ଡ଼ାକ୍ତରଙ୍କ ଉପରେ ମରଣାନ୍ତକ ଆକ୍ରମଣ 

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ଚିକିତ୍ସା ବିଜ୍ଞାନ କେନ୍ଦ୍ର ଭୀମଭୋଇ ମେଡ଼ିକାଲ କଲେଜର ସ୍ତ୍ରୀ ଓ ପ୍ରସୂତୀବିଭାଗର ଜଣେ ହାଉସ ସର୍ଜନ ଭାବେ କାମ କରୁଥିବା ସ୍ଥାନୀୟ ବ୍ରାହ୍ମଣପଡ଼ା ନିବାସୀ ଡ଼ଃ. ବିଶ୍ବ ରଞ୍ଜନ ସାହୁ ଗତ ୨୮ ତାରିଖରେ ଆଉଟ ଡୋରରେ ଡ୍ୟୁଟି ସାରି ଆଉଜଣେ ସହକର୍ମୀ ଡ଼ାକ୍ତର ଡା. ବିଷ୍ଣୁ କଲ୍ୟାଣ ମିର୍ଦ୍ଧାଙ୍କ ସହ ମେଡ଼ିକାଲ୍ କ୍ବାର୍ଟର୍ସକୁ ଫେରୁଥିଲେ । ଏହି ସମୟରେ ସ୍ଥାନୀୟ ଲାଲ୍ ଟିକ୍ରା ବିଦ୍ୟୁତ ଗ୍ରୀଡ ନିକଟରେ ତାଙ୍କୁ ( ଓଡି ୦୫ ପି- ୯୬୮୪ ) ବାଇକରେ ପିଛାକରି ଦୁଇଜଣ ସ୍ଥାନୀୟ ଯୁବକ ସେମାନଙ୍କୁ ଆସି ଅଟକାଇ ‘ତୁ ମୋ ସ୍ତ୍ରୀର ( ଅମୁକ ସମ୍ବେଦନଶୀଳ ଅଙ୍ଗ ) କୁ କାହିଁକି ଛୁଇଁଲୁ’ କହି ଡା. ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ମାଡ ମାରି ଫେରାର ହୋଇଯାଇଥିବା ପ୍ରକାଶ । ଗୁରୁତ୍ତର ଆହତ ଡ଼ାକ୍ତର ଜଣକ ପ୍ରାଣ ବଞ୍ଚାଇବାକୁ ଦୌଡ଼ିଥିବା ଓ ସାଙ୍ଗରେ ଥିବା ଡ଼ାକ୍ତର ଜଣକ ତାଙ୍କୁ ଉଦ୍ଧାର ଧରିଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲ କଲେଜ ପକ୍ଷରୁ ଏନେଇ ସ୍ଥାନୀୟ ଟାଉନ ଥାନାରେ ଏକ ଏତଲା ଦିଆଯାଇଛି । ଘଟଣାସ୍ଥଳର ଭିଡ଼ିଓ ଆଧାରରେ ପୁଲିସ ତଦନ୍ତ କରିବା ସହ ଡ଼ାକ୍ତରୀ ଛାତ୍ରଛାତ୍ରୀମାନେ ଦୁବୃତ୍ତଙ୍କୁ ଗିରଫ କରିବାକୁ ଦାବି କରି ଡ଼ାକ୍ତରଖାନାର ରୋଗୀଚିକିତ୍ସା ବନ୍ଦ କରି ଡ଼ାକ୍ତରଖାନା ମୁଖ୍ୟଗେଟ୍ ବନ୍ଦ କରିଦେଇ ଧାରଣା ଦେଇଥିଲେ । ଏପରିକି ବାହାରୁ ଗୁରୁତ୍ତର ରୋଗୀଙ୍କୁ ନେଇ ଡ଼ାକ୍ତରଖାନାକୁ ଆଣୁଥିବା ଆମ୍ବୁଲାନ୍ସକୁ ଭିତରକୁ ଛାଡ଼ି ନଥିଲେ । ଏଣୁ ରୋଗୀ ଓ ରୋଗୀଙ୍କ ଅଭିଭାବକ, ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏଣୁ ଖବରପାଇ ପୁଲିସ, ଜିଲ୍ଲ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଡ଼ାକ୍ତରଖାନାରେ ପହଞ୍ଚି ଆହତ ଡ଼ାକ୍ତରଙ୍କୁ ଭେଟିବା ସହ ପରିସ୍ଥିତିର ଅନୁଧ୍ଯାନ କରିଥିଲେ । ଅପରପକ୍ଷରେ ଉକ୍ତଦିନ ରାତି ପ୍ରାୟ ୯ଟାବେଳେ ସମ୍ପୃକ୍ତା ମହିଳା ରୋଗିଣୀ ଜଣକ ତାଙ୍କ ପ୍ରତି ସମ୍ପୃକ୍ତ ହାଉସ ସର୍ଜନ ଜଣକ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ନେଇ ଟାଉନ ଥାନାରେ ପହଞ୍ଚିଥିଲେ । ତେବେ ଏ ନେଇ କୌଣସି ମାମଲା ଥାନାରେ ଦାଏର କରାଯାଇଥିବା ଜଣାଯାଇନାହିଁ । ଏହି ଘଟଣାରେ ଭୀମଭୋଇ ମେଡ଼ିକାଲ କଲେଜର କାର୍ଯ୍ୟରତ ହାଉସ ସର୍ଜନ ଓ ସମସ୍ତ ଡ଼ାକ୍ତରମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । 

