ପି-୫) ଯୋଜନାରୁ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଆଲୋକୀକରଣ କରିବା ପାଇଁ ଯଥାକ୍ରମେ ୨ ଲକ୍ଷ ୫୦ ହଜାର ଓ ୧ ଲକ୍ଷ ୯୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କଳିଗାଁ ଗ୍ରାମ ପଞ୍ଚାୟତ ର କଇଥଗଡ଼ିଆ ଓ ଭାକିଡ଼ି ଭଳି ୨ ଟି ଗାଁ ରେ ଏପର୍ଯ୍ୟନ୍ତ ଲାଇଟ୍ ଲାଗିନାହିଁ । ସେହିପରି ବଣିଆରୀ ଓ ମୁଦୁଲିପଦା ଗ୍ରାମ ରେ ମାତ୍ର ଗୋଟିଏ ଲେଖାଏଁ, କନକ ପା ଓ ଦାସରଥିପୁର ଗ୍ରାମ ରେ ୨ ଟି ଲେଖାଏଁ, ଇଚ୍ଛାପୁର ଓ ଶାଳକଣିଆଁ ଗ୍ରାମରେ ୪ ଟି ଲେଖାଏଁ, କଳିଗାଁ ଓ ରଘୁନାଥ ପୁର ଗ୍ରାମରେ ୧୦ଟି ଲେଖାଏଁ, ତାମ୍ପଳା ଗ୍ରାମରେ ସର୍ବାଧିକ ୩୪ ଟି ଲାଇଟ୍ କୁ ମିଶାଇ ମୋଟ୍ ୬୮ ଟି ଲାଇଟ୍ ଲାଗିଛି । ପ୍ରକାଶ ଥାଉକି ଉକ୍ତ ସମୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଭାବେ ନାରାୟଣ ଜେନା ଓ ସରପଞ୍ଚ ଭାବେ ଅମରେନ୍ଦ୍ର ଧଳ କାର୍ଯ୍ୟ ତୁଲାଉଥିଲେ । ନାରାୟଣ ଜେନା ବର୍ତ୍ତମାନ ଏହି ବ୍ଲକ୍ ର ଜମ୍ଭୀରା ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଭାବେ କାର୍ଯ୍ୟ କରୁଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ଆଲୋକୀକରଣ ନାଁରେ ମୋଟ୍ ୬ ଲକ୍ଷ ୯୩ ହଜାର ଟଙ୍କା ବ୍ୟୟ କରାଯାଇ ମାତ୍ର ୬୮ ଟି ଲାଇଟ୍ ଲଗାଯାଇଥିବା ଜଣାପଡ଼ିବା ପରେ ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୁର୍ନିତିରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।