ପ୍ରଫେସର ପଦବୀ ୮୦ ପ୍ରତିଶତ ଖାଲି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣାଧିନ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରୁ ଦୁଇଟି ପାଇଁ ଏଯାବତ୍‍ ଗୋଟିଏ ହେଲେ ଶିକ୍ଷକ ପଦବୀ ମଞ୍ଜୁର କରାଯାଇନଥିବାବେଳେ ଅନ୍ୟୁନ ୩ଟି ବିଶ୍ୱବିଦ୍ୟାଳୟରେ ଜଣେ ହେଲେ ଶିକ୍ଷକ ନାହାନ୍ତି । ମୋଟାମୋଟି ଭାବେ ଏହି ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ଯେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ରହିଛି ସେଥିରୁ ପ୍ରାୟ ୮୦ ପ୍ରତିଶତ ଖାଲି ପଡିଛି ।

ରାଜ୍ୟ ସରକାରଙ୍କ ହିସାବ ମୁତାବକ ଏହି ୧୭ଟି ବିଶ୍ୱବିଦ୍ୟାଳୟ ପାଇଁ ୨୬୦ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୨୦୯ଟି ଖାଲି ପଡିଛି । ମାତ୍ର ୫୧ଜଣ ପ୍ରଫେସରଙ୍କୁ ନେଇ ଚାଲିଛି ୧୭ଟି ବିଶ୍ୱବିଦ୍ୟାଳୟ । ସେହିଭଳି ସରକାରୀ ହିସାବ ମୁତାବକ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ଏହି ୧୭ଟି ବିଶ୍ୱବିଦ୍ୟାଳୟ ଲାଗି ୫୧୮ଟି ସହଯୋଗୀ ପ୍ରଫେସର ପଦବୀ ଥିବାବେଳେ ଏଥିରେ ମାତ୍ର ୧୬୨ଜଣ ଅଛନ୍ତି ଏବଂ ୧୦୨୩ଟି ମଞ୍ଜୁରୀପ୍ରାପ୍ତ ସହକାରୀ ଶିକ୍ଷକ ପଦବୀରୁ ୫୦୮ଟି ରେ ଶିକ୍ଷକ ଅଛନ୍ତି । ମୋଟାମୋଟି ଭାବେ ୧୮୦୧ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ୧୦୮୦ ଟି ଖାଲି ପଡିଛି । ଏହାଛଡା ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁରରେ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ହେଲେ ଶିକ୍ଷକ ପଦବୀ ଏଯାବତ୍‍ ମଞ୍ଜୁର କରାଯାଇନାହିିଁ । ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣାପଡିଛି ।

ସରକାରୀ ତଥ୍ୟ ମୁତାବକ କଟକର ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଲାଗି ଯଥାକ୍ରମେ ୫୦ ଟି ଓ ୧୧୨ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏ ଦୁଇ ବିଶ୍ୱବିଦ୍ୟାଳୟରେ ଜଣେ ହେଲେ ଶିକ୍ଷକ ନାହାନ୍ତି । ଏହାଛଡା କଳାହାଣ୍ଡିର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜଣେ ହେଲେ ପ୍ରଫେସର ନାହାନ୍ତି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ୧୨୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏହା କୌଣସି ମତେ ୨୦ ଜଣ ଶିକ୍ଷକଙ୍କୁ ନେଇ ଚାଲିଛି । ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଲାଗି ୧୧୨ଟି ଶିକ୍ଷକ ପଦବୀ ମଞ୍ଜୁର କରାଯାଇଥିବାବେଳେ ଏଠି ଅଛନ୍ତି ମାତ୍ର ୨୦ଜଣ ଶିକ୍ଷକ ।

ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ୪୬ପ୍ରଫେସର ସମେତ ମୋଟ୍‍ ୨୪୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏଠାରେ କାମ କରୁଛନ୍ତି ୧୧ଜଣ ପ୍ରଫେସରଙ୍କ ସମେତ ମାତ୍ର ୧୨୫ଜଣ ଶିକ୍ଷକ । ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ ଆଦିରେ ଅବସ୍ଥା ଅତି ସାଂଘାତିକ ।

ଏହି ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ରାଜେନ୍ଦ୍ର, ମା’ମାଣିକେଶ୍ୱରୀ, ବିକ୍ରମଦେବ, ଧରଣୀଧର ଓ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଲାଗି ଗୋଟିଏ ହେଲେ ଅଣଶିକ୍ଷକ ପଦବୀ ସୃଷ୍ଟି କରାଯାଇନାହିଁ । ଓଡିଆ ବିଶ୍ୱବିଦ୍ୟାଳୟ ଲାଗି ମାତ୍ର ୭ଟି ଅଣଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବାବେଳେ ସେଗୁଡିକ ନିୟମିତ ଭିତ୍ତିରେ ପୂରଣ କରାଯାଇ ନାହିଁ । ଅନ୍ୟ ବିଶ୍ୱବିଦ୍ୟାଳୟଗୁଡିକ ଲାଗି ୨୬୩୫ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରେ ମାତ୍ର ୮୩୪ଜଣ ଅଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ଉତ୍କଟ ସ୍ଥିତି ଥିବାବେଳେ ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ ୭, ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ୯, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ୧୩, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ୧୭ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ମାତ୍ର ୧୫ଜଣ ଅଣଶିକ୍ଷ କର୍ମଚାରୀଙ୍କୁ ନେଇ ଚାଲିଛି ।

Leave A Reply

Your email address will not be published.