ଟାଟା କମ୍ପାନୀ ହେଉଛି, ୨ୟ ଇଷ୍ଟ ଇଣ୍ଡିଆ କମ୍ପାନୀ:-ସୁଦର୍ଶନ

ଜଳେଶ୍ଵର – (ନ ନିଉ ସ) ଟାଟା ପାୱାରର ଜୁଲମ ଓ ଶୋଷଣ ବିରୁଦ୍ଧରେ ଜଳେଶ୍ଵର କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ବାସନ୍ତି ପଡ଼ିଆ ଠାରେ ୩୦ ତାରିଖ ଶନିବାର ପୂର୍ବାହ୍ନ ୧୨ ଟା ସମୟରେ ପୂର୍ବତନ ସରପଞ୍ଚ ପଦ୍ମଲୋଚନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଗଣ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ବ୍ଲକ କିଷାନ କଂଗ୍ରେସ ସଭାପତି ସୁଦାମ ଚରଣ ପାତ୍ର,  ତ୍ରିଲୋଚନ ଦାସ ଅଧିକାରୀ, କଂଗ୍ରେସ ଜିଲ୍ଲା ସମ୍ପାଦକ ହେମନ୍ତ ଗିରି, ବିଜୟ କୁମାର ଜେନା, ବର୍ତ୍ତନା ପୂର୍ବତନ ସରପଞ୍ଚ ଅନନ୍ତ କୁମାର ରାଉଳ, ବର୍ତ୍ତନା ସମିତି ସଭ୍ୟ ତ୍ରିଲୋଚନ ଦାସ, ଦୂର୍ଗା ଶଙ୍କର ଆଶ, ସିପିଆଇ(ଏମ) ନେତା ଦିଲ୍ଲୀପ କୁମାର ଗିରି ଓ ଦୀପ୍ତିମାନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଟାଟା ହେଉଛି, ଦ୍ୱିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀ ବୋଲି କହିବା ସଙ୍ଗେ ସଙ୍ଗେ ତୁରନ୍ତ ଟାଟା କମ୍ପାନୀର ଚାଷୀ ମାରଣ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଚାଷୀ ମାନଙ୍କୁ ଆହ୍ଵାନ କରିଥିଲେ।

ଟାଟା ପାୱାର (ଟି.ପି.ଏନ.ଓ.ଡି.ଏଲ) ପକ୍ଷରୁ ପ୍ରତ୍ୟେକ ସେଲୋ ପଏଣ୍ଟ ରେ ବାଧ୍ୟତାମୂଳକ ଭାବେ ବିଦ୍ୟୁତ୍ ମିଟର ଉଠାଉଛନ୍ତି। ତେଣୁ ଚାଷୀ ମାନଙ୍କୁ ମାସକୁ ୧୨ ହଜାର ଟଙ୍କା ଅଧିକ ବିଲ୍ ଦେବାକୁ ପଡ଼ିବ। ବର୍ତ୍ତମାନ ଜଳେଶ୍ଵର ବ୍ଲକ ଅଞ୍ଚଳରେ ୨୨ ଶହ ସେଲୋ ପଏଣ୍ଟ କାର୍ଯ୍ୟ କରୁଥିବା ବେଳେ ୨୦୦ ଟି ସେଲୋ ପଏଣ୍ଟ ବନ୍ଦ ହୋଇ ଯାଇଛି। ଫଳରେ ଚାଷୀ ମାନେ ଚାଷ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି। ସରକାର ବଳକା ବିଦ୍ୟୁତ ଅନ୍ୟ ରାଜ୍ୟକୁ ବିକ୍ରୟ କରୁଛନ୍ତି। ମାତ୍ର ସେହି ରାଜ୍ୟ ମାନଙ୍କରେ ସରକାର ଚାଷୀ ମାନଙ୍କୁ ବିଦ୍ୟୁତ୍ ରିହାତି ଦେଉଥିବା ବେଳେ ଓଡ଼ିଶା ସରକାର ଚାଷୀ ମାନଙ୍କ ଉପରେ ଜିଜିୟା କର ବସାଉଛନ୍ତି। ସରକାର କମ୍ପାନୀ ମାନଙ୍କୁ କୋଟି କୋଟି ଟଙ୍କା ବିଦ୍ୟୁତ୍ ଶୁଳ୍କ ଛାଡ଼ କରୁଛନ୍ତି।ରାଜ୍ୟ ସରକାର ଚାଷୀ ମାନଙ୍କୁ ଜଳକର ଛାଡ଼ କରିବା ପାଇଁ ବକ୍ତା ମାନେ ଦାବୀ କରିଥିଲେ।ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ। ଦରକାର ପଡ଼ିଲେ ଜାତୀୟ ରାଜପଥ ସହ ଜଳେଶ୍ଵର କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବକ୍ତା ମାନେ ଆହ୍ଵାନ କରିଥିଲେ। ବକ୍ତା ମାନେ ଜୟ କିଷାନ ଟାଟା ହଟାଓ ଚାଷୀ ବଞ୍ଚାଅ ସ୍ଲୋଗାନ ଦେଇଥିଲେ।

Leave A Reply

Your email address will not be published.