ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ବେକାରୀ ସମସ୍ୟା ଦେଖାଯାଏ , ଆମ ଦେଶ ଭାରତ ବର୍ଷ ରେ ମଧ୍ୟ ଏହି ସମସ୍ୟା ଗୁରୁତର ରୂପ ନେବାକୁ ବସିଲାଣି । ୨୦୨୦-୨୧ ମସିହା ସମୟରେ କୋଭିଡି ଜନିତ କଟକଣା ଯୋଗୁଁ ବେକାରୀ ସମସ୍ୟା ବଢ଼ି ଯାଇ ଜନସଂଖ୍ୟାର ୧୨.୬% ପ୍ରତିଶତ ଥିଲା କିନ୍ତୁ ୨୦୨୨ ଏପ୍ରିଲ ମାସ ଠାରୁ ଜୁନ ମାସ ମଧ୍ୟରେ ହୋଇଥିବା ପରିସଂଖ୍ୟନ ଅନୁଯାୟୀ ଏହା ନିମ୍ନଗାମୀ ହୋଇ ୭.୬% ପ୍ରତିଶତରେ ପହଂଚିଛି । ଯଦିଓ ଏହା ଖୁସିର ଖବର ତଥାପି ୧୪୨ କୋଟି ଜନସଂଖ୍ୟା ବିଶିଷ୍ଟ ପୃଥିବୀର ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ପାଇଁ ଜନସଂଖ୍ୟାର ୭.୬ % ପ୍ରତିଶତ ବେକାରୀ ମଧ୍ୟ ବଡ଼ ଚିନ୍ତାର ବିଷୟ । ଯୁବ ସମାଜ ଏହି ବେକାରୀ ସମସ୍ୟାକୁ ଖୁବ କଷ୍ଟରେ ସାମ୍ନା କରିବାକୁ ବାଧ୍ୟ ହେଉଛନ୍ତି , ସରକାର ଯେତେ ଶୀଘ୍ର ଏହାର ସମାଧାନ କରିବେ ସେତେ ଶୀଘ୍ର ଏହା ଦେଶ ପାଇଁ ଶୁଭଙ୍କର ବୋଲି ପ୍ରମାଣିତ ହେବ । ଯୁବ ଶକ୍ତି ଆଗାମୀ କାଲିର ଭବିଷ୍ୟତ ଏବଂ ଦେଶ ପ୍ରଗତିର ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ ।
ଯେତେବେଳେ ଦେଶରେ ଅର୍ଥନୈତିକ ଭାରସାମ୍ୟ ରହେ ନାହିଁ , ଧନୀ ଆହୁରି ଧନୀ ହୋଇ ଚାଲେ ଏବଂ ଦରିଦ୍ର ଆହୁରି ବେଶୀ ବେଶୀ ଦରିଦ୍ର ହୋଇ ଯାଏ, ସେହି କ୍ଷେତ୍ରରେ ଦେଶରେ ଅରାଜକତା ବଢିବାକୁ ଆରମ୍ଭ କରେ । ସରକାର ଯଦି ଏହି ପ୍ରକ୍ରିୟାକୁ ନିଜ ବୁଦ୍ଧି ବଳରେ ନିୟନ୍ତ୍ରଣ କରି ନ’ପାରନ୍ତି ତେବେ ଜନତା ଅନେକ ସମୟରେ ନିର୍ଯାତିତ ହୁଅନ୍ତି , ଏବଂ ନିର୍ଯାତନାର ସୀମା ଟପି ଗଲେ ରାଜରାସ୍ତାକୁ ଓଲ୍ହାଇ ଆସନ୍ତି, ତଥା ଆଇନ କାନୁନକୁ ବେଖାତିର କରି ମନଇଚ୍ଛା ଦେଶର ସମ୍ପତ୍ତିକୁ ନଷ୍ଟ ଭ୍ରଷ୍ଟ କରଥା’ନ୍ତି । ଅତୀତରେ ଶ୍ରୀଲଙ୍କା ପରିସ୍ଥିତି ଠିକ ଏହିପରି ହୋଇଥିଲା । ପୁଞ୍ଜିପତି ମାନେ ଦେଶ ପାଇଁ ଗର୍ବ ଏହା କ’ଣ ସତ୍ୟ?? ସେହି ପୁଞ୍ଜି ସେମାନେ କେଉଁଠାରୁ ସଂଗ୍ରହ କଲେ? ପୁଞ୍ଜିର ବିନିଯୋଗ ଠିକ୍ ରୂପେ ହେଉଛି କି ନାହିଁ ତାହା ଦେଖିବା ସରକାରଙ୍କ କାର୍ଯ୍ୟ , ପୁଞ୍ଜିପତି ମାନେ ସାଧାରଣ ଜନତାଙ୍କୁ ଲୁଟି ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ସିଦ୍ଧହସ୍ତ , ନିଜ ସ୍ୱାର୍ଥ ପାଇଁ ସେମାନେ ସରକାର ମଧ୍ଯ ଭାଙ୍ଗି ପାରନ୍ତି , ମନ ପସନ୍ଦର ସରକାର ମଧ୍ୟ ଗଢି ପାରନ୍ତି ଏହା ପ୍ରମାଣିତ । ତେବେ ଗଣତାନ୍ତ୍ରିକ ପଦ୍ଧତିରେ ସରକାର ଗଢ଼ିଥିବା ଏହି ନିରୀହ ଭୋଟ ଦାତାଙ୍କର ଭୂମିକା କ’ଣ ରହିଲା ? ବର୍ତ୍ତମାନ ସୁଦ୍ଧା କେତେ ନୂତନ ଶିଳ୍ପ ଗଢି ଉଠିଛି? କେତେ ଯୁବକ ଯୁବତୀ କାର୍ଯ୍ୟ ପାଉଛନ୍ତି? କେତେ ଆତ୍ମନିର୍ଭରଶୀଳ ହେଉଛନ୍ତି? ଏହି ସବୁ ତଥ୍ୟ ତ’ ଆର:ଟି:ଆଇ ଦ୍ୱାରା ସହଜେ ଜାଣିହେବ ।
ସରକାରୀ କାର୍ଯ୍ୟାଳୟରେ ନୂତନ ନିଯୁକ୍ତି ବନ୍ଦକରି ଅବସର ପ୍ରାପ୍ତ / ପେନ୍ସନ ଭୋଗୀଙ୍କୁ ପୁନଃ ନିଯୁକ୍ତି ଦେବା ପଛର ଉଦେଶ୍ୟ କ’ଣ ? ଏହାଦ୍ୱାରା ଯୁବ ସମାଜ ତଥା ଯୋଗ୍ୟ ପ୍ରାର୍ଥୀ ମାନେ କ’ଣ ମାନସିକ ତଥା ଶାରୀରିକ ଯନ୍ତ୍ରଣା ପାଉ ନାହାନ୍ତି ? ଭୋକ ବା କ୍ଷୁଧା ସ୍ଥାନ କାଳ ପାତ୍ର ଦେଖେ ନାହିଁ କ୍ଷୁଧାର ଉପଶମ ପାଇଁ ଖାଦ୍ୟ ଆବଶ୍ୟକତା ଏବଂ ଖାଦ୍ୟ ପାଇଁ ଅର୍ଥର ଆବଶ୍ୟକତା ପଡେ, ଅର୍ଥ ପାଇଁ ପରିଶ୍ରମ କରିବାକୁ ପଡେ । ଯୋଗ୍ୟତା ଅନୁସାରେ ଯଦି ସରକାର ବା ଉଦ୍ୟୋଗୀ ମାନେ କାର୍ଯ୍ୟ ଯୋଗାଇ ନ’ପାରିବେ ତେବେ ଏହି ଯୁବ ପିଢ଼ି କଣ କରିବେ? ଦେଶର ଆର୍ଥିକ ସ୍ଥିତି କିଛିଦିନ ପରେ ରୁଗ୍ଣ ହୋଇଯିବ ତଥା ଯୁବପିଢ଼ି ମାନଙ୍କ ମନରେ କାର୍ଯ୍ୟ ପ୍ରତି ଥିବା ଉତ୍ସାହ ଧୀରେ ଧୀରେ କମିଯିବ । କତୃପକ୍ଷ ଯୁବ ପିଢିଙ୍କ ମାନସିକତାକୁ ତୃଣମୂଳ ସ୍ତରରୁ ତର୍ଜମା କରନ୍ତୁ , ଯଦି କର୍ମସଂସ୍ଥାନ ଯୋଗାଇବାରେ ବିଫଳ, ତେବେ ନିର୍ଧାରିତ ବର୍ଗର ବେକାର ଯୁବକ ଯୁବତୀଙ୍କ ପାଇଁ କିଛି ପ୍ରକଳ୍ପ କରନ୍ତୁ ନ’ହେଲେ ପରିସ୍ଥିତି ଅଣାୟତ୍ତ ହୋଇଯିବ । ଦେଶରେ ପୁଞ୍ଜିପତି ରୁହନ୍ତୁ, ତାହା ସହିତ ଗରିବ ମାନଙ୍କର କଲ୍ୟାଣ ପାଇଁ ଥିବା ଯୋଜନା ଗୁଡିକର ସମୀକ୍ଷା କରି ଗରିବ କଲ୍ୟାଣ ପାଇଁ ଆସୁଥିବା ଟଙ୍କା ହଡପ କରୁଥିବା ଅସାଧୁ ମଧ୍ୟସ୍ଥିଙ୍କ ପାଇଁ କଠୋର ଦଣ୍ଡ ବିଧାନ ହେବାର ସମୟ ଉପନୀତ । ଦେଶର ଯୁବ ପିଢିଙ୍କୁ ଅଣଦେଖା କରିଥିବା ରାଷ୍ଟ୍ର ମାନେ ତଳି ତଳାନ୍ତ ହୋଇ ଯାଇଥିବା କଥା ଇତିହାସ କହେ , ତେଲିଆ ମୁଣ୍ଡରେ ଖାଲି ତେଲ ଦେଇ ଚାଲିଥିବା ବ୍ୟବସ୍ଥା ସହିତ ନୁଖୁରା ମୁଣ୍ଡକୁ ଟିକେ ଦୃଷ୍ଟି ଦେବା ଦରକାର । ସରକାରଙ୍କ ଆଭିମୁଖ୍ୟ ବଦଳିଲେ ଦେଶର ପ୍ରଗତି ନିଶ୍ଚିତ ହେବ ।
ଧୀରେ ଧୀରେ ବେକାର ଥିବା ଯୁବ ପିଢ଼ି ମାନଙ୍କ ମଧ୍ୟରେ ବିତୃଷ୍ଣା ଭାବ ବଢୁଛି, କିଏ ନିଜ ଜୀବନକୁ ଆତ୍ମହତ୍ୟା ଦ୍ୱାରା ନିଃଶେଷ କରିଦେବା ତ’ କିଏ ଅବାଟରେ ଯାଇ ଅପରାଧୀ ପାଲଟି ଯିବ ବା ଶେଷରେ ଦେଶ ପାଇଁ ଏକ ବୋଝ ହୋଇ ଯିବ । ତେଣୁ ସରକାରୀ ସ୍ଥରରେ ବଣ୍ଟା ଯାଉଥିବା ମାଗଣା ଜିନିଷ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି କର୍ମ ଯୋଗାଣ ପାଇଁ ଚେଷ୍ଟିତ ହେବା ବୁଦ୍ଧିମାନର କାର୍ଯ୍ୟ ହେବ I ଆମଦେଶରେ ଶିକ୍ଷା ନୀତି ଏକ ଗୋଲକ ଧନ୍ଦା ସଦୃଶ , ପୁଞ୍ଜିପତି ମାନଙ୍କୁ ଅନୁମତି ଦେଇ ଦେଶ ସାରା ହଜାର ହଜାର ଇଞ୍ଜିନିଅରିଂ, ଡାକ୍ତରୀ , ଆବାସିକ କଲେଜ ଖୋଲି ଦେଇଛନ୍ତି , କଲେଜ ଗୁଡିକ ନିରୀହ ଛାତ୍ର ମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି , ବ୍ୟାଙ୍କ ଋଣ କରାଇ କଲେଜରେ ଆଡ଼ମିସନ୍ କରାଇ ଦେଉଛନ୍ତି , ପାଠ ପଢାଇବା ପାଇଁ କଲେଜରେ ଉପଯୁକ୍ତ ଶିକ୍ଷକ ନ’ଥିବାରୁ ପିଲାମାନେ ସିଲାବସ ଅନୁଯାଇ ପାଠ ପଢି ପାରୁ ନାହାନ୍ତି, ତେଣୁ ଯେନ ତେନ ପ୍ରକାରେ ପାସ କରି କୌଣସି ଚାକିରୀ ପାଇଁ ଯୋଗ୍ୟ ବିବେଚିତ ପାରୁନାହାନ୍ତି । ଏଠାରେ ପରୋକ୍ଷରେ ଶୋଷଣର ଶିକାର ହୋଇଥିବା ଛାତ୍ରଟି କରିବ କଣ? ପେଟ ପୋଷିବା ପାଇଁ କର୍ମ ସଂସ୍ଥାନ ନାହିଁ ତା’ ପରେ ବ୍ୟାଙ୍କର ଋଣ ଭାର ବଢି ବଢି ଚାଲିଛି, ତେବେ ଆପଣମାନେ ବିଚାର କରନ୍ତୁ ସେ ନିଜର ଜୀବିକା, ଜୀବନ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରିବ? ଚୋରି, ଡକାୟତି କରିବ ନା’ ଏକା ସରକାରୀ କଳ ସହିତ ଲଢ଼ିବ? ଏଠାରେ କଲେଜ ଗୁଡ଼ିକ ପାଉଣା ନେଇ ତା’ର ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ ନ’କରି ମଧ୍ୟ ସରକାରଙ୍କ ସୁନା ପୁଅ ହୋଇ ପାରୁ ଛନ୍ତି ଆଉ ଛାତ୍ରଟି ଖଣ୍ଡେ ସାର୍ଟିଫିକେଟ କାଗଜକୁ ଲାମିନେସନ୍ କରି ‘ବାର ଦୁଆର ଶୁଣ୍ଢୀ ପିଣ୍ଡା’ ହେବା ପରି ଦୟନୀୟ ଅବସ୍ଥାରେ କାଳାତି ପାତ କରୁଛି ।
ଏଠାରେ କେବଳ ଯାନ୍ତ୍ରିକ ବିଦ୍ୟାଳୟର ଛାତ୍ରଙ୍କ କଥା କୁହାଯାଇ ନାହିଁ ସବୁ ବର୍ଗର ଯୁବ ପିଢ଼ି ମାନଙ୍କର ରୋଜଗାର/ଚାକିରୀ ବିଷୟରେ ଆଜି ସାରା ଦେଶ ଚିନ୍ତିତ । ପୃଥିବୀର ପ୍ରାୟ ୯୫ ପ୍ରତିଶତ ଦେଶ ଆଜି ଏହି ପ୍ରକାର ଉତ୍କଟ ବେକାରୀ ସମସ୍ୟାକୁ ନେଇ ଅତିମାତ୍ରାରେ ଚିନ୍ତିତ । ଦକ୍ଷିଣ ଆଫ୍ରିକା ଦେଶରେ ସବୁଠାରୁ ବେଶୀ ୩୩.୬ ପ୍ରତିଶତ ବେକାର କାର୍ଯ୍ୟ ପାଇଁ ସଂଗ୍ରାମରତ, ସେହିପରି ଅତି ଉନ୍ନତ ଦେଶ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ବେକାରୀ ସମସ୍ୟାକୁ ନେଇ ଚିନ୍ତିତ । ଆଧୁନିକ କଳ କାରଖାନାରେ ଅତ୍ୟଧିକ ଉତ୍ପାଦନ କ୍ଷମ ବୈଜ୍ଞାନିକ ଯନ୍ତ୍ରପାତି, ରୋବଟ , କମ୍ପୁଟର , ସ୍ୱୟଂ ଚଳିତ ମେସିନ ଗୁଡିକର ବ୍ୟବହାର ହେବାଦ୍ବାରା ମାନବ ସମ୍ବଳର ଆବଶ୍ୟକତା କମି କମି ଯାଉଛି , ଯେଉଁ କାରଖାନାରେ ୫୦୦ ଲୋକ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିଲେ ସେଠାରେ ନୂତନ ଯନ୍ତ୍ରପାତି ଲାଗିବା ଦ୍ୱାରା ୫୦ ଜଣଙ୍କ ଦ୍ୱାରା ସେହି କାର୍ଯ୍ୟ ଠାରୁ ଅଧିକ କାର୍ଯ୍ୟ ସମ୍ପାଦନ ହୋଇ ପାରୁଛି । ଉତ୍ପାଦନ ସିନା ହୁ’ ହୁ’ ହୋଇ ବଢୁଛି ତାହା ସହିତ ତାଳଦେଇ ବେକାରୀ ମଧ୍ୟ ବଢି ଚାଲିଛି । ଏହି ପରିସ୍ଥିତିରେ କାହାକୁ ଗ୍ରହଣ କରିବେ? ଆଉ କାହାକୁ ଏଡାଇ ଦେବେ? ତାହା ସରକାରଙ୍କ ନିର୍ଣ୍ଣୟରେ ସମ୍ପାଦନ ହେବା ଉଚିତ । ଏଠାରେ ଶିଳ୍ପ ବଢୁଛି ଏବଂ ବେକାରୀ ବଢୁଛି, ମହାତ୍ମା ଗାନ୍ଧୀ କହୁଥିଲେ ‘ବିଦେଶୀ ହଟାଓ ସ୍ଵଦେଶୀକୁ ଅପଣାଅ’, କୁଟୀର ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ ଆମେ ବିଦେଶୀ ଶିଳ୍ପପତି ମାନଙ୍କୁ ଖୋସାମଦ୍ କରି ଡାକି ଡାକି ଦେଶରେ ପୁରାଉଛୁ, ଆସ ଭାଇ, ଆମ ଦେଶରେ ଶିଳ୍ପ ପ୍ରତିଷ୍ଠା କର ଏବଂ ଆଉ ଯାହା ଅଛି ଲୁଟି ନିଅ । ବିଦେଶୀ ଶିଳ୍ପପତି ଆସି କ’ଣ ତୁମକୁ ବଡ଼ ଲୋକ କରିଦେବେ? ଚାକିରୀ ଦେବେ? ନା’ ନିଜ ଦେଶକୁ ଧନ ବୋହି ନେବେ? ଭାଇ! ଆମ ପିଲା ଅନେକ ଜ୍ଞାନୀ, ଗୁଣି ଆଉ ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକ ତେଣୁ ସେହି ମାନଙ୍କୁ ନିୟୋଜିତ କରି ଶିଳ୍ପ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା ବଦଳରେ ବିଦେଶୀଙ୍କୁ ଡାକି ତା’ଙ୍କ ପାଦତଳେ ଆମ ପିଲାଙ୍କୁ ଶ୍ରମିକ କରି ରଖିବାରେ ଦେଶର ସମ୍ମାନ ହାନି ହେବ କି ନାହିଁ? ଆମେ ସ୍ୱାବଲମ୍ବୀ ହେବାକୁ ଚାହୁଁ , ସରକାରୀ ତଥା ବେସରକାରୀ କର୍ମଚାରୀଙ୍କ ଅବସର ନେବାର