ଘଟଣା ସମ୍ପର୍କରେ ଆହତ ଡ଼ାକ୍ତରଙ୍କ ଠାରୁ ପ୍ରକାଶ ଯେ, ସେଦିନ ଦିନବେଳା ଜଣେ ମହିଳା ଗର୍ଭପାତ କରିବାକୁ ଆସିଥିଲେ । ସେ ଏଥିପାଇଁ ପୂର୍ବରୁ ଗର୍ଭପାତ ଔଷଧ ଖାଇ, ଠିକରେ ହୋଇଛି କି ନାହିଁ, ଜାଣିବାକୁ ଆସିଥିଲେ ଓ ସେ ଡ଼ାକ୍ତରୀ ନିଦାନ ଅନୁସାରେ ଗୁପ୍ତାଙ୍କ ଭିତରେ ପରୀକ୍ଷା କରିଥିଲେ ଏବଂ ଏହା ସାଧାରଣତଃ କରାଯାଇଥାଏ । ତେବେ ଏଥିଯୋଗୁଁ ତାଙ୍କୁ ଆକ୍ରମଣ କରାଯାଇ ଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । 

ଯଦି ଏହା ହୋଇଥାଏ, ତେବେ ଭୁଲ ବୁଝାମଣାରୁ ଏଭଳି ଦୁର୍ଭାଗ୍ଯଜନକ ଘଟଣା ଘଟିଥିବା କୁହାଯାଉଛି ।

ସେ ଯାହାହେଉ , ଜଣକ ଲାଗି ଅନେକରୋଗୀଙ୍କ ଜୀବନମରଣ ସମସ୍ୟାର ଚିକିତ୍ସା ପ୍ରତି ପ୍ରତିବନ୍ଧକ ସୃଷ୍ଟି ନ ହେବାକୁ ଦୃଷ୍ଟି ଦିଆଯିବା ସହ ଭୀମଭୋଇ ମେଡିକାଲ କଲେଜର ହାସପାତାଳରେ ବାରମ୍ବାର ଚିକିତ୍ସାରତ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ପ୍ରତି ଏଭଳି ଆକ୍ରମଣଘଟଣାର ଆଉ ଯେପରି ପୁନରାବୃତ୍ତି ନ ହୁଏ , ସେଥିପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ , ପ୍ରଶାସନ , ପୁଲିସ୍ , ସରକାର ଓ ଜନସାଧାରଣ ସଚେତନ ରହିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.