ଭୁବନେଶ୍ୱର : କେନ୍ଦ୍ର ସରକାର କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରକୁ ଯୋଗାଇ ଦେଇଥିବା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ବସ୍ଟି ଏବେ ପଡି ପଡି ଖତ ହେବାରେ ଲାଗିଛି । କରୋନା ସମୟରୁ ଏହା ଅଚଳ ହୋଇ ପଡିଛି ।
ପ୍ରାୟ ଦଶ ବର୍ଷ ତଳେ ରକ୍ତସଂଗ୍ରହ କାର୍ଯ୍ୟକୁ ସହଜ କରିବାପାଇଁ କେନ୍ଦ୍ର ସରକାର ଗୋଟିଏ ବଡ ବସ୍ ପ୍ରଦାନ କରିଥିଲେ । ଛଅ ଶଯ୍ୟା ବିଶିଷ୍ଟ ଏହି ବସ୍ଟି ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିଲା । ଶୀତତାପ ନିୟନ୍ତ୍ରିତ ଏହି ଯାନରେ ରକ୍ତ ସଂଗ୍ରହ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାବେଳେ ଏକ କାଳୀନ ଛଅ ଜଣ ରକ୍ତଦାତା ଏହି ଯାନରେ ରକ୍ତ ଦେଇ ପାରୁଥିଲେ ।
ହେଲେ କରୋନା ସମୟରେ ରକ୍ତ ସଂଗ୍ରହ ଏକ ପ୍ରକାର ବନ୍ଦ ରହିବା ସହିତ ଏହି ଯାନଟି ଆଉ ଚଳାଚଳ କରିନଥିଲା । କିଛି ଦିନ ଅଚଳ ହୋଇ ରହିବାପରେ ତାହାକୁ ମରାମତି ପାଇଁ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଥିଲେ । ସେଥିପାଇଁ ଯାନର ନିର୍ମାତା କମ୍ପାନୀକୁ ଅବଗତ କରାଯାଇଥିଲା । ଚଣ୍ଡିଗଡ ଠାରେ ଥିବା ଏହାର ନିର୍ମାଣକାରୀ ସଂସ୍ଥା ଯାନଟିକୁ ନେଇ ରାଜ୍ୟ ବାହାରେ ମରାମତି କରିଥିଲା । ଏ ବାବଦରେ ୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଥିଲା ।
ତେବେ ଯାନ ମରାମତି ପରେ ଏହା ଆଉ କାର୍ଯ୍ୟ କରିନଥିଲା । ଏବେ ବି କ୍ୟାପିଟାଲ ରକ୍ତଭଣ୍ଡାର ପରିସରରେ ଏହା ଛିଡା ହୋଇ ରହିଛି । ଏହି ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନଟି ଉପରେ ପରସ୍ତ ପରସ୍ତ ଧୂଳି ଜମିଥିବାବେଳେ ଆଉ ଏହା ପଦାକୁ ବାହାରିବା ସମ୍ଭବପର ନୁହେଁ । ତେଣୁ ରକ୍ତଭଣ୍ଡାର ପରିସରରେ ଥିବା ଏହି ବିଶାଳକାୟ ଯାନକୁ ତୁରନ୍ତ ଏଠାରୁ ହଟାଇ ଦିଆଗଲେ ସେହି ସ୍ଥାନରେ ଅନ୍ୟାନ୍ୟ ଯାନବାହାନ ରହିବ ବୋଲି କର୍ମଚାରୀମାନେ ମତ ଦେଉଛନ୍ତି ।
ତେବେ ପୂର୍ବଭଳି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ କାର୍ଯ୍ୟ ଜାରି ରଖିବାପାଇଁ ରକ୍ତଭଣ୍ଡାର କର୍ତ୍ତୃପକ୍ଷ ଏବେ ଆଉ ଗୋଟିଏ ନୂଆ ଯାନ ପାଇବା ପାଇଁ ଓଡିଶା ଖଣି ନିଗମ ସହିତ ଯୋଗାଯୋଗରେ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଖଣି ନିଗମ ମଧ୍ୟ ଏଥି ପ୍ରତି ରାଜିଥିବା ସୂଚନା ମିଳିଛି । ନିଗମ କର୍ତ୍ତୃପକ୍ଷ ଚୂଡାନ୍ତ ନିଷ୍ପତ୍ତି ନେଲେ ଦୁଇ ଶଯ୍ୟା ବିଶିଷ୍ଟ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନଟି ଆଣିବାକୁ ରକ୍ତଭଣ୍ଡାର କର୍ତ୍ତୃୃପକ୍ଷ ଆଗ୍ରହୀ ଥିବା ଜଣାଯାଇଛି । ରକ୍ତସଂଗ୍ରହ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କହିବା କଥା ଯେ ଦୁଇ ଶଯ୍ୟା ବିଶିଷ୍ଟ ଛୋଟ ଯାନ ହେଲେ ତାହାକୁ ସହଜରେ ସ୍ୱଳ୍ପ ଖର୍ଚ୍ଚରେ ବିଭିନ୍ନ ସ୍ଥାନକୁ ନିଆଯାଇ ପାରିବ ।
ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଯୋଗାଇଥିବା ଅତ୍ୟାଧୁନିକ ରକ୍ତସଂଗ୍ରହ ବସ୍ଟି କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ରକ୍ତ ସଂଗ୍ରହ କରିଥିଲା । ଏପରିକି ରାଜଧାନୀରେ ଚାଲିଥିବା ରାହାଗିରି ସମୟରେ ଏହା ସେଠାରେ ପହଞ୍ଚି ଆଗ୍ରହୀ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରୁଥିଲା । କିନ୍ତୁ ବର୍ତ୍ତମାନ ଏହି ଯାନଟି ଅଚଳ ହୋଇ ପଡିଥିବାରୁ ପୂର୍ବଭଳି ବିଭିନ୍ନ ସ୍ଥାନକୁ ଯାଇ ରକ୍ତସଂଗ୍ରହ କରିବା ସମ୍ଭବପର ହୋଇପାରୁ ନାହିଁ ।