ଆସ ହେ ନୂଆ ବରଷ

****************

ସକାଳ ସୂରୁଜ ବୁଣି ମୁରୁଜ

ଝରିପଡେ ମୋତି ହୀରା

ନବ ଉନ୍ମାଦନା ଜାଗିଛି ପରାଣେ

ହସେ ଆଜି ବସୁନ୍ଧରା,

ନବ ଉନ୍ମାଦନା ନେଇ

ନୂଆ ବରଷଟେ ଅଧିର ଆବେଗେ

ମରତେ ଆସିଛି ଧାଇଁ ।।

ଖୁସି ସତେ ଆଜି ବ୍ୟାପ୍ତ ହୋଇଅଛି

ଭୂମି ଠାରୁ ଭୂମା ଯାଏଁ

ବିଷାଦେ ବ୍ୟଥିତ ହୃଦତନ୍ତ୍ରୀ ଆଜି

ମଙ୍ଗଳ ସଙ୍ଗୀତ ଗାଏ

ନବ ପୁଲକିତ ପ୍ରାଣ

ଯୁଦ୍ଧ ବିଭୀଷିକା ନ ଦେଖିବ ଧରା

ଉଡିବ ସ୍ବସ୍ତି କେତନ ।।

ପୃଥିବୀ ପୃଷ୍ଠକୁ ଆସ ନବବର୍ଷ

ପ୍ରୀତିର ପସରା ନେଇ

ଚଲାପଥ ଆମ ହେଉ କୁସୁମିତ

ଆତଙ୍କ ନଦେଖୁ ମହୀ

ଆନନ୍ଦ ଉଲ୍ଲାସ ମନେ

ଭାଇଚାରା ଭାବ ଉଦ୍ରେକ ହେଉ

ସମନ୍ୱିତ ସମ୍ମୋହନେ ।।

ସାମ୍ୟ ମୁକ୍ତି ମୈତ୍ରୀ ସମୃଦ୍ଧିର ମନ୍ତ୍ରେ

ଜଗତ କଲ୍ୟାଣ ହେଉ

ସତ୍ୟ ଶାନ୍ତି ପ୍ରେମ ଭକ୍ତିର ଭାବନା

ପ୍ରତି ମନେ ଖେଳିଯାଉ ,

ସବୁ ଓଠେ ଫୁଟୁ ହସ

ସୁପ୍ତ ଚେତନାକୁ ଜାଗରିତ କରି

ଆସ ହେ ନୂଆ ବରଷ ।।

# ଆଦ୍ୟାଶା ମହାପାତ୍ର, ନୂଆପଡା, କଟକ 

Leave A Reply

Your email address will not be published.