ବୟସ ସୀମା ପୂର୍ବବତ୍ ୫୫/୫୮ ବର୍ଷ ରଖାଯାଉ ଫଳରେ ଅନେକ ନୂତନ ଆଶାୟୀ ଚାକିରୀ ପାଇ ପାରିବେ ତଥା ସରକାରଙ୍କର ମଧ୍ୟ ଦରମା ଦେବାରେ ନିଶ୍ଚିତ ଖର୍ଚ୍ଚ କମ ହେବ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନ୍ସନ୍ ଦେବାର ଉଦେଶ୍ୟ ହେଉଛି ଯେ, ସେ ତା’ଙ୍କ ଜୀବନ କାଳ ପର୍ଯ୍ୟନ୍ତ ସେହି ଆର୍ଥିକ ସହାୟତାରେ କାଳାତିପାତ କରିବେ, ମୃତ୍ୟୁ ପରେ ତା’ଙ୍କ ସ୍ୱାମୀ /ସ୍ତ୍ରୀ ମଧ୍ୟ ପାଇବାକୁ ହକଦାର । ମାନବିକତା ଦୃଷ୍ଟିକୋଣରୁ ଵୃଦ୍ଧାଵସ୍ଥାରେ ବଞ୍ଚିବାର ମାଧ୍ୟମ ପେନ୍ସନ ।
ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମାସ ସାରା କାର୍ଯ୍ୟ କରି ଆଠ ଦଶ ହଜାର ଟଙ୍କା ମଧ୍ୟ ପାଉ ନାହାନ୍ତି । ତାହା ମଧ୍ୟ ଖୁବ୍ ଚତୁରତା ସହିତ କରାଯାଏ, ଚୁକ୍ତି ଭିତ୍ତିକ ଚାକିରୀ ସରକାରୀ ନିୟମ ଅନୁଯାୟୀ, ଯଦି ଛଅ ବର୍ଷ ବ୍ୟକ୍ତିଟି ଚାକିରୀ କରିଥାଏ ତେବେ ନିୟମ ଅନୁସାରେ ସେ ସେହି କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ପାଇବ ଏବଂ ନୀୟମ ଅନୁଯାୟୀ ବେତନ ତଥା ଅନ୍ୟ ସୁବିଧା ମଧ୍ୟ ପାଇବ। ଚତୁର ବୁଦ୍ଧି ସମ୍ପନ୍ନ ଅଧିକାରୀ କିନ୍ତୁ ସିଧା ସଳଖ ଠିକା ନିଯୁକ୍ତି ନ’ ଦେଇ ତୃତୀୟ ପକ୍ଷ ଦ୍ବାରା ନିଯୁକ୍ତି ଦେଉଛନ୍ତି, ଯାହା ଫଳରେ ଦିନ ରାତି ଗୋତି ଶ୍ରମିକ ପରି କାର୍ଯ୍ୟ କରି ନିର୍ଯାତିତ ହୋଇ ନିଜ ହକ୍ ପାଇଁ ମଧ୍ୟ ଲଢେଇ କରିବାର ବାଟ ବନ୍ଦ୍ ହୋଇ ଯାଉଛି । ନ୍ୟାୟାଳୟ ମଧ୍ୟ ଏହି ପ୍ରକ୍ରିୟାକୁ ହୃଦୟଙ୍ଗମ କରି ନାହାନ୍ତି । ଅନେକ ସରକାରୀ ଅନୁଷ୍ଠାନ ତଥା ଅଦାଲତରେ ମଧ୍ୟ ଏହିପରି ଅନେକ ପ୍ରାର୍ଥୀ କେବେ ସ୍ଥାୟୀ ନିଯୁକ୍ତି ପାଇବେ ସେହି ଆଶାରେ ନିଜର ରକ୍ତକୁ ପାଣି କରି ଖଟି ଚାଲିଛନ୍ତି । ‘ଅନ୍ଧ ରାଜ୍ୟରେ ଦର୍ପଣ ବିକ୍ରି’ ସଦୃଶ କାର୍ଯ୍ୟ ପରି ସୁଶାସନ ଆଜି ବ୍ରିଟିଶ ଶାସନକୁ ମଧ୍ୟ ବଳି ଯାଇଛି । ଆମ ନ୍ୟାୟିକ ବ୍ୟବସ୍ଥା ଆଖିରେ କପଡା ବନ୍ଧା ହୋଇଛି, ସରକାର୍ କାନ ବନ୍ଦ୍ କରି ରଖିଛନ୍ତି ଏବଂ ଜନତା ଆଜି ପାଟି ବନ୍ଦ୍ କରି ଛନ୍ତି, ମନେହୁଏ ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ ପରି, ସମସ୍ତେ ଯୁବ ପିଢ଼ି ଙ୍କ ବିଷୟ ଜାଣନ୍ତି କିନ୍ତୁ କିଛି କହିବାର ଯୁ ନାହିଁ, କହିଲେ ଚୌଦ୍ୱାର ଜେଲ୍ କୁ ସ୍ଥାନାନ୍ତର ହେବାର ସମ୍ଭାବନା କୁ ଏଡାଇ ଯାଇ ହେବନାହିଁ ।ସ୍ୱାର୍ଥପର ଦୁନିଆରେ ଯୁବ ସମାଜକୁ ଅଣଦେଖା କରିବା ଯାହା ଦେଶକୁ ବିପଦ ମୁହଁକୁ ଠେଲି ଦେବା ତାହା । ଏହା ମୋର ବ୍ୟକ୍ତିଗତ କଥା ସେଥିରେ ତ’ ଆଉ ସତ୍ୟ କୁ ଘୋଡେଇ ଦେବା ସମ୍ଭବ ନୁହେଁ , ତେଲିଆ ମୁଣ୍ଡରେ ତେଲ ନ’ଢାଳି ନୁଖୁରା ମୁଣ୍ଡକୁ ଟିକେ ଦେଖିବାକୁ ଅନ୍ତରରୁ ଅନୁରୋଧ କରୁଛି । ଏଠାରେ ସମସ୍ତଙ୍କୁ ସୁବିଧା ସୁଯୋଗ ଦେବା କଥା କିନ୍ତୁ ବର୍ତ୍ତମାନ ସରକାର ଅବସର କାଳୀନ ବୟସ ବଢ଼ାଇ ବଢ଼ାଇ ଚାଲିଛନ୍ତି ଏବଂ ଅବସର ପରେ ମଧ୍ୟ କାର୍ଯ୍ୟ କାଳ ବଢାଇ ଚାଲିଛନ୍ତି। କେବଳ ମନ୍ଦିର , ମଠ, ରାସ୍ତା ଘାଟ, ସ୍କୁଲ, କଲେଜ , ହାସ୍ପାତାଳର ଉନ୍ନତି କଲେ କଣ ହେବ? ନିଯୁକ୍ତି କାହିଁ? ଯୁବକ ଯୁବତୀଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଟିକେ ଦୃଷ୍ଟି ଦେବାକୁ ପଡିବ । ଏବେବି ସମୟ ଅଛି ଯୁବ ପିଢିଙ୍କ ପାଇଁ ଅନ୍ତରରୁ ଟିକେ ଭାବନ୍ତୁ, ତୃତୀୟ ପକ୍ଷ ଦ୍ବାରା ଚୁକ୍ତି ଭିକ୍ତିକ ଯୁବକ ଯୁବତୀଙ୍କୁ ସ୍ଥାୟୀ କରାନ୍ତୁ, ତଥା ଦେଶର ସ୍ୱାର୍ଥ ପାଇଁ ନୂତନ ନିଯୁକ୍ତି ସୃଷ୍ଟି କରନ୍ତୁ ଏହାହିଁ କତୃପକ୍ଷ ଙ୍କ ନିକଟରେ ପ୍ରାର୍ଥନା ।
ଜୟହିନ୍ଦ !
ସମ୍ମାନସହ ,
ବିଷ୍ଣୁ ପ୍ରସାଦ ଦାସ
ବରିଷ୍ଠ ନାଗରିକ
ସ୍ନେହ କୁଟୀର