ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଶ୍ୟାମପୁର ମୌଜାରେ ସରକାରୀ ଜମି ଜବରଦଖଲକୁ ରୋକିବାପାଇଁ ବିଡିଏ ପକ୍ଷରୁ ଜବରଦଖଲକାରୀଙ୍କୁ ବିଜୁଳି ସଂଯୋଗ ନଦେବାକୁ ଚିଠି ଲେଖାଯିବାବାପରେ ଏବେ ବିଜୁଳି ଯୋଗାଣକାରୀ ସଂସ୍ଥାର ଗୁମର ଖୋଲିବାରେ ଲାଗିଛି । ରାଜଧାନୀରେ ବେଆଇନ୍ ବସ୍ତି ନିର୍ମାଣ ଓ ଜମି ଜବରଦଖଲ ବୃଦ୍ଧି କ୍ଷେତ୍ରରେ ବେଆଇନ୍ ବିଜୁଳି ସଂଯୋଗ ଅନ୍ୟତମ ପ୍ରମୁଖ କାରଣ ବୋଲି ଅନୁଭୂତ ହେଲାଣି ।
ସରକାରୀ ତାଲିକା ଅନୁଯାୟୀ ରାଜଧାନୀରେ ରହିଛି ୪୩୨ଟି ବସ୍ତି । ହେଲେ ବାସ୍ତବରେ ଏହା ହଜାରେକୁ ଟପି ଗଲାଣି । ଯିଏ ଯେଉଁଠି ପାରିଲା ରାତାରାତି ଜମି ଜବରଦଖଲ କରି ବସ୍ତି ନିର୍ମାଣ କରୁଛି । ଜମି ଜବରଦଖଲ ପରେ ପରେ ସେଠାରେ ତତ୍କାଳ ଘର ନିର୍ମାଣ ହେଉଛି । ପରେ ଏହି ବେଆଇନ୍ ନିର୍ମାଣକୁ ବିଜୁଳି ସଂଯୋଗ ଦିଆଯାଉଛି । ବଣ୍ଟନକାରୀ କମ୍ପାନୀ ଆଗପଛ ନଦେଖି ବିଜୁଳି ସଂଯୋଗ ଦେବା ଫଳରେ ସେଠାରେ ଲୋକେ ସହଜରେ ରହି ଯାଉଛନ୍ତି ।
ସହରାଞ୍ଚଳରେ କେବଳ ବସ୍ତିଗୁଡିକୁ ବିଜୁଳି ସଂଯୋଗ ଦେବାପାଇଁ ବ୍ୟବସ୍ଥା ଥିବାବେଳେ ରାଜଧାନୀରେ କିନ୍ତୁ ରାସ୍ତାପାଶ୍ୱର୍ ଜମି, କନଜରଭେନ୍ସି ଆଦି ସ୍ଥାନରେ ଗଢି ଉଠୁଥିବା ବେଆଇନ୍ ଘର ଏପରିକି ରାସ୍ତା ଉପରେ ପକାଯାଉଥିବା କ୍ୟାବିନ୍କୁ ବି ବିଜୁଳି ସଂଯୋଗ ମିଳିଯାଉଛି । ବିଜୁଳି ବିଭାଗ ରାଜସ୍ୱ ବୃଦ୍ଧି ପାଇଁ ଏଭଳି ଆଖିବୁଜା ବିଜୁଳି ସଂଯୋଗ ଦେଉଥିବାବେଳେ ଟିପିସିଓଡିଏଲ୍ର ସ୍ଥାନୀୟ କର୍ମଚାରୀମାନଙ୍କର ଏ କ୍ଷେତ୍ରରେ ପ୍ରଚ୍ଛନ୍ନ ହାତ ରହୁଥିବା କୁହାଯାଉଛି ।
ସବୁଠାରୁ ବଡ କଥା ହେଉଛି ବିଡିଏ ଏବେ ବିଜୁଳି ବଣ୍ଟନକାରୀ କମ୍ପାନୀକୁ ପତ୍ର ଲେଖିଥିବାବେଳେ ପୂର୍ବରୁ ବିଏମ୍ସି ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟ ଏଭଳି ଚିଠି ଲେଖିଛନ୍ତି । ହେଲେ ବିଜୁଳି ବିଭାଗ କିମ୍ବା ଯୋଗାଣକାରୀ କମ୍ପାନୀ ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ରାଜଧାନୀରେ ଜବରଦଖଲ ବଢିବାରେ ଲାଗିଛି । ପୋଖରୀପୁଟ ଅଞ୍ଚଳର ଖଦିବୋର୍ଡର ପ୍ରାୟ ୨ଏକର ଜମିରେ ଗଢି ଉଠିଥିବା ବେଆଇନ୍ ବସ୍ତି ହେଉଛି ଏହାର ଏକ ବଡ ଉଦାହରଣ ।
କେବଳ ବିଜୁଳି ସଂଯୋଗ ନୁହେଁ ଏଭଳି ବେଆଇନ୍ ଘର ଓ ଜବରଦଖଲକାରୀଙ୍କୁ ରାଜଧାନୀରେ ତତ୍କାଳ ଜଳ ସଂଯୋଗ ବି ମିଳିଯାଉଛି । ୱାଟ୍କୋ କର୍ତ୍ତୃପକ୍ଷ ମଧ୍ୟ ଆଖିବୁଜି ସମସ୍ତଙ୍କୁ ଜଳ ସଂଯୋଗ ଦେଉଛନ୍ତି ଓ ସ୍ଥାନୀୟ କର୍ମଚାରୀମାନେ ଏଥିରେ ମୁଖ୍ୟ ପୁରୋଧା ସାଜିଛନ୍ତି ।
ଥରେ ଏହି ବେଆଇନ୍ ନିର୍ମାଣକୁ ବିଜୁଳି ଓ ଜଳ ସଂଯୋଗ ମିଳିଯିବା ପରେ ସେମାନେ ଆଉ ସ୍ଥାନ ଛାଡିବାକୁ ନାରାଜ । ଉଭୟ ସଂଯୋଗ ଥିବାରୁ ଉଚ୍ଛେଦକାରୀ ଦଳ ମଧ୍ୟ ସେମାନଙ୍କୁ ହଟାଇବାକୁ ସାହାସ କରିପାରୁ ନାହାନ୍ତି । ଏଥିଯୋଗୁଁ ଲୋକସେବା ଭବନ ଓ ରାଜଭବନ ଆଖପାଖରେ ଏବେ ରାସ୍ତାପାଶ୍ୱର୍ ଜମି, କନଜରଭେନ୍ସି ଜମି ଆଦି ଜବରଦଖଲ ହୋଇଯାଉଥିଲେ ମଧ୍ୟ କେହି କିଛି କରିପାରୁନଥିବା ଲକ୍ଷ୍ୟ କରାଯାଉଛି । ଏପରିକି ଏଭଳି ଜବରଦଖଲ ପାଇଁ ବିଏମ୍ସିର ଟାଇଲ୍ ବିଛା କାର୍ଯ୍ୟ ଅଧାରେ ଅଟକି ଗଲାଣି ।