ପୁଲିସ ମୁଖିଆ ଭାବବିହ୍ୱଳ; ସୋସିଆଲ୍ ମିଡିଆରେ ଭାଇରାଲ୍

ଭୁବନେଶ୍ୱର: ରାଜ୍ୟ ପୁଲିସ ମୁଖ୍ୟାଳୟରେ ଝାଡୁଦାର ଭଳି ଅତି ତଳିଆ କର୍ମଚାରୀଙ୍କୁ ତାଙ୍କ ଚାକିରିରୁ ଅବସର ବେଳାରେ ସେହି ବିଭାଗର ସର୍ବୋଚ୍ଚ କର୍ତ୍ତା ତଥା ରାଜ୍ୟର ପୁଲିସ ମୁଖିଆ ଭାବବିହ୍ୱଳ ହୋଇ ତାଙ୍କୁ କୁଣ୍ଢାଇ ଧରିବାର ବିରଳ ଦୃଶ୍ୟ ସୋସିଆଲ୍ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍ ହୋଇଛି । ସରକାରୀ ଚାକିରିରୁ ବିଦାୟ ନେଲା ବେଳେ ଖୋଦ୍ ଡିଜି ସାହେବ ଯେ ତାଙ୍କୁ ଏମିତି ଅଭ୍ୟର୍ଥନା ଦେବେ ସେ ସ୍ୱପ୍ନରେ ଭାବି ନ ଥିବେ । ଏଣେ ଜଣେ ଝାଡୁଦାରଙ୍କୁ ଚାକିରିରୁ ଏମିତି ବିଦାୟ ଦେବାରେ ଏହି ବଡ଼ ହାକିମ ବାବୁ ଛୋଟ ହୋଇଯାଇନାହାନ୍ତି । ବରଂ ତାଙ୍କର ବଡ଼ ପଣ ରାଜ୍ୟ ପୁଲିସ ବିଭାଗର ମର୍ଯ୍ୟାଦା ବଢ଼ାଇ ଦେଇଛି । କେବଳ ପୁଲିସ କାହିଁକି, ଅନ୍ୟ ଅଧିକାରୀମାନଙ୍କ ପାଇଁ ସେ ଆଦର୍ଶ ପାଲଟିଛନ୍ତି ।

ସୂଚନାଥାଉକି, ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଅତ୍ୟନ୍ତ ଦକ୍ଷ ଓ ସଫଳ ପୁଲିସ ଅଫିସର ଭାବେ ଜଣାଶୁଣା । ସାଧାରଣ ଜନତା ଏବଂ କର୍ମଚାରୀଙ୍କ ପ୍ରତି ସେ ଯେତିକି କୋମଳ ଏବଂ ଉଦାର, ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସେତିକି କଠୋର । ଅପରାଧ ଦମନରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ପୁଲିସକୁ ଭୟ ନୁହେଁ, ବନ୍ଧୁ ଭାବରେ ଗ୍ରହଣ କରିବାକୁ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାରେ ତାଙ୍କର ନିଷ୍ଠାପର ଉଦ୍ୟମ ପାଇଁ ସେ ବହୁ ପ୍ରଶଂସିତ । ରାଜ୍ୟର ଭାରପ୍ରାପ୍ତ ପୁଲିସ ଡିଜି ଭାବେ ଜାନୁଆରୀ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଧନୀଙ୍କର ସେହି ନିରୀହ ଲୁହଝରା ଆଖି ଡିଜିପି ଶ୍ରୀ ଷଡ଼ଙ୍ଗୀଙ୍କୁ ଭାବବିହ୍ୱଳ କରିଥିଲା । ଅତି ସ୍ନେହବୋଳା କଣ୍ଠରେ ସେ ତାଙ୍କର ଅବସର ଜୀବନରେ ସୁସ୍ଥତା କାମନା କରି ଆଶୀର୍ବାଦ ଦେଇଥିଲେ । ପୁଲିସ ମୁଖ୍ୟାଳୟରେ ସେଦିନ ଏହା ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ଜଣେ ତଳ ପାହ୍ୟାର କର୍ମଚାରୀଙ୍କ ପ୍ରତି ରାଜ୍ୟ ପୁଲିସ ମୁଖ୍ୟଙ୍କ ଏପରି ସମ୍ମାନ କେବେ ଦେଖିବାକୁ ମିଳି ନ ଥିଲା ବୋଲି ପୁଲିସ ମୁଖ୍ୟାଳୟର ବରିଷ୍ଠ କର୍ମଚାରୀମାନେ କହିଛନ୍ତି ।

ଧନୀ ନାୟକ କହିଛନ୍ତି, ପୁଲିସ ବିଭାଗରେ ସେ ଦୀର୍ଘ ୩୮ ବର୍ଷ ଧରି ଚାକିରି କରିଥିଲେ । ଏହି ଚାକିରି କାଳରେ ଅନେକ ଆଇପିଏସ୍ ଅଫିସରଙ୍କ ପ୍ରକୋଷ୍ଠ ଏବଂ ଅଫିସରେ ଝାଡୁ କରିଛନ୍ତି । ସାମାନ୍ୟ ଝାଡୁଦାର ହେଲେ ମଧ୍ୟ ଚାକିରି ଶେଷ ଦିନରେ ଡିଜି ସାର୍ ମୋତେ ନିଜର ଭାବି ଯେଭଳି ଆଲିଙ୍ଗନ କଲେ ତାହା ମୋ ଜୀବନରେ ସ୍ମରଣୀୟ ହୋଇ ରହିବ । ଏହି ଦିନକୁ ମୁଁ କେବେ ବି ଭୁଲି ପାରିବି ନାହିଁ ବୋଲି ଛଳ ଛଳ ଆଖିରେ କହିଛନ୍ତି ଧନୀ ।

Leave A Reply

Your email address will not be published.