ହାଟଡିହି ମନ ମହୁଛି ହଦଗଡ଼। । ପର୍ଯ୍ୟଟନ ଋତୁରେ ରାଜ୍ୟର କୋଣ ଅନୁକୋଣରୁ ହଦଗଡରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶରେ ପିକନିକ୍ ର ଖୁବ୍ ମଜା ଉଠାଉଛନ୍ତି ପର୍ଯ୍ୟଟକ । ଆଜି ବୁଲିଯିବା କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହଦଗଡ ଡ୍ୟାମ୍ ।କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ହଦଗଡ ଡ୍ୟାମ୍ । ଆନନ୍ଦପୁରରୁ ଭଦ୍ରକ ଯିବା ରାସ୍ତାର ଛେନାପଦୀ ଛକରୁ ବାମପଟେ ୧୮କିଲୋମିଟର ଦୂରରେ ପଡେ ହଦଗଡ ଡ୍ୟାମ୍ । କଟକରୁ ହଦଗଡ ଡ୍ୟାମର ଦୂରତା ହେଉଛି ୧୪୩ କିଲୋମିଟର । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏହି ହଦଗଡ ଡ୍ୟାମ୍ । ଦୂର ଦିଗବଳୟ ଯାଏ ଲମ୍ବିଯାଇଛି ଏହାର ଜଳରାଶି । ହୁଲି ଡଙ୍ଗା ସହିତ ନଦୀମଝିରେ ଟାପୁର ଦୃଶ୍ୟ ମନରେ ଆଣିଦିଏ ଏକ ଅଭୂଲା ସ୍ମୃତି । ଉଚ୍ଚରୁ ଖସୁଥିବା ଶୁଭ୍ର ଜଳରାଶି ମନରେ ସୃଷ୍ଟିକରେ ଝରଣାର ଭ୍ରମ ।ଘନ ସବୁଜ ବନାନୀ,ନଭଶ୍ଚୁମ୍ଭୀ ପାହାଡ, ଆଖି ଝଲସିଯିବା ପରି ଜଳଧାରା ।ଦୁଇଟି ପାହାଡକୁ ସଂଯୋଗ କରି ସାଳନ୍ଦୀ ନଦୀରେ ୧୯୭୬ମସିହାରେ ଆରମ୍ଭ ହୋଇଥିଲା ହଦଗଡ ନଦୀବନ୍ଧ ଯୋଜନା । ଏହି ମେଗା ଜଳସେଚନ ପ୍ରକଳ୍ପ ଦ୍ବାରା କେନ୍ଦୁଝର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଚାଷୀଙ୍କର ୨୬୭ହଜାର ଏକର ପରିମିତ ଚାଷ ଜମି ଜଳସେଚିତ ହୋଇ ପାରିଥିଲା । ନଦୀବନ୍ଧ ସହ ଏହାର ପ୍ରାକୃତିକ ପରିବେଶରେ ଆକୃଷ୍ଟ ହୋଇ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପିକନିକ୍ ଋତୁରେ ଏବେଠାରୁ ହଦଗଡ ଡ୍ୟାମ୍ ର ପ୍ରାକୃତିକ ପରିବେଶରେ ନାଚଗୀତ କରି ପିକନିକର ମଜା ଉଠାଉଛନ୍ତି ପର୍ଯ୍ୟଟକ ।ଏସବୁର ମଜା ପର୍ଯ୍ୟଟକଙ୍କ ମନକୁ କ୍ଷଣିକ ରେ ମୋହି ନିଏ । ସେହି ପରି ଏବର୍ଷ ମଧ୍ୟ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ। ଭିଡ କୁ ଦେଖି ଗାଁ ପିଲାଙ୍କ ଉଦ୍ୟମ ରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ପିଇବା ପାଣି ସମସ୍ୟା ସମାଧାନ ଉପରେ ପ୍ରଶାସନ କୁ ପର୍ଯ୍ୟଟକ ଦୃଷ୍ଟି ଆକର୍ଷଣ କରିଛନ୍ତି।