ଭୁବନେଶ୍ୱର : ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟରୁ ସମ୍ପଦ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସଫଳତା ମିଳିବାରେ ଲାଗିଛି । ସଂଗୃହୀତ ବର୍ଜ୍ୟରୁ ଖତ ପ୍ରସ୍ତୁତ କରି ୬ କୋଟିରୁ ଅଧିକ ଟଙ୍କା ଆୟ କରିଥିବାବେଳେ ଅନ୍ୟାନ୍ୟ ପ୍ରକ୍ରିୟାକରଣ ସାମଗ୍ରୀ ବିକ୍ରିକରି ୨କୋଟି ଟଙ୍କା ପାଇଥିବା ଜଣାଯାଇଛି ।
ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶାର ଲକ୍ଷ୍ୟ ନେଇ ରାଜ୍ୟର ସମସ୍ତ ପୌରାଞ୍ଚଳକୁ ସ୍ୱଚ୍ଛ ରଖିବା ସହିତ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେବା ସହିତ ସମସ୍ତ ସହରାଞ୍ଚଳରେ ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ ନିଶ୍ଚିତ କରିଛି । ସୂଚନା ଅନୁଯାୟୀ ରାଜ୍ୟର ୧୧୪ଟି ପୌରାଞ୍ଚଳରୁ ଦୈନିକ ୧୧୫୫ ଟନ୍ ଓଦା ବର୍ଜ୍ୟ ବାହାରୁଥିବାବେଳେ ୧୧୦୨ ଟନ୍ ଶୁଖିଲା ବର୍ଜ୍ୟ ବାହାରୁଛି । ଏଠାରେ ଉଲ୍ଲେଖନୀୟ ପୌରାଞ୍ଚଳରେ ଏହି ବର୍ଜ୍ୟ ସଂଗ୍ରହ ପାଇଁ ବୁଲୁଥିବା ଯାନ ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ କରୁଥିବାବେଳେ ଲୋକଙ୍କୁ ଓଦା ଓ ଶୁଖିଲା ବର୍ଜ୍ୟ ଅଲଗା ଅଲଗା କରି ଦେବାପାଇଁ କୁହାଯାଇଛି ।
ଏହିସବୁ ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ପୌରାଞ୍ଚଳଗୁଡିକରେ ୨୫୫ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ରହିଛି । ଏଠାରେ ସଂଗୃହୀତ ବର୍ଜ୍ୟ ପହଞ୍ଚିବା ପରେ ତାହାକୁ ପୃଥକ କରାଯିବା ସହିତ ସେଥିରୁ ଖତ ପ୍ରସ୍ତୁତ ହେଉଛି । ଏହି ଖତକୁ ବିଭାଗ ପକ୍ଷରୁ ‘ମୋ ଖତ’ ନାମରେ ବିକ୍ରି କରାଯାଉଛି । ବର୍ତ୍ତମାନ ସୁଦ୍ଧା ୭ହଜାର ମେଟ୍ରିକ ଟନ୍ରୁ ଅଧିକ ମୋ ଖତ ବିକ୍ରିକରି ସରକାର ୬କୋଟି ଟଙ୍କାରୁ ଅଧିକ ଅର୍ଥ ଆୟ କରିପାରିଛନ୍ତି । ପୌରାଞ୍ଚଳରେ ଏମ୍ସିସିର ଆବଶ୍ୟକତାକୁ ଦୃଷ୍ଟିରେ ଆଉ ୩୦ଟି ଅତିରିକ୍ତ ଏମ୍ସିସି ନିର୍ମାଣ ହେଉଥିବା ସୂଚନା ମିଳିଛି ।
