ବଢୁଛି ପାର୍ଟି କାର୍ଯ୍ୟାଳୟରେ ନେତାଙ୍କ ଭିଡ଼

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷଙ୍କ ବ୍ୟାପକ ଜିଲ୍ଲା ଗସ୍ତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଳିକାର୍ଜୁନ ଖଡ୍‍ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଦିଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଯୋଗୁ ଏବେ ସାରା ଓଡ଼ିଶାରେ ପ୍ରାକ୍‍ ନିର୍ବାଚନୀ ଉଷ୍ମତା ଦେଖାଦେଇଛି । ଏମାନଙ୍କ ଛଡା ବିଭିନ୍ନ ଦଳର ବହୁ ନେତାଙ୍କ ସଭା, ସମିତି, ଶୋଭାଯାତ୍ରା ଆଦି ଲାଗି ରାଜ୍ୟ ରାଜନୀତି ଉଠୁଛି ପଡୁଛି ।

ନିର୍ବାଚନ କମିଶନ ଯେକୌଣସି ସମୟରେ ଓଡ଼ିଶା ବିଧାନସଭା ସହ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି । ଏହାକୁ ଆଖି ଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତତ୍ପରତା ବୃଦ୍ଧି ପାଇଥିବାବେଳେ ଆଶାୟୀ ପ୍ରାର୍ଥୀମାନେ ବି ପୁରା ଦମ୍‍ରେ ଲାଗିଛନ୍ତି । ନିର୍ବାଚନମଣ୍ଡଳୀଗୁଡିକରେ ଏବେ ଭୋଜିଭାତର ଆସର ଜମିଥିବାବେଳେ ଟିକେଟ୍‍ ପାଇଁ ନେତାମାନଙ୍କ ନିକଟରେ ବି ଭିଡ ବଢିବାରେ ଲାଗିଛି ।

ଇତିମଧ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ, କଟକ, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲା ଗସ୍ତ କରିଛନ୍ତି ଏବଂ ଆଉ କେତେକ ଜିଲ୍ଲାରେ ଆଭାସୀ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପୂର୍ବରୁ ଶ୍ରୀ ଭି. କେ. ପାଣ୍ଡିଆନ୍‍ ‘୫-ଟି’ ସଚିବ ଭାବେ ରାଜ୍ୟର ୩୦ଟି ଯାକ ଜିଲ୍ଲା ଗସ୍ତ କରିଥିବାବେଳେ ଏବେ ‘୫-ଟି’ ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ମଧ୍ୟ ଅର୍ଦ୍ଧାଧିକ ଜିଲ୍ଲା ଗସ୍ତ କରିସାରିଲେଣି । ଏହାଛଡ଼ା ବିଜେଡି ପୁଣି ଥରେ ତାହାର ପରିବାର ସମ୍ପର୍କ ଅଭିଯାନକୁ ବ୍ୟାପକ କରି ପ୍ରତ୍ୟେକ ବୁଥ୍‍ସ୍ତରରେ ଭୋଟ ବ୍ୟାଙ୍କକୁ ସୁଦୃଢ କରିବା ଲାଗି ଉଦ୍ୟମ ଚଳାଇଛି ।

ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଓଡ଼ିଶା ପାଇଁ ତାହାର ପୂଆ ପ୍ରଭାରୀ ଭାବେ ପୂର୍ବତନ ଆଇପିଏସ୍‍ ଅଫିସର ଡ. ଅଜୟ କୁମାରଙ୍କୁ ନିଯୁକ୍ତ କରିଛି । ନୂଆ ପ୍ରଭାରୀ ଓଡ଼ିଶାରେ ଅଧିକ ସମୟ ବିତାଇବା ସହ ରାଜ୍ୟ ସ୍ତରରୁ ବୁଥ୍‍ସ୍ତର ପର୍ଯ୍ୟନ୍ତ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି । ଚଳିତ ମାସ ୨୯ ତାରିଖରେ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍‍ ଖଡ୍‍ଗେ ପ୍ରଥମଥର ପାଇଁ ଓଡ଼ିଶା ଆସୁଛନ୍ତି । ତାଙ୍କ ପରେ ପରେ ଆସନ୍ତା ଫେବୃଆରୀ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶାର ସୀମାନ୍ତବର୍ତ୍ତୀ କେତେକ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ କଂଗ୍ରେସକୁ ଜୋର୍‍ଦାର ବିରୋଧ କରି ଆସୁଥିବା କେତେକ ସମାଜବାଦୀ, ସାମ୍ୟବାଦୀ ଓ ଗାନ୍ଧୀବାଦୀ ସଙ୍ଗଠନ ଇତିମଧ୍ୟରେ କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ମେଣ୍ଟ ସପକ୍ଷରେ ଅଭିଯାନ ଚଳାଉଥିବା ଲକ୍ଷ୍ୟ କରାଯାଉଛି ।

ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ମଧ୍ୟ ଓଡିଶା ପାଇଁ ତାହାର ନୂଆ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛି । ବିଜେପିର ବରିଷ୍ଠ ନେତା ବିଜୟ ପାଲ୍‍ ସିଂ ତୋମାର୍‍ଙ୍କୁ ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଥିବାବେଳେ ଛତିଶଗଡ଼ର ଜନପ୍ରିୟ ବିଜେପି ନେତ୍ରୀ ଲତା ଉସେଣ୍ଡିଙ୍କୁ ଦଳ ସହପ୍ରଭାରୀ ଭାବେ ନିଯୁକ୍ତି ଦେଇଛି । ଆସନ୍ତା ମାସ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଗସ୍ତ ଫଳରେ ବିଜେପି ଅଧିକ ଶକ୍ତି ସଂଗ୍ରହ କରିବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରୁଛନ୍ତି । ପ୍ରତି ବୁଥ୍‍ରେ ବିଜେପି ଯେଭଳି ୫୧ ପ୍ରତିଶତରୁ ଅଧିକ ଭୋଟ୍‍ ପାଏ ତାହାକୁ ଆଖି ଆଗରେ ରଖି ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି । ଇତିମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଓଡ଼ିଶା ଗସ୍ତ କରିଛନ୍ତି ।

ଏନ୍‍ଡିଏ ଓ ଇଣ୍ଡିଆ ମେଣ୍ଟ ଏବଂ ବିଜେଡି ପକ୍ଷରୁ ପୁରା ଦମ୍‍ରେ ନିର୍ବାଚନୀ ପ୍ରସ୍ତୁତି ଚାଲିଥିବାବେଳେ ଆପାତତଃ କେଉଁଠି କିଏ ପ୍ରାର୍ଥୀ ହେବ ତାହା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ôଚଥିଲେ ମଧ୍ୟ ଘୋଷଣା କରାଯାଉନାହିଁ । ଏହି ନିର୍ବାଚନରେ ବିଭିନ୍ନ ଦଳ ଅନେକ ନୂଆ ପ୍ରାର୍ଥି ଦେଇ ପାରନ୍ତି ଏବଂ ସେମାନଙ୍କ ମଧ୍ୟରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ପୂର୍ବଥର ଅପେକ୍ଷା ଅଧିକ ହୋଇପାରେ । ଏପରିକି କେତେକ ବିଧାୟକଙ୍କୁ ଲୋକସଭା ଏବଂ କେତେକ ସାଂସଦଙ୍କୁ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ଘେନି ରାଜନୈତିକ ମହଲରେ ଆଲୋଚନା ହେଉଛି । ଏହାଛଡ଼ା ବିଜେଡି ଓ ବିଜେପି ମଧ୍ୟ ବିଭିନ୍ନ କାରଣରୁ କେତେଜଣ ବିଧାୟକ ଓ ସାଂସଦଙ୍କୁ ଦଳୀୟ ଟିକେଟ ନଦେବାର ଆଶଙ୍କା ରହିଛି । ତେବେ ଏଥର ନିର୍ବାଚନରେ ବ୍ୟାପକ ଦଳବଦଳ ସହ ବହୁ ସ୍ଥାନରେ ବିଭିନ୍ନ ଦଳର ବିଦ୍ରୋହୀ ପ୍ରାର୍ଥୀ ସମୀକରଣକୁ ବିଗାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.