ଭୁବନେଶ୍ୱର : କରୋନା ସମୟରେ ହ୍ରାସ ପାଇଥିବା ରେଳ ଦୁର୍ଘଟଣା ପୁଣି ଥରେ ବଢିବାରେ ଲାଗିଛି । ତେବେ ପୂର୍ବ ବର୍ଷ ତୁଳନାରେ ଏହା ଢେର ହ୍ରାସ ପାଇଛି ।
ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଦେଇଥିବା ଉତ୍ତରରୁ ଏହା ଜଣାପଡିଛି । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ୨୦୧୯-୨୦ ବର୍ଷରେ ସମଗ୍ର ଦେଶରେ ୫୫ଟି ରେଳ ଦୁର୍ଘଟଣା ହୋଇଥିଲା । ତେବେ ଏହା ପରବର୍ଷ ଦେଶରେ କରୋନା ଆସିଯିବାରୁ ରେଳ ଚଳାଚଳ ହ୍ରାସ ସହିତ ଦୁର୍ଘଟଣା ମଧ୍ୟ ଢେର କମିଯାଇଥିଲା । ୨୦୨୦-୨୧ ବର୍ଷରେ ରେଳ ଦୁର୍ଘଟଣା ୨୨କୁ ହ୍ରାସ ପାଇଥିଲା । ହେଲେ କରୋନା ପ୍ରକୋପ ହ୍ରାସ ପରେ ରେଳ ଚଳାଚଳ ବଢବା ସହିତ ଏହାର ପରବର୍ତ୍ତୀ ଦୁଇବର୍ଷ ଅର୍ଥାତ୍ ୨୦୨୧-୨୨ ଓ ୨୦୨୨-୨୩ରେ ରେଳ ଦୁର୍ଘଟଣା ଯଥାକ୍ରମେ ୩୫ ଓ ୪୮କୁ ବୃଦ୍ଧି ପାଇଛି ।
ତେବେ ୨୦୦୦-୦୧ ମସିହାରେ ଦେଶରେ ଯେଉଁ ସଂଖ୍ୟାରେ ରେଳ ଦୁର୍ଘଟଣା ଘଟିଥିଲା ସେଥିରେ ଢେର ହ୍ରାସ ପରିଲକ୍ଷିତ ହୋଇଛି । ୨୦୦୦-୦୧ ମସିହାରେ ଭାରତରେ ୪୭୩ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ଏହାର ପରବର୍ତ୍ତୀ ବର୍ଷଗୁଡିକରେ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଥିଲା । ତେବେ ୨୦୧୭-୧୮ ବର୍ଷରେ ଦୁର୍ଘଟଣା ସଂଖ୍ୟା ୧୦୦ ତଳକୁ ହ୍ରାସ ପାଇଥିଲା ।
ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦୁର୍ଘଟଣା ରୋକିବାପାଇଁ ରେଳ ମନ୍ତ୍ରାଳୟ ଗ୍ରହଣ କରିଥିବା ବହୁବିଧ ପଦକ୍ଷେପ ଯୋଗୁଁ ୨୦୨୧-୨୨ ଓ ୨୦୨୨-୨୩ ରେ ମୋଟ୍ ୮୩ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ମାତ୍ର ୯ଜଣ ମୃତ୍ୟୁବରଣ କରିଥିଲେ ଏବଂ ୧୧୬ ଜଣ ଆହତ ହୋଇଥିଲେ । ଏହି ଦୁଇ ବର୍ଷରେ ରେଳ ଦୁର୍ଘଟଣା ପାଇଁ ବିଭାଗ ପକ୍ଷରୁ ଯଥାକ୍ରମେ ୭୬ଲକ୍ଷ ୩୦ହଜାର ଏବଂ ୪୬ଲକ୍ଷ ୬୬ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିଲା । ତେବେ ଗତବର୍ଷ ଓଡିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ରେଳଦୁର୍ଘଟଣାରେ ଦୁଇ ଶହରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ମଧ୍ୟ ସେହିବର୍ଷର ସଂଖ୍ୟା ମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ ଆସିନାହିଁ ।
ମନ୍ତ୍ରୀ ଦର୍ଶାଇଛନ୍ତି କେନ୍ଦ୍ର ସରକାର ୨୦୧୭-୧୮ ବର୍ଷରେ ଦେଶରେ ରାଷ୍ଟ୍ରୀୟ ରେଳ ସୁରକ୍ଷା କୋଷ ଗଠନ କରିଛନ୍ତି । ଏହା ଜରିଆରେ ସୁରକ୍ଷା ସାମଗ୍ରୀଗୁଡିକୁ ବଦଳାଯାଉଛି କିମ୍ବା ନୂଆ ଲଗାଯାଉଛି । ଏହି ପାଣ୍ଠିରେ ୫ବର୍ଷ ପାଇଁ ଏକ ଲକ୍ଷ କୋଟି ଟଙ୍କାରେ କର୍ପସ ପାଣ୍ଠି ରହିଛି । ତେବେ ପାଞ୍ଚବର୍ଷ ମଧ୍ୟରେ ରାଷ୍ଟ୍ରୀୟ ରେଳ ସୁରକ୍ଷା କୋଷରୁ ଏକ ଲକ୍ଷ ୮ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହି ପାଣ୍ଠିକୁ ଆଉ ୫ବର୍ଷ ପାଇଁ ବୃଦ୍ଧି କରାଯାଇଥିବାବେଳେ ବଜେଟ୍ରେ ଏଥିପାଇଁ ୪୫ହଜାର କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।