ଭଞ୍ଜନଗର : ପ୍ରାଣୀ ଚିକିତ୍ସା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ପାଲଟିଛି । ବିଭିନ୍ନ ଦଫା ନେଇ ଗତମାସ ୧୮ ତାରିଖରୁ ପ୍ରାଣୀ ଚିକିତ୍ସକ ମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଏହାକୁ ମାସେ ପୂରିଛି। ଫଳରେ ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳରେ ପଶୁପାଳକ ଓ ଚାଷୀମାନେ ନାହିଁ ନଥିବା ସମସ୍ୟାର ଓ ସମ୍ମୁଖୀନ ହେଉଛନ୍ତି। ଭଞ୍ଜନଗରରେ ଥିବା ଜିଲ୍ଲାର ଏକମାତ୍ର ଗୋ-ପ୍ରଜନନ ଓ ବୃଷଭ ଜନନୀ ଡ଼ାଏରି ଫାର୍ମ ବି ଏହି ସମସ୍ୟା ରୁ ବାଦ୍ ପଡ଼ିନି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଅଫିସ୍ ଅଧୀନରେ ଥିବା ଏହି ଫାର୍ମରେ କୃତ୍ରିମ ପ୍ରଜନନ ମାଧ୍ୟମରେ ବିଭିନ୍ନ ଉନ୍ନତ ଓ ଦେଶୀ ପ୍ରଜାତିର ଗାଈମାନଙ୍କ ଠାରୁ ବାଛୁରୀ ପ୍ରସ୍ତୁତ ସହ କଟକ ସ୍ଥିତ ଫ୍ରୋଜେନ୍ ସିମେନ୍ ବ୍ୟାଙ୍କ ପାଇଁ ଷଣ୍ଢ ସଂଗ୍ରହ କରାଯାଇଥାଏ। ଏଥିସହ ବଳକା ଗାଈମାନଙ୍କ ଠାରୁ ସଂଗ୍ରହ କରାଯାଉଥିବା କ୍ଷୀରକୁ ସାଧାରଣ ଲୋକଙ୍କୁ ବିକ୍ରି କରାଯାଇଥାଏ ।କିନ୍ତୁ ପ୍ରାଣୀ ଚିକିତ୍ସାକ ଙ୍କ ଆନ୍ଦୋଳନ ପାଇଁ ପରିଚାଳନାରେ ବିଭ୍ରାଟ ସୃଷ୍ଟି ହୋଇଥିବା ବେଳେ ଫାର୍ମରେ କାମ କରୁଥିବା କର୍ମଚାରୀ ଓ ଶ୍ରମିକମାନଙ୍କୁ ଦରମା ମିଳିନଥିବା ଜଣାପଡ଼ିଛି। ଗୋଟିଏ ପଟେ କର୍ମଚାରୀଙ୍କ ମରୁଡ଼ିରେ ଏହି ଫାର୍ମ ସନ୍ତୁଳି ହେଉଥିବା ବେଳେ ବର୍ତ୍ତମାନ କଟା ଘା’ରେ ଚୂନ ସଦୃଶ କାର୍ଯ୍ୟରତ କର୍ମଚାରୀ ଦରମା ପାଇ ନାହାନ୍ତି। ଫଳରେ ଏ ନେଇ ଅବ୍ୟବସ୍ଥା ସୃଷ୍ଟି ହେବାରେ ଲାଗିଛି। ୧୯୫୦ ମସିହାରେ ଏହି ଫାର୍ମ ସ୍ଥାପନ କରାଯାଇଥିଲା। କିନ୍ତୁ ଏଠାରେ ଦୀର୍ଘବର୍ଷ ହେବ ନିୟମିତ ପରିଚାଳକ ନାହାନ୍ତି । ଜଣେ କନିଷ୍ଠ କିରାଣି ଓ ଦୁଇ ଜଣ ଚୌକିଦାରଙ୍କୁ ଛାଡ଼ିଦେଲେ ବାକି ସମସ୍ତ ପଦବି ଖାଲି ପଡ଼ିଛି। ଅନେକ ଗୁରୁତ୍ବପୂର୍ଣ୍ଣ ପଦବି ଖାଲି ପଡ଼ିଥିବା ବେଳେ ପ୍ରାଣୀଧନ ତାଲିମ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଏହାର ପରିଚାଳନା ଦାୟିତ୍ଵରେ ରହିଛନ୍ତି। ଜଣେ ପ୍ରାଣୀଧନ ନିରୀକ୍ଷକ ଏବଂ କୁକୁଡ଼ାଫାର୍ମର ଓଭରସିୟର୍ଙ୍କୁ ଏଠାରେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଅନେକ ସମସ୍ୟା ଲାଗି ରହିଥିଲେ ମଧ୍ୟ ପାଇଁ ଏହାର ଉନ୍ନତି ପଦକ୍ଷେପ ଗ୍ରହଣ କରାଯାଇପାରିନି । ବର୍ତ୍ତମାନ ଏହି ଫାର୍ମରେ ୩୨ଟି ଗାଈ ଓ ୪୦ଟି ବାଛୁରୀ ରହିଛନ୍ତି। ତନ୍ମଧ୍ୟରୁ ୧୦ଟି ଗାଈ ଗର୍ଭଧାରଣ କରିଥିବା ବେଳେ ବାକି ୨୨ଟି ଗାଈଙ୍କ ଠାରୁ କ୍ଷୀର ସଂଗ୍ରହ କରାଯାଉଛି। ସଂଗୃହୀତ କ୍ଷୀରକୁ ସରକାରୀ ଦର ଅନୁସାରେ ସାଧାରଣ ଲୋକଙ୍କୁ ଦିନକୁ ଦୁଇଓଳା ବିକ୍ରି କରାଯାଉଛି। ଏଥିସହ ଏଠାରେ ୧୭ଟି ଛଡ଼ା, ୧୧ଟି ଅଣ୍ଡିରା ବାଛୁରୀ, ୯ଟି ମାଈ ବାଛୁରୀ ଓ ୨୦ଟି ଷଣ୍ଢ ରହିଛନ୍ତି। ପୂର୍ବରୁ ଗାଈମାନଙ୍କ ପାଇଁ ଫାର୍ମ ଭିତରେ ପ୍ରାୟ ୩୨ ଏକର ଜାଗାରେ ଘାସ ଚାଷ ହେଉଥିଲା। କିନ୍ତୁ ବର୍ତ୍ତମାନ ମାତ୍ର ୧୭ ଏକରରେ ସୀମିତି ରହିଛି। ଗାଈମାନଙ୍କ ଯତ୍ନ ନେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରିବା ପାଇଁ ୧୨ ଜଣ ଠିକା ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ତେବେ କର୍ମଚାରୀ ଅଭାବ ସମୟରେ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁଁ କାର୍ଯ୍ୟରେ ବହୁ ବାଧା ସୃଷ୍ଟି ହେଉଛି। ଦରମା ପାଇ ନଥିବା କର୍ମଚାରୀ ଅସୁବିଧା ଭୋଗୁଛନ୍ତି। ତୁରନ୍ତ ରାଜ୍ୟ ସରକାର ସମାଧାନର ବାଟ ବାହାର କରିବାକୁ ଦାବି ହୋଇଛି।