ସେହିଭଳି ଶୁଖିଲା ବର୍ଜ୍ୟ ବସ୍ତୁରୁ ବିଭିନ୍ନ ପ୍ରକାର ସାମଗ୍ରୀ ସଂଗ୍ରହ ପାଇଁ ୧୧୪ଟି ପୌରାଞ୍ଚଳରେ ୨୧୯ଟି ମେଟେରିଆଲ ରିକଭରୀ ଫାସିଲିଟି (ଏମ୍ଆରଏଫ୍) ନିର୍ମାଣ କରାଯାଇଛି । ଘରକୁ ଘର ବୁଲି ସଂଗ୍ରହ ହେଉଥିବା ଶୁଖିଲା ବର୍ଜ୍ୟ ଏଠାରେ ପହଞ୍ଚିବା ପରେ ଅତ୍ୟାଧୁନିକ ପଦ୍ଧତିରେ ସେଥିରୁ ବିଭିନ୍ନ ସାମଗ୍ରୀକୁ ପୃଥକ କରାଯାଉଛି । ଏହି କେନ୍ଦ୍ରରୁ ବାହାରିଥିବା ୪୮୦୦ ଟନ୍ର ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରିକରି ସରକାର ୨କୋଟି ଟଙ୍କାରୁ ଅଧିକ ଅର୍ଥ ଆୟ କରିସାରିଲେଣି ।
ତେବେ ସହରାଞ୍ଚଳରେ ଏହି କାର୍ଯ୍ୟକୁ ସୁନିୟନ୍ତ୍ରିତ ଭାବେ ପରିଚାଳନା କରିବାପାଇଁ ‘ସ୍ୱଚ୍ଛ ସହର ଓଡିଶା’ ନାମରେ ୱେବ ଆପ୍ଲିକେଶନ ଏବଂ ‘ଆମ ସହର’ ମୋବାଇଲ ଆପ୍ଲିକେଶନ ପ୍ରସ୍ତୁତ ହୋଇଛି । ଏହା ଜରିଆରେ ସହରବାସୀ ସହଜରେ ସେମାନଙ୍କ ବର୍ଜ୍ୟ ହସ୍ତାନ୍ତର କରିପାରୁଛନ୍ତି । ଏଥି ସହିତ ଏହିସବୁ କାର୍ଯ୍ୟରେ ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ନିୟୋଜିତ କରାଯାଇଛି । ୧୧୫ଟି ପୌରାଞ୍ଚଳରେ ୩୦୩୯ ମିଶନ ଶକ୍ତି ଗୋଷ୍ଠିଙ୍କୁ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏଥି ସହିତ ୨୯୩୫ ସ୍ୱଚ୍ଛକର୍ମୀ, ୨୦୫୦ ସ୍ୱଚ୍ଛସାଥି, ୪୬୭ ସ୍ୱଚ୍ଛ ସୁପରଭାଇଜର, ୩୭ଟି କିନ୍ନର ଗୋଷ୍ଠିର ୧୩୬ଜଣ ସଦସ୍ୟ, ୭୬୪ଜଣ ବର୍ଜ୍ୟ ସଂଗ୍ରହକାରୀ ମୁତୟନ ହୋଇଛନ୍ତି ।
ସେହିଭଳି ସହରାଞ୍ଚଳରେ ବର୍ଜ୍ୟ ସଂଗ୍ରହ ସହିତ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୧୪ଟି ପୌରାଞ୍ଚଳରେ ୧୧୩୯ ବ୍ୟାଟେରୀଚାଳିତ ଯାନ ମୁତୟନ କରାଯାଇଛି । ଏହିସବୁ ଯାନକୁ ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ କାର୍ଯ୍ୟରେ ମୁତୟନ କରାଯାଇଛି । ରାଜ୍ୟର ସମସ୍ତ ପୌରାଞ୍ଚଳରେ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ୱଛ ଓଡିଶା ସୁସ୍ଥ ଓଡିଶା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାଥନନ ବିଭିନ୍ନ ସମ୍ପଦ କେନ୍ଦ୍ର ବୁଲି ବୁଲି ଅନୁଧ୍ୟାନ କରିବା ସହିତ ସ୍ୱଚ୍ଛସାଥୀଙ୍କ ମନୋବଳ ବଢାଉଥିବା ଲକ୍ଷ୍ୟ କରାଯାଇଛି ।