ପ୍ରେସ୍କ୍ରିପ୍ସନ୍କୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଦେଖାଯାଇଥାଏ। କାରଣ ସେମାନଙ୍କ ହାତ ଲେଖାକୁ କେହି ଠିକ୍ରେ ପଢ଼ି ପାରନ୍ତି ନାହିଁ। ଏହାକୁ ନେଇ ଆଜି ଉଦ୍ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ। ପ୍ରେସ୍କ୍ରିପ୍ସନ୍ ଓ ଅନ୍ୟାନ୍ୟ ରିପୋର୍ଟ ଗୋଡ଼ିକୁ ସ୍ପଷ୍ଟଭାବେ ବା କେପିଟାଲ୍ ଅକ୍ଷରରେ(ସମସ୍ତେ ପଢ଼ି ପାରୁଥିଲା ପରି ଅକ୍ଷରରେ) ଲେଖିବାକୁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିବାକୁ କୋର୍ଟ କହିଛନ୍ତି। ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ୍ ସମ୍ବନ୍ଧୀୟ (ମେଡିକୋ-ଲିଗାଲ) ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ବା ଟାଇପ୍ ପଦ୍ଧତିରେ ଲେଖିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ତେବେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିନାହାନ୍ତି କୋର୍ଟ।