ଗାଁଠୁ ସହର ବୁଲୁଛି ରଥ

ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ମାଳ ମାଳ ରଥ ବୁଲୁଛି । ଏଥିରେ ସରକାରୀ ରଥ ଠାରୁ ଆରମ୍ଭ କରି ଧାର୍ମିକ ରଥ ପର୍ଯ୍ୟନ୍ତ ରହିଛି । କିଏ ଲୋକଙ୍କୁ ସରକାରୀ ଯୋଜନା ସଂକ୍ରାନ୍ତରେ ସଚେତନ କରୁଛି ତ ଆଉ କିଏ ଗୁଆ, ଚାଉଳ ସଂଗ୍ରହ ସହିତ ଅକ୍ଷତ ବାଣ୍ଟିବାରେ ଲାଗିଛି ।

ସମଗ୍ର ରାଜ୍ୟରେ ଏବେ ଦଶ ପ୍ରକାରରୁ ଉର୍ଦ୍ଧ୍ୱ ରଥ ପରିକ୍ରମା କରୁଛି । ଏଥିରେ ସବୁଠାରୁ ପୁରୁଣା ରଥ ହେଉଛି ବିକଶିତ ଭାରତ ସଙ୍କଳ୍ପ ରଥ । ଏହି ରଥ ଲୋକଙ୍କ କେନ୍ଦ୍ର ସରକାରଙ୍କ ଯୋଜନା ସଂକ୍ରାନ୍ତରେ ଅବଗତ କରିବାପାଇଁ ଗାଁ ଠୁ ସହର ପର୍ଯ୍ୟନ୍ତ ପରିକ୍ରମା କରୁଛି । ବିଭିନ୍ନ ସ୍ଥାନରେ କ୍ୟାମ୍ପ ଆୟୋଜନ ହେଉଥିବାବେଳେ କେନ୍ଦ୍ର ମନ୍ତ୍ରୀ, ସାଂସଦ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏଥିରେ ସାମିଲ ହେଉଛନ୍ତି । ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ ନଭେମ୍ବର ୧୫ ତାରିଖରେ ଝାଡଖଣ୍ଡ ଠାରେ କରିଥିଲେ । ଏହି ରଥ ଯେଉଁ ଯେଉଁ ଅଞ୍ଚଳରେ ପରିକ୍ରମା କରୁଛି ସେଠାରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ଏଥିରେ ସାମିଲ ପାଇଁ ଅବଗତ କରାଯାଉଛି । ତେବେ ନିକଟରେ ଭଦ୍ରକ ଜିଲ୍ଲାର ଧାମନଗର ଓ କଟକ ସହରରେ ଏହି ରଥ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଛି ।

ଏହା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଏବେ ସମଗ୍ର ରାଜ୍ୟରେ ରଥ ବୁଲୁଛି । ଗାଁ ଠୁ ସହର ପର୍ଯ୍ୟନ୍ତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଲୋକଙ୍କ ଠାରୁ ଗୁଆ, ଅରୁଆଚାଉଳ ସଂଗ୍ରହ କରୁଥିବା ଏହି ରଥର ନାମ ଭିନ୍ନ ଭିନ୍ନ ରହିଛି । କେଉଁଠି ଏହାର ନାମ ଅର୍ପଣ ରଥ ତ ଆଉ କେଉଁଠି ଶ୍ରୀମନ୍ଦିର ପ୍ରକଳ୍ପ ରଥ ଓ ଜୟ ଜନ୍ନାଥ ରଥ ନାମରେ ଏହା ରାଜ୍ୟ ପରିକ୍ରମା କରୁଛି । ସମଗ୍ର ରାଜ୍ୟରେ ଏବେ ଶହ ଶହ ସଂଖ୍ୟାରେ ରହି ରଥ ବୁଲୁଛି ।

ସେହିଭଳି ଆଗାମୀ ୨୨ ତାରିଖରେ ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଏହାର ପ୍ରଚାର ପ୍ରସାର ସହିତ ଲୋକଙ୍କୁ ବାର୍ତ୍ତା ଦେବାପାଇଁ ରାଜ୍ୟରେ ଅକ୍ଷତ ରଥ ପରିକ୍ରମା କରୁଛି । ଏହା ବାଦ୍‍ ରାଜ୍ୟର କେତେକ ସ୍ଥାନରେ ଏବେ ସ୍ୱଚ୍ଛ ଭାରତ ରଥ ପରିକ୍ରମା କରି ଲୋକଙ୍କୁ ସ୍ୱଚ୍ଛତା ସଂକ୍ରାନ୍ତରେ ସଚେତନ କରିବାରେ ଲାଗିଛି । ସେହିଭଳି ରାଜ୍ୟରେ ଦୁର୍ଘଟଣା ହ୍ରାସ ପାଇଁ ଏବେ ବିଭିନ୍ନ ଅଞ୍ଚଳରେ ସଡକ ସୁରକ୍ଷା ରଥ ପରିକ୍ରମା କରୁଛି । ଏହି ରଥ ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଲୋକଙ୍କୁ ଟ୍ରାଫିକ ସଂକ୍ରାନ୍ତରେ ସଚେତନ କରିବାରେ ଲାଗିଛି । ସେହିଭଳି ନିକଟରେ ରାଜ୍ୟ ସରକାର ଆରମ୍ଭ କରିଥିବା ବିଏସ୍‍କେୱାଇ-ନବୀନ କାର୍ଡ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ଗାଁ ଗହଳରେ ଏବେ ବିଏସ୍‍କେୱା-ନବୀନ ରଥ ବୁଲିବା ଆରମ୍ଭ କରିଛି । ଆଗାମୀ ୧୬ତାରିଖ ପର୍ଯ୍ୟନ୍ତ ଏହି କାର୍ଡ ପଞ୍ଜିକରଣ ହେବାକୁ ଥିବାରୁ ସେହି ସମୟ ପର୍ଯ୍ୟନ୍ତ ରାଜ୍ୟରେ ଏହି ରଥ ବୁଲିବ ।

କାଶୀନଗର ଅଞ୍ଚଳରେ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ରଥ ପରିକ୍ରମା କରୁଥିବାବେଳେ କେନ୍ଦ୍ରାପଡାରେ ଗୋଟିଏ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରାମରଥ ପରିକ୍ରମା କରାଯାଉଛି । ଉଭୟ ରଥ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତାଧାରା ବାଣ୍ଟିବାରେ ଲାଗିଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସାଧାରଣ ଲୋକଙ୍କୁ ବିଭିନ୍ନ ରଥ ସହିତ ଯୋଡିବାପାଇଁ ଆୟୋଜକମାନେ ପୂରା ଦମ୍‍ରେ ଲାଗିପଡିଛନ୍ତି । ବିଶେଷକରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର କରୁଥିବା ରଥ ସହିତ ଯେଭଳି ଅଧିକ ଲୋକ ଯୋଡିହେବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । 

Leave A Reply

Your email address will not be published.