ଭୁବନେଶ୍ୱର : ପାଞ୍ଚ ବର୍ଷ ଧରି ରାଜ୍ୟରେ ଆଇନ୍ କମିଶନ ଅଚଳ ହୋଇ ପଡିଛି । କମିଶନର କେହି ଅଧ୍ୟକ୍ଷ ନାହାନ୍ତି କିମ୍ବା ମନୋନିତ ସଦସ୍ୟ ବି ନାହାନ୍ତି । ଏକଥା ରାଜ୍ୟ ବିଧାନସଭାରେ ସ୍ୱୀକାର କରିଛନ୍ତି ଆଇନ୍ମନ୍ତ୍ରୀ ଜଗନ୍ନାଥ ସାରକା ।
ବିଧାୟିକା କୁସୁମ ଟେଟେ ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ ଯେ ଆଇନ୍ ବିଭାଗ ନିୟନ୍ତ୍ରଣରେ ଥିବା ଲ ରିଭିଜନ କମିଟି ଓ ରାଜ୍ୟ ଆଇନ୍ କମିଶନର ସର୍ବଶେଷ ବୈଠକ କେବେ ଓ କେଉଁଠି ଅନୁଷ୍ଠିତ ହୋଇଥିଲା ଏବଂ ଏହି ଦୁଇଟି ସଂସ୍ଥାର ଅଧ୍ୟକ୍ଷ ଓ ସଦସ୍ୟ ଭାବେ କେଉଁମାନେ କାର୍ଯ୍ୟରତ ଅଛନ୍ତି ?
ଉତ୍ତରରେ ଆଇନ୍ମନ୍ତ୍ରୀ ଜଣେ ଜଣାଇଛନ୍ତି ଯେ ତାଙ୍କ ବିଭାଗ ନିୟନ୍ତ୍ରଣରେ ଥିବା ଲ ରିଭିଜନ କମିଟିକୁ ୨୧୦୬ ମାର୍ଚ୍ଚ ୧୬ ତାରିଖରେ ଓଡିଶା ରାଜ୍ୟ ଆଇନ୍ କମିଶନ ନାମରେ ପୁର୍ନଗଠନ କରାଯାଇଥିଲା । ଏହି କମିଶନର ସର୍ବଶେଷ ବୈଠକ ୨୦୨୦ ସେପ୍ଟେମ୍ବର ୨୪ତାରିଖରେ ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିର୍ଚୁଆଲ ମୋଡ୍ରେ କରାଯାଇଥିଲା ।
ସରକାରୀ ତଥ୍ୟ ମୁତାବକ ରାଜ୍ୟ ଆଇନ୍ କମିଶନର ନିୟମିତ ଅଧ୍ୟକ୍ଷ ପଦରୁ ଜଷ୍ଟିସ ବିଜୟ କୁମାର ନାୟକ ୨୦୧୯ ମାର୍ଚ୍ଚ ୩୦ ତାରିଖରେ ଇସ୍ତଫା ଦେବାପରେ ଆଉ କାହାକୁ ନିୟମିତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ ନାହିଁ ଏବଂ ଏହାର ଏକ୍ସ ଅଫିସିଓ ସଦସ୍ୟଙ୍କ ଛଡା ଅନ୍ୟ କୌଣସି ମନୋନିତ ସଦସ୍ୟ ବି ନାହାନ୍ତି ।
ରାଜ୍ୟର ଆଇନ୍ ବ୍ୟବସ୍ଥାକୁ ସଂଶୋଧିତ ଓ ସୁଦୃଢ କରିବା କ୍ଷେତ୍ରରେ ପୂର୍ବରୁ ଲ ରିଭିଜନ କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏମିତିକି ଆଇନ୍ ବିଭାଗ ମଧ୍ୟ ୨୦୧୧ ମସିହାରେ ରାଜ୍ୟ ମାମଲା ନୀତି ପ୍ରଣୟନ କରିଛି । ବହୁ ପୁରୁଣା ଆଇନ୍ ଅକାମୀ ହୋଇଯାଇଥିବାବେଳେ ଆଉ ଅନେକ ପ୍ରଚଳିତ ଆଇନ୍ରେ ବ୍ୟାପକ ସଂଶୋଧନର ଆବଶ୍ୟକତା ଥିବାବେଳେ ରାଜ୍ୟ ଆଇନ୍ କମିଶନ ୨୦୧୯ ମାର୍ଚ୍ଚ ମାସରୁ ଏକ ପ୍ରକାର ଅଚଳ ହୋଇ ରହିଛି । ହାଇକୋର୍ଟର କୌଣସି ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅଭିଜ୍ଞ ଆଇନ୍ଜୀବୀମାନଙ୍କୁ ନେଇ ଆଇନ୍ କମିଶନର ପୁର୍ନଗଠନ କରାଯାଇ ପାରିଥାନ୍ତା । କିନ୍ତୁ ଏଯାବତ୍ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ଅଣଦେଖା କରାଯାଉଛି ବୋଲି ଆଇନ୍ ବିଭାଗର କେତେକ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ମତବ୍ୟକ୍ତ କରିଛନ୍ତି ।
ଅନ୍ୟ ପକ୍ଷରେ ରାଜ୍ୟରେ ମାମଲାର ଚାପ ବଢି ବଢି ଚାଲିଛି । ଏଥି ସହିତ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟକୁ ବହୁ କ୍ଷେତ୍ରରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାଳନ କରାଯାଉନଥିବାରୁ ବରିଷ୍ଠ ଅଧିକାରୀମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ବି ବଢୁଛି । ଏଥିଯୋଗୁଁ ଉଭୟ ଆବେଦନକାରୀ ଓ ଅଧିକାରୀମାନେ ହନ୍ତସନ୍ତ ହେଉଛନ୍ତି । ଏବେ ରାଜ୍ୟରେ ୧୭ଲକ୍ଷରୁ ଅଧିକ ମାମଲା ବିଭିନ୍ନ ଆଇନ୍ ଅଦାଲତରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ୧୩ଲକ୍ଷରୁ ଅଧିକ ହେଉଛି ଅପରାଧିକ ମାମଲା ।
ସରକାରୀ ତଥ୍ୟ ମୁତାବକ ଅତି ସମ୍ବେଦନଶୀଳ ବୋଲି କୁହାଯାଉଥିବା ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତରୁ କମ୍ ରହୁଥିବାବେଳେ ୫ ପ୍ରତିଶତ ମାମଲା ବି ବର୍ଷକୁ ଫଏସଲା ହୋଇପାରୁନାହିଁ । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଅପରାଧିକ ମାମଲା ୫ ପ୍ରତିଶତ ବି ଫଏସଲା ହେଉନଥିବାବେଳେ ଦଣ୍ଡବିଧାନ ହାର ୧୩ ପ୍ରତିଶତରୁ କମ୍ ରହିଛି । ଆଇପିସି ମାମଲାଗୁଡିକରେ ଦଣ୍ଡବିଧାନ ହାର ଓଡିଶାରେ ପ୍ରାୟ ୧୨% ଥିବାବେଳେ ମାମଲା ଫଏସଲା ହାର ବାର୍ଷିକ ୪%ରୁ କମ୍ ରହୁଛି । ଏ ପରିପ୍ରେକ୍ଷୀରେ ଆଇନ୍ ବିଭାଗ ଓଡିଶା ରାଜ୍ୟ ଆଇନ୍ କମିଶନକୁ କାହିଁକି ସକ୍ରିୟ କରୁନାହିଁ ଓ ରାଜ୍ୟ ମାମଲା ନୀତିର କାହିଁକି ଠିକଣା ଅନୁପାଳନ ହେଉନାହିଁ ସେଥିଘେନି ଅଭିଜ୍ଞ ଆଇନ୍ଜୀବୀମାନେ ପ୍ରଶ୍ନ ଉଠାଉଛନ୍ତି ।