ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବୁଗୁଡ଼ା ଅଞ୍ଚଳ ମୁଖରିତ 

ବୁଗୁଡ଼ା : ୨୨/୦୧/୨୪ : ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରତିଫଳନ ବୁଗୁଡ଼ା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଅବସରରେ ବୁଗୁଡା ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ହୋମଯଜ୍ଞ ଏବଂ ରଘୁନାଥ ମନ୍ଦିରରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରାତଃକାଳରରୁ ହିଁ ବିଭିନ୍ନ ମନ୍ଦିରକୁ ରାମଭକ୍ତଙ୍କ ସୁଅ ଛୁଟିଥିଲା  । ଗାଁ ଗାଁରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା ବେଳେ ଘରଗୁଡିକ ସମ୍ମୁଖରେ ଧୂପ,ଦୀପ ସହ ପୂର୍ଣ୍ଣ କୁମ୍ଭ ବଢାଯାଇଥିଲା । ଜୟ ଶ୍ରୀରାମ ନାରା ଦେଇ ମାଳ ମାଳ ଶୋଭାଯାତ୍ରା ବାହାରିଥିଲା । ବିଭିନ୍ନ ଗୋଷ୍ଠୀ ପକ୍ଷରୁ ସ୍ଥାନେ ସ୍ଥାନେ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଥିଲା । ସାନ୍ଧ୍ୟ କାଳରେ ସହରାଞ୍ଚଳଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଲୋକେ ଘର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଭକ୍ତିଭାବ ଓ ଆବେଗର ସହ ଦିପୋତ୍ସବ ପାଳନ କରିଥିଲେ । ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିରଠାରୁ ବିରାଟ ଶୋଭାଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ରାମ-ଲକ୍ଷ୍ମଣ-ସୀତା-ହନୁମାନ ବେଶ ପଟୁଆରରେ ବାହାରି ସହର ପରିକ୍ରମା କରିଥିଲା ବେଳେ ଜୟ ଶ୍ରୀରାମ ଧ୍ବନି ଓ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ।

Leave A Reply

Your email address will not be published.