ଭୁବନେଶ୍ୱର : ଜଳ ଜୀବନ ମିଶନ ଯୋଜନାରେ ଗାଁ ଗହଳରେ ଥିବା ପ୍ରତ୍ୟେକ ପରିବାରକୁ ଟ୍ୟାପ୍ ଜଳ ଯୋଗାଣ କ୍ଷେତ୍ରରେ ଓଡିଶା ଜାତୀୟ ହାର ଠାରୁ ପଛରେ ରହିଛି । ଜାତୀୟ ସ୍ତରରେ ୭୪.୮୮ ପ୍ରତିଶତ ପରିବାରକୁ ଟ୍ୟାପ ସଂଯୋଗ ସହିତ ବର୍ତ୍ତମାନ ସୁଦ