ସରକାରୀ ଆଇନ୍‍ କଲେଜରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି

ଭୁବନେଶ୍ୱର : ଭାରତୀୟ ବାର୍‍ କାଉନସିଲର ବିନା ସ୍ୱୀକୃତିରେ ଓଡିଶାରେ ବହୁ ଆଇନ୍‍ କଲେଜ ଚାଲିଛି । ଏଥିରୁ ଅଧିକାଂଶ ସରକାରୀ ଆଇନ୍‍ କଲେଜରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ଏହି କଲେଜଗୁଡିକରେ ତିନି ବର୍ଷିଆ ଓ ପାଞ୍ଚ ବର୍ଷିଆ ଆଇନ୍‍ ପାଠ୍ୟକ୍ରମ ପଢାଯାଉଥିବାବେଳେ ଦୁଇ ତିନି ଜଣ ନିୟମିତ ଶିକ୍ଷକରେ ଏହି କଲେଜଗୁଡିକ କିଭଳି ଗୁଣାତ୍ମକ ଆଇନ୍‍ ଶିକ୍ଷା ପ୍ରଦାନ କରୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବର୍ଷ ବର୍ଷ ଧରି ଖୋଦ୍‍ ରାଜଧାନୀରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ୍‍ କଲେଜର ବାର୍‍ କାଉନସିଲ୍‍ ମାନ୍ୟତା ନାହିଁ । ଫଳରେ ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଓକିଲାତି ପାଇଁ ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇପାରୁ ନାହାନ୍ତି । ବାର୍‍ କାଉନସିଲ୍‍ ଦେଇଥିବା ସର୍ତ୍ତ ପୂରଣ ନହେଲେ ଏଠାରେ ନାମାଙ୍କନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଥିଲେ ବି ତାହାର ଅବମାନନା କରାଯାଉଥିବା କୁହାଯାଉଛି । ବିଶ୍ୱବିଦ୍ୟାଳୟ ଆଇନ୍‍ କଲେଜର ଦୁଇଜଣ ଅଧ୍ୟାପକ ମଧୂସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟରେ ପାଠ ପଢାଉଛନ୍ତି । ସେମାନଙ୍କୁ ଏଠାକୁ ଫେରାଇ ଅଣାଯାଇ ପାରୁନାହିଁ । ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟରେ ବି ଅଧ୍ୟାପକ ମରୁଡି ଲାଗି ରହିଛି ।

ନିକଟରେ ଜିଲ୍ଲା ଜଜ୍‍ ପାହ୍ୟାରେ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ୩୧ଟି ପଦବୀ ପାଇଁ ମାତ୍ର ଜଣେ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ଘଟଣାରୁ ଏହା ପଦାକୁ ଆସିଛି । ଅନ୍ୟ ପକ୍ଷରେ ରାଜ୍ୟର ଆଇନ୍‍ ଅଦାଲତଗୁଡିକରେ ମାମଲା ସଂଖ୍ୟା ହୁ ହୁ ହୋଇ ବଢୁଛି । ହାଇକୋର୍ଟରେ ରୁଜୁ ମାମଲା ତୁଳନାରେ ଫଏସଲା ମାମଲା ସଂଖ୍ୟା ଅଧିକ ରହୁଥିବାବେଳେ ନିମ୍ନ ଅଦାଲତଗୁଡିକରେ କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ।

କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟର ସର୍ବଶେଷ ତଥ୍ୟ ମୁତାବକ ଓଡିଶାର ଆଇନ୍‍ ଅଦାଲତଗୁଡିକରେ ଅପରାଧିକ ମାମଲା ଫଏସଲା ସଂଖ୍ୟା ଅତ୍ୟନ୍ତ ନୈରାଶ୍ୟଜନକ । ଏଥିଯୋଗୁଁ ଅପରାଧ ବଢିବା ସଂଗେ ସଂଗେ ଜନସାଧାରଣଙ୍କ ଧନଜୀବନ ବିପନ୍ନ ହେଉଛି ।

ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ଉପରେ ଗୁରୁତ୍ୱଆରୋପ କରି ଆସୁଛନ୍ତି । କେନ୍ଦ୍ର ସରକାର ବି ମହିଳା ସଶକ୍ତିକରଣ କଥା କହୁଛନ୍ତି । ଅଥଚ ଏହି ରିପୋର୍ଟର ତଥ୍ୟ ମୁତାବକ ଓଡିଶାରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ଫଏସଲା ହାର ବାର୍ଷିକ ମାତ୍ର ୪.୨ ପ୍ରତିଶତ ଥିବାବେଳେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଫଏସଲା ହାର ରହିଛି ୪.୪ ପ୍ରତିଶତ । ସେହିଭଳି ଆମ ରାଜ୍ୟରେ ଆର୍ଥିକ ଅପରାଧ ମାମଲାରେ ଫଏସଲା ହାର ମାତ୍ର ୧.୨ ପ୍ରତିଶତ ଥିବାବେଳେ ଦୁର୍ନୀତି ନିବାରଣ ମାମଲାରେ ବି ଏହା ୬.୪ ପ୍ରତିଶତରେ ସୀମିତ ।

କେବଳ ସେତିକି ନୁହେଁ, ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଦଫାରେ ବିଚାରାଧିନ ଥିବା ଅପରାଧିକ ମାମଲାଗୁଡିକ ଭିତରୁ ଓଡିଶାରେ ବାର୍ଷିକ ମାତ୍ର ୩.୨ ପ୍ରତିଶତ ହେଉଥିବାବେଳେ ବିଭିନ୍ନ ସ୍ୱତନ୍ତ୍ର ଆଇନ୍‍ ଆଧାରରେ ଅପରାଧ ନିୟନ୍ତ୍ରଣ ପାଇଁ ହୋଇଥିବା ଆଇନ୍‍ ଅନୁଯାୟୀ ରୁଜୁ ମାମଲାର ଫଏସଲା ହାର ୫ ପ୍ରତିଶତରେ ସୀମିତ । ବରିଷ୍ଠ ନାଗରିକଙ୍କୁ ସମସ୍ତ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ଅଥଚ ଏହି ରିପୋର୍ଟର ତଥ୍ୟ ମୁତାବକ ବରିଷ୍ଠ ନାଗରିକଙ୍କ ପ୍ରତି ହେଉଥିବା ଅପରାଧିକ ଘଟଣାର ଗୋଟିଏ ହେଲେ ମାମଲା ଉକ୍ତ ବର୍ଷରେ ଫଏସଲା ହୋଇନାହିଁ । ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ଘଟୁଥିବା ଅତ୍ୟାଚାର ମାମଲାରେ ବାର୍ଷିକ ଫଏସଲା ହାର ବି ଆମ ରାଜ୍ୟରେ ୨ ପ୍ରତିଶତରୁ କମ୍‍ ରହୁଛି । ଏ ପରିପ୍ରେକ୍ଷୀରେ ଅଦାଲତ ଓ ବିଚାରପତିଙ୍କ ସଂଖ୍ୟା ଦଶଗୁଣ ନବଢିଲେ ବାକିଆ ମାମଲାଗୁଡିକର ୧୦ବର୍ଷରେ ବି ଫଏସଲା ସରିବ ନାହିଁ ।

Leave A Reply

Your email address will not be published.