ଭୁବନେଶ୍ୱର : ବିହନ ଚାଷୀଙ୍କ ଠାରୁ ସଂଗ୍ରହ ହେଉଥିବା ଧାନ ବିହନ ପରିମାଣକୁ ଓଡିଶା ରାଜ୍ୟ ବିହନ ନିଗମ ହ୍ରାସ କରିଛି । ବିହନ ଅମଳ ପରେ ନିଗମର ଏଭଳି ପଦକ୍ଷେପ ଏବେ ବିହନ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି ।
ବିହନ ନିଗମରୁ ପିଣ୍ଡ ବିହନ ନେଇ ପ୍ରାମାଣିକ ବିହନ ଉତ୍ପାଦନ କରିଥିବା ଚାଷୀଙ୍କ ଠାରୁ ହେକ୍ଟର ପିଛା ମାତ୍ର ୧୫ କୁଇଣ୍ଟାଲ ବିହନ ଖରିଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଳାଚମ୍ପା ଓ ସ୍ୱର୍ଣ୍ଣ ସବ୍-୧ କିସମ ବିହନ ୨୦ କୁଇଣ୍ଟାଲ କରି ସଂଗ୍ରହ ପାଇଁ କୁହାଯାଇଛି । ତେବେ ଅଧିକ ଅର୍ଥ ବ୍ୟୟ କରି ହେକ୍ଟର ପିଛା ୬୦ କୁଇଣ୍ଟାଲ ବିହନ ଉତ୍ପାଦନ କରିଥିବା ଚାଷୀମାନେ ଏବେ ୪୫କୁଇଣ୍ଟାଲ୍ ଧାନକୁ କ’ଣ କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ।
ରାଜ୍ୟରେ ପ୍ରାୟ ୫ହଜାର ଚାଷୀ ଧାନ ବିହନ ଉତ୍ପାଦନ କରୁଥିବାବେଳେ ସେମାନଙ୍କ ଠାରୁ ଉତ୍ପାଦନ ହେଉଥିବା ସମସ୍ତ ବିହନକୁ ନିଗମ ଖରିଦ କରିଥାଏ । ବିହନ ଚାଷ କରିବା ପୂର୍ବରୁ ଚାଷୀମାନେ ନିଗମ ନିକଟରେ ନିଜକୁ ପଞ୍ଜିକୃତ କରିବା ସହିତ ପିଣ୍ଡ ବିହନ ସଂଗ୍ରହ କରିଥାନ୍ତି । ବିହନ ଉତ୍ପାଦନ ପାଇଁ ଯେଉଁ ଚାଷ ହୋଇଥାଏ ସେଥିରେ ସାଧାରଣ ଧାନ ଚାଷ ଖର୍ଚ୍ଚ ଠାରୁ ଅଧିକ ଅର୍ଥ ବ୍ୟୟ ହୋଇଥାଏ । ତଦନୁଯାୟୀ ଚାଷୀମାନେ ବିହନ ଧାନକୁ ନିଗମକୁ କୁଇଣ୍ଟାଲ ପିଛା ପ୍ରାୟ ୨୩୦୦ ଟଙ୍କା ଦରରେ ବିକ୍ରି କରିଥାନ୍ତି । ସାଧାରଣ ଧାନର ସରକାରୀ ଦର କୁଇଣ୍ଟାଲ ପ୍ରତି ୨୧୮୩ ଟଙ୍କା ରହିଛି ।
ବିହନ ବିକ୍ରି ହ୍ରାସ ପାଉଥିବା ଦର୍ଶାଇ ନିଗମ ପକ୍ଷରୁ ବିହନ ସଂଗ୍ରହ ଉପରେ ଏଭଳି କଟକଣା ଲଗାଯାଇଛି । ଫଳରେ ନିଜ ନିଜର ଉତ୍ପାଦିତ ସମସ୍ତ ଧାନ ବିହନକୁ ନିଗମକୁ ବିକ୍ରି ପାଇଁ ଲକ୍ଷ୍ୟ ରଖିଥିବା ବିହନ ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି । କାରଣ ପୂର୍ବରୁ ପଞ୍ଜିକୃତ ହୋଇନଥିବାରୁ ଏତେ ପରିମାଣର ଧାନକୁ ସରକାରୀ ମଣ୍ଡିରେ ଦେବା ସମ୍ଭବପର ନୁହେଁ । ଚାଷୀମାନେ ଏବେ ବାଧ୍ୟହୋଇ ବେପାରୀଙ୍କ ହାତରେ ଉତ୍ପାଦିତ ଧାନ ବିହନକୁ କମ୍ ଦରରେ ଟେକି ଦେବେ ବୋଲି ଅନେକ ଚାଷୀ ମତ ଦେଇଛନ୍ତି ।
ବିହନ ଉତ୍ପାଦନ କରୁଥିବା ଚାଷୀଙ୍କ ମତରେ ବିହନ ନିଗମ ରାଜ୍ୟର ଧାନ ଚାଷୀଙ୍କୁ ଉନ୍ନତ କିସମର ଧାନ ବିହନ ଯୋଗାଣ କରିଥାଏ । ଏହାଦ୍ୱାରା କେବଳ ଧାନ ବିହନ ଉତ୍ପାଦନ ବୃଦ୍ଧି ହୁଏନାହିଁ, ବିହନ ବଦଳ ପ୍ରକ୍ରିୟା ମଧ୍ୟ ଜାରି ରୁହେ । ଚାଷୀମାନେ ରୋଗ ପ୍ରତିରୋଧ ଓ ଅଧିକ ଅମଳକ୍ଷମ ସରକାରୀ ବିହନ କମ୍ ଦରରେ ପାଇଥାନ୍ତି । କିନ୍ତୁ ବର୍ଷକୁ ବର୍ଷ ନିଗମର ଧାନ ବିହନ ବିକ୍ରି ହ୍ରାସ ପାଉଛି । ପୂର୍ବରୁ ବାର୍ଷିକ ୫ରୁ ୬ଲକ୍ଷ କୁଇଣ୍ଟାଲ ଧାନ ବିହନ ଯୋଗାଣ ହେଉଥିବାବେଳେ ଗତ ବର୍ଷ ତାହା ୨ଲକ୍ଷ କୁଇଣ୍ଟାଲକୁ ହ୍ରାସ ପାଇଛି ।
ରାଜ୍ୟର ଚାଷୀଙ୍କୁ କିଭଳି ଅଧିକରୁ ଅଧିକ ପରିମାଣର ଉନ୍ନତ ଧାନ ବିହନ ଯୋଗାଯାଇ ପାରିବ ତାହା ଉପରେ ଗୁରୁତ୍ୱ ନଦେଇ ବିହନ ବିକ୍ରି ହ୍ରାସ ଆଳରେ ଏବେ ବିହନ ସଂଗ୍ରହ ହ୍ରାସପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହାଦ୍ୱାରା କେବଳ ବିହନ ଚାଷୀମାନେ କ୍ଷତିଗ୍ରସ୍ତ ହେବେନାହିଁ, ଆଗାମୀ ଦିନରେ ରାଜ୍ୟର ଧାନ ଉତ୍ପାଦନ ଉପରେ ମଧ୍ୟ ଏହା ପ୍ରତିକୂଳ ପଭାବ ପକାଇବ ବୋଲି ଚାଷୀମାନେ ମତ ଦେଉଛନ୍ତି ।