୩୧ଲକ୍ଷଙ୍କୁ ଡିଜିଟାଲ ତାଲିମ;୨୩ ଲକ୍ଷରୁ ଅଧିକ ସାର୍ଟିଫିକେଟ ପ୍ରଦାନ

ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କୁ ଡିଜିଟାଲ ସାକ୍ଷର କରିବାପାଇଁ କେନ୍ଦ୍ର ସରକାର ପ୍ରଚଳନ କରିଥିବା ପିଏମ୍‍ଜିଦିଶା ଯୋଜନାରେ ଓଡିଶାରୁ ୩୧ଲକ୍ଷରୁ ଅଧିକ ଲୋକ ତାଲିମ ପାଇଛନ୍ତି । ଏମାନଙ୍କ ମଧ୍ୟରୁ ୨୩ ଲକ୍ଷରୁ ଅଧିକ ଳୋକଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

୨୦୧୭ ମସିହାରେ କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଲକ୍ଷ୍ୟ ଥିଲା ଗାଁ ଗହଳର ଲୋକଙ୍କୁ ଡିଜିଟାଲି ସଶକ୍ତ କରିବା । ଯାହା ଫଳରେ ସେମାନେ ସହଜରେ ଡିଜିଟାଲ କାରବାର କରିପାରିବେ । ପ୍ରତ୍ୟେକ ପରିବାରରୁ ଅତି କମ୍‍ରେ ଜଣଙ୍କ ହିସାବରେ ସମଗ୍ର ଦେଶରେ ୬ କୋଟି ପରିବାରକୁ ଡିଜିଟାଲ ସାକ୍ଷର କରିବାପାଇଁ ଲକ୍ଷ୍ୟ ରହିଥିବାବେଳେ ୭.୩ କୋଟି ଲୋକ ଏଥିରେ ନାମ ଦରଜ କରିଥିଲେ ଓ ୬.୩୫ କୋଟି ଲୋକ ତାଲିମ ପାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଶାରେ ୩୬.୬୦ ଲକ୍ଷ ଜଣଲୋକ ନାମାଙ୍କନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୩୧.୨୫ଲକ୍ଷ ଲୋକଙ୍କୁ ଡିଜିଟାଲ ସଶକ୍ତ କରାଯାଇଥିଲା । ତାଲିମ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୩.୭୭ ଜଣ ସାର୍ଟିଫିକେଟ ପ୍ରାପ୍ତ ହୋଇଥିଲେ । ଏହି ଯୋଜନାପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିଥାନ୍ତି ।

ପିଏମଜିଦିଶା ଯୋଜନାରେ ଗ୍ରାମପଞ୍ଚାୟତ ସ୍ତରରେ ସମଗ୍ର ଦେଶରେ ୪.୩୮ଲକ୍ଷ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ତାଲିମ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ସେମାନଙ୍କ ବାୟୋମେଟ୍ରିକ ଯୁକ୍ତ ଆଧାର ନମ୍ବର ସହିତ ଏଠାରେ ପଞ୍ଜିକରଣ କରାଇବେ । ପଞ୍ଜିକରଣ ପରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତି କମ୍‍ରେ ୨୦ ଘଣ୍ଟାର ତାଲିମ ପ୍ରଦାନ କରାଯିବ । ସଫଳତାର ସହ ତାଲିମ ସରିଲା ପରେ ଅନ୍‍ଲାଇନ୍‍ ପରୀକ୍ଷା କରାଯିବ । ହିତାଧିକାରୀଙ୍କ ଠାରୁ ତାଲିମ ବାବଦରେ କୌଣସି ଅର୍ଥ ନିଆଯିବ ନାହିଁ । ତାଲିମ ଦେଉଥିବା ସଂସ୍ଥାକୁ ସିଧାସଳଖ ତାଲିମ ବାବଦ ଅର୍ଥ ପ୍ରଦାନ କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ପରଠାରୁ ସମଗ୍ର ଦେଶରେ ପିଏମଜିଦିଶାରେ ପଞ୍ଜିକରଣ ସଂଖ୍ୟା କମିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ଏହି କେନ୍ଦ୍ରୀୟ ଯୋଜନାରେ ତାଲିମ ପାଇଁ ୧.୪୩ କୋଟିରୁ ଅଧିକ ପଞ୍ଜିକରଣ ହୋଇଥିବାବେଳେ ୨୦୨୨-୨୩ରେ ଏହି ସଂଖ୍ୟା ଏକ କୋଟିରୁ ସାମାନ୍ୟ ଅଧିକ ରହିଛି । ତେବେ ଚଳିତ ଆର୍ଥିକ ବର୍ଷର ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ ସଂଖ୍ୟା ୫୩ଲକ୍ଷରୁ ସାମାନ୍ୟ ଅଧିକ ରହିଛି । ତେବେ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୭.୩୬ କୋଟିରୁ ଅଧିକ ପଞ୍ଜିକରଣ ହୋଇଥିବାବେଳେ ପ୍ରାୟ ୬.୩୬ କୋଟି ଲୋକ ତାଲିମ ପାଇ ସାରିଲେଣି ।

ତେବେ ସମଗ୍ର ଦେଶରେ ଯେତେ ସଂଖ୍ୟକ ଲୋକ ଡିଜିଟାଲ ସଶକ୍ତିକରଣ ତାଲିମ ନେଉଛନ୍ତି ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ମୋଟ ତାଲିମଧାରୀଙ୍କ ମଧ୍ୟରେ ପ୍ରାୟ ୩.୫୬ କୋଟି ମହିଳା ଥିବାବେଳେ ପୁରୁଷଙ୍କ ସଂଖ୍ୟା ୨.୮୦ କୋଟିରୁ କମ୍‍ ରହିଛି । ସେହିଭଳି ତାଲିମଧାରୀଙ୍କ ମଧ୍ୟରେ ଅନୁସୂଚିତ ଜାତିଙ୍କ ସଂଖ୍ୟା ୧.୧୭ କୋଟିରୁ ଅଧିକ ରହିଥିବାବେଳେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପାଖାପାଖି ୫୬ଲକ୍ଷ ରହିଛି ।

Leave A Reply

Your email address will not be published.