ବୌଦ୍ଧ: ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ବାଉଁଶୁଣି ମାଉଳି ମନ୍ଦିର ନିକଟରୁ ଛେଳିବାହଲକୁ ଯାଇଥିବା ବାଇପାସ ରାସ୍ତାଟି ଏବେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହେଉଛି। ଗୋଛାପଡା, ଗୁନ୍ଦୁଳିଆ, ଆମ୍ବଝରି, ଶଗଡା ଆଦି ପଞ୍ଚାୟତ ଲୋକେ ଶିଶୁମନ୍ଦିର ଛକରୁ ବାଟ ଭାଙ୍ଗି ଏହି ରାସ୍ତାରେ ବୌଦ୍ଧ ପଟକୁ ଗଲେ ୨ କିଲୋମିଟର ରାସ୍ତା କମି ଯାଇଥାଏ। ଏହାଛଡା ଗୋଛାପଡା ଓ ଗୁନ୍ଦୁଳିଆ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଆଗରୁ ଏହି ରାସ୍ତାରେ ସ୍କୁଲ ଓ କଲେଜକୁ ଯିବାଆସିବା କରୁଥିଲେ। କିନ୍ତୁ ଗତ ବର୍ଷ ଏହି ରାସ୍ତାରେ ଏକ ବିଦେଶୀ ମଦ ଦୋକାନ ଖୋଲା ହେବା ଦିନ ଠାରୁ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଦେଇ ଯିବାଆସିବା କରିବା ପାଇଁ ଆଉ ନିରାପଦ ମଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। କାରଣ ଏହି ବିଦେଶୀ ମଦ ଦୋକାନଟି ଠିପି ବନ୍ଦ ଦୋକାନ ହୋଇଥିଲେହେଁ ଦୋକାନ ନିକଟ ରାସ୍ତା କଡରେ ମଦୁଆ ମାନେ ଖୁଲମଖୁଲା ମଦ୍ୟପାନ କରୁଛନ୍ତି। ଏଥିପାଇଁ ସାଧାରଣ ଲୋକ ଏହି ରାସ୍ତାରେ ଯିବାଆସିବା କରିବାକୁ ଅମଙ୍ଗ ହେଉଥିବା ଦେଖାଯାଇଛି। ଛାତ୍ରଛାତ୍ରୀ ମାନେ ମଧ୍ୟ ବସଷ୍ଟାଣ୍ଡ ପଟେ ୨କି.ମି ଅଧିକ ରାସ୍ତା ଦେଇ ସ୍କୁଲ କଲେଜ ଯିବାକୁ ଉଚିତ ମନେ କରୁଛନ୍ତି। ଏହି ରାସ୍ତାରେ ଦିନରାତି ମଦ୍ୟପାନ ଯୋଗୁଁ ମଦ ବୋତଲ, ଭଙ୍ଗା କାଚ ପଡିବା ସହ ପ୍ଲାଷ୍ଟିକ, ପଲିଥିନ ଭଳି ଅଣବିଲୀନ ବର୍ଜ୍ୟବସ୍ତୁ ବିଲଗୁଡିକ ମଧ୍ୟରେ ମଦୁଆ ମାନେ ପକାଉଥିବାରୁ ଚାଷ ଜମି ଗୁଡିକ ମଧ୍ୟ ପ୍ରଦୂଷିତ ହେଉଥିବା ଚାଷୀମାନେ କହିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।