ଭୁବନେଶ୍ୱର : ଅପରାଧ ମାମଲା ରାଜ୍ୟରେ ବଢି ଚାଲିଥିବାବେଳେ ଅପରାଧିକ ମାମଲା ଫଇସଲା ହାର ନଗଣ୍ୟ ରହିବା ଏବଂ ଦଣ୍ଡବିଧାନ ହାର ଢେର୍ କମ୍ ହେବା ଘଟଣା ପୁଲିସ ଓ ପ୍ରଶାସନ ପାଇଁ ବଡ ଆହ୍ୱାନ ହୋଇଛି ।
ଏବେ ରାଜ୍ୟର ଅଇନ ଅଦାଲତ ଗୁଡିକରେ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିରୁ ଅନେକ ମାମଲା ୧୦ରୁ ୩୦ ବର୍ଷ ଓ ତଦୁର୍ଦ୍ଧ୍ୱ ସମୟର ପୁରୁଣା । ବିଳମ୍ବିତ ବିଚାର ଯୋଗୁ ସାକ୍ଷ୍ୟ ପ୍ରମାଣ ଦୁର୍ବଳ ହେବା ଏବଂ ତଦନ୍ତ ଓ ଚାର୍ଜସିଟ୍ କ୍ଷେତ୍ରରେ ତ୍ରୁଟି ବିଚ୍ୟୁତି ଯୋଗୁ ଦଣ୍ଡବିଧାନ ହାର କମ୍ ରହିବା କଥା ଅଭିଜ୍ଞ ଆଇନଜୀବୀ ଓ ଅବସରପ୍ରାପ୍ତ ବିଚାରପତିମାନେ ସ୍ୱୀକାର କରୁଛନ୍ତି ।
ଚଳିତମାସରେ ପ୍ରକାଶ ପାଇଥିବା କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ ମୁତାବକ ଚଳିତବର୍ଷ ଆରମ୍ଭ ବେଳକୁ ଓଡ଼ିଶାରେ ୮,୯୩,୩୨୩ଟି ଆଇପିସି ମାମଲା ଓଡ଼ିଶାର ଅଦାଲତଗୁଡିକରେ ବିଚାର ପ୍ରତୀକ୍ଷାରେ ଥିଲା । ଏବେ ଏହି ସଂଖ୍ୟା ୧୦ଲକ୍ଷ ଟପିବ ବୋଲି ଆଶଙ୍କା କରାଯାଉଛି । ୨୦୧୭ ଆରମ୍ଭ ବେଳକୁ ଓଡ଼ିଶାର ଆଇନ ଅଦାଲତ ଗୁଡିକରେ ୫,୦୮,୧୬୪ ଟି ଆଇପିସି ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ୨୦୧୬ ବର୍ଷରେ ଏଭଳି ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୧୦ ପ୍ରତିଶତ ଥିବାବେଳେ ଫଇସଲା ହାର ୮ପ୍ରତିଶତରୁ କମ୍ ଥିଲା । ତେବେ ୨୦୨୧ ଆରମ୍ଭ ବେଳକୁ ଓଡ଼ିଶାରେ ବିଚାରାଧୀନ ଆଇପିସି ମାମଲା ସଂଖ୍ୟା ୬,୯୫,୧୯୮ ଥିଲା । ୨୦୨୦ ବର୍ଷରେ ଆଇପିସି ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ ଥିବାବେଳେ ମାମଲା ଫଇସଲା ହାର ଥିଲା ୨ ପ୍ରତିଶତରୁ କମ୍ ।
୨୦୨୩ ଡିସେମ୍ବର ମାସରେ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ୨୦୨୨ ବର୍ଷରେ ରାଜ୍ୟର ଆଇନ ଅଦାଲତ ଗୁଡିକରେ ୮,୯୩,୩୨୩ଟି ଆଇପିସି ମାମଲା ବିଚାର ପାଇଁ ଥିବାବେଳେ ଏଥିରୁ ମାତ୍ର ୩୨୭୧ଟିରେ ଦଣ୍ଡବିଧାନ ହୋଇଥିବାବେଳେ ୨୪, ୧୮୯ରେ ଅଭିଯୁକ୍ତ ଖଲାସ ହୋଇଥିଲେ । ଉକ୍ତ ବର୍ଷରେ ଏଭଳି ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ୧୧.୯ ପ୍ରତିଶତ ଥିବାବେଳେ ମାମଲା ଫଇସଲା ହାର ୪ପ୍ରତିଶତରୁ କମ୍ ରହିଛି । ମୋଟ ମାମଲାର ୯୬.୮ ପ୍ରତିଶତ ବାକିଆ ମାମଲା ଭାବେ ପରବର୍ଷକୁ ଗଡିଛି ।
ରିପୋର୍ଟର ତଥ୍ୟ ମୁତାବକ ସାରା ଦେଶରେ ୨୦୨୦ ବର୍ଷରେ ୪୨,୫୪, ୩୫୬ ଆଇପିସି ମାମଲା ଦରଜ ହୋଇଥିବାବେଳେ ୨୦୨୧ ବର୍ଷରେ ଏହି ସଂଖ୍ୟା ୩୬,୬୩,୩୬୦ ଓ ୨୦୨୨ରେ ୩୫,୬୧,୩୭୯ଟି ଦରଜ ହୋଇଥିଲା । ଏଥିରୁ ଦେଶରେ ମୋଟାମୋଟି ଭାବେ ଗତ ୩ବର୍ଷରେ ରୁଜୁ ହେଉଥିବା ଆଇପିସି ମାମଲା ସଂଖ୍ୟା କମୁଥିବାର ସୂଚନା ମିଳୁଛି ।
ଅନ୍ୟପକ୍ଷରେ ଏହି ରିପୋର୍ଟର ତଥ୍ୟ ମୁତାବକ ୨୦୨୦ ବର୍ଷରେ ଓଡ଼ିଶାରେ ୧,୦୮,୫୩୩ ଆଇପିସି ମାମଲା ହୋଇଥିବାବେଳେ ଏହି ସଂଖ୍ୟା ୨୦୨୧ରେ ୧,୨୧,୯୫୬ ଓ ୨୦୨୨ରେ ୧,୪୩,୪୧୪ ବୋଲି ଦର୍ଶାଯାଇଛି । ଅର୍ଥାତ୍ ବିଗତ ୩ ବର୍ଷରେ ଓଡ଼ିଶାରେ ଆଇପିସି ମାମଲା ସଂଖ୍ୟା ବଢି ବଢି ଚାଲିଛି । ତେବେ ଏଭଳି ମାମଲାରେ ଜାତୀୟ ସ୍ତରରେ ଚାର୍ଜସିଟ୍ ହାର ୭୧.୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୭୭.୯ ପ୍ରତିଶତ ରେକର୍ଡ କରାଯାଇଛି । ଆଇପିସି ମାମଲାରେ ଚାର୍ଜସିଟ୍ ଦାଖଲ କ୍ଷେତ୍ରରେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, ହରିୟାନା, ଝାଡଖଣ୍ଡ, ବିହାର, ଗୋଆ, ଅରୁଣାଞ୍ଚଳ ଆଜି ରାଜ୍ୟଠାରୁ ଓଡ଼ିଶା ଅବଶ୍ୟ ଆଗରେ ରହିଛି ।