ଶିଳାନ୍ୟାସ ଉତ୍ସବରେ ବିଜେଡି,ବିଜେପି କର୍ମୀ ମୁହାଁମୁହିଁ

ଧାମନଗର,; ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବୁଧବାର ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଏକାଧିକ ପ୍ରକଳ୍ପ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଶିଳାନ୍ୟାସ ଉତ୍ସବ ପାଇଁ ଏକପ୍ରକାର ପ୍ରତିଯୋଗିତା ପରିବେଶ ସ୍ରୁଷ୍ଟି ହୋଇଥିଲା ବେଳେ ସବୁଠି ବିଜେଡ଼ି ଏବଂ ବିଜେପିର କର୍ମୀମାନେ ମୁହାଁମୁହିଁ ହେବା ଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ଆଜି ଧାମନଗର ବ୍ଲକର ପନ୍ଦରବାଟିଆ-ଗାନ୍ଧୀଘାଟ-ସାଅଁଳପୁର ସଡ଼କ,ଓଲଟପୁର-ବାହାରବିଲ-ପଣ୍ଡାପାଟଣା ସଡକ,ହସନାବାଦ-ବାଲିପାଟଣା ସଡକ,କଣ୍ଟଦା- କୁଟୁରିଆ ସଡ଼କ ସମେତ ବାମଦେବପୁର ଏବଂ ଖଡ଼ିପଦା ଠାରେ ଦୁଇଟି ପୋଲ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ପ୍ରଥମେ କାର୍ଯ୍ୟକ୍ରମ ଧୂଷୁରୀ ପନ୍ଦରବାଟିଆ ଠାରୁ ଆରମ୍ଭ ହୋଇଥିଲା।ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ,ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରାଙ୍କ ସମେତ ପୂର୍ବ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୂଖ ଯୋଗ ଦେଇଥିଲେ।ସାଂସଦ ଏବଂ ବିଧାୟକଙ୍କୁ ଶିଳାନ୍ୟାସ ସ୍ଥଳକୁ ସ୍ଵାଗତ ଜଣାଇବା ପାଇଁ ଉପସ୍ଥିତ ବିଜେଡ଼ି ଓ ବିଜେପି ସମର୍ଥକଙ୍କ ମଧ୍ଯରେ ପ୍ରତିଯୋଗିତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଜା ବାଣ ଏବଂ ସ୍ଲୋଗାନରେ ଉଭୟ ଦଳର ସମର୍ଥକ ଯାଉଥିଲା ବେଳେ ଏକପ୍ରକାର ମୁକାବିଲା ସହ ପେଲା ଠେଲା ଦେଖିବାକୁ ମିଳିଥିଲା। ଏ ଅବସ୍ଥା ସବୁ ସ୍ଥାନରେ ପରିଲକ୍ଷିତ ହୋଇଥିଲା। ଶିଳାନ୍ୟାସ ସରକାରୀ ଭାବେ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର କେହି ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା। ଧାମନଗରରେ ଆଜିର ଶିଳାନ୍ୟାସ ପର୍ବ ପରୋକ୍ଷରେ ବିଜେଡ଼ି ଏବଂ ବିଜେପି ମଧ୍ୟରେ ପତିଆରା ଆଉ ପ୍ରଭାବ ପାଇଁ ଏକ ପ୍ରତିଯୋଗିତାର ମାହୋଲ ସ୍ରୁଷ୍ଟି କରିଥିବା ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.