ବିଜେଡିର ୫ ବିଧାୟକଙ୍କ କିଏ ଉତ୍ତରାଧିକାରୀ ?

ଭୁବନେଶ୍ୱର : ଦଳ ସହ ସମ୍ପର୍କରେ ନଥିବା ବିଜେଡିର ୫ଜଣ ବିଧାୟକ ଏବେ କେଉଁ ଦଳରୁ ନିର୍ବାଚନ ଲଢିବେ କି ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେବେ ଏବଂ ସେମାନଙ୍କ ନିର୍ବାଚନମଣ୍ଡଳୀରେ କିଏ ସେମାନଙ୍କ ଉତ୍ତରାଧିକାରୀ ହେବ ସେ ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।

ବିଜୁ ଜନତା ଦଳ ଟିକଟରେ ୨୦୧୯ ବିଧାନସଭା ନିର୍ବାଚନରେ ଜିଣିଥିବା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକାର ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡାର ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣାର ସୁଧାଂଶୁ ଶେଖର ପରିଡାଙ୍କ ସହ ବିଜେଡି ସମ୍ପର୍କ ଛିନ୍ନ କରିସାରିଛି । ଏମାନଙ୍କ ବିଭିନ୍ନ ଆଳ ଦେଖାଇ ଦଳରୁ ବିଦା କରାଯାଇଛି । ଇତି ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ତେଲକୋଇର ଅନ୍ୟତମ ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।

ଏହି ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହେବାପାଇଁ ବହୁ ଆଶାୟୀ ଅଛନ୍ତି । କିନ୍ତୁ ଏହି ଆଶାୟୀମାନଙ୍କ ଭିତରୁ କାହାକୁ ଦଳ ଟିକଟ ଦେବ ତାହା ଏଯାବତ୍‍ ସ୍ପଷ୍ଟ ହୋଇନାହିଁ । ଏ ପରିପ୍ରେକ୍ଷୀରେ ଆଶାୟୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ଅନ୍ୟ ପକ୍ଷରେ ଏହି ୫ଟି ନିର୍ବାଚନମଣ୍ଡଳୀରୁ ଯେଉଁମାନେ ବିଜେଡି ବିଧାୟକ ଥିଲେ ସେମାନଙ୍କର ସାଂଗଠନିକ ପତିଆରା ମଧ୍ୟ ଢେର ରହିଛି । ବିଜେଡି ଏମାନଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ଦୃଷ୍ଟିରୁ ଏହି ବିଧାୟକଙ୍କ ମଧ୍ୟରୁ କେତେକ ଭିନ୍ନ ଦଳରୁ ପ୍ରାର୍ଥୀ ହେବାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ।

ଏହାଛଡା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ନିର୍ବାଚନମଣ୍ଡଳୀ ଦିଗପହଣ୍ଡିର କେହି ପ୍ରତିନିଧି ନାହାନ୍ତି । ଏଠାରୁ ବି ବିଜେଡି ଟିକଟରେ ନିର୍ବାଚନ ଲଢିବାପାଇଁ ଅନେକ ଆଶାୟୀ ରହିଛନ୍ତି । ଏହି ଆଶାୟୀମାନଙ୍କ ଭିତରୁ କେତେକ ନିଜ ନିଜର ରାଜନୈତିକ ସ୍ୱାର୍ଥ ଓ ଭବିଷ୍ୟତ ପାଇଁ ଅନ୍ୟ ଦଳ ସହ ବି ଯୋଗାଯୋଗରେ ଅଛନ୍ତି ।

ଷୋଡଶ ବିଧାନସଭା କାଳରେ ରାଜ୍ୟରେ ୯ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହୋଇଛି । ସେଥିରୁ ୭ଟି ବିଜେଡି ଆସନ ଥିବାବେଳେ ଦୁଇଟି ଥିଲା ବିଜେପିର । ବିଜେଡି ତାହାର ୭ଟି ଯାକ ଆସନରେ ଉପନିର୍ବାଚନ ଜିଣିଥିବାବେଳେ ବିଜେପି କିନ୍ତୁ ଧାମନଗରକୁ କବଳିତ କରିଥିଲା । ତେବେ ବିଜେପି ହାତରୁ ବିଜେଡି ବାଲେଶ୍ୱର ଆସନଟି ଛଡାଇ ନେଇଥିଲା ।

ପାଟକୁରା, ବିଜେପୁର, ତିର୍ତ୍ତୋଲ, ପିପିଲି, ପଦ୍ମପୁର, ଝାରସୁଗୁଡା, ବ୍ରଜରାଜନଗର, ବାଲେଶ୍ୱର ଓ ଧାମନଗର ଆସନରୁ ଯେଉଁମାନେ ଉପନିର୍ବାଚନ ଜିଣିଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଏଥର ଦଳୀୟ ଟିକଟ ପାଇବା ଘେନି ସନ୍ଦେହରେ ବି ଅଛନ୍ତି । ଏହାଛଡା ବିଭିନ୍ନ ଦଳ କେତେକ ବିଧାୟକଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବା ସହ କିଛି ସାଂସଦଙ୍କୁ ବିଧାନସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରାଇବାର ସମ୍ଭାବନା ଅଧିକ ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ବିଜେପି ପ୍ରାର୍ଥୀ ଭାବେ ବିଜେଡି ସହଯୋଗରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବାବେଳେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥାଇ କେନ୍ଦ୍ରରେ ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ପ୍ରଧାନ ଓଡିଶାର କୌଣସି ଏକ ଆସନରୁ ନିର୍ବାଚନ ଲଢି ପାରନ୍ତି । ତେବେ ସେ ବିଧାନସଭା ପାଇଁ ନିର୍ବାଚନ ଲଢିବେ କି ଲୋକସଭା ପାଇଁ ଲଢିବେ ତାହା ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ଏଥର ବିଭିନ୍ନ ଦଳର ବହୁ ନୂଆ ପ୍ରାର୍ଥୀ ନିର୍ବାଚନ ଲଢିବା ସମ୍ଭାବନା ଥିବାରୁ ଅନେକ ବିଧାୟକ ଓ ସାଂସଦଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ରହିଛି । 

Leave A Reply

Your email address will not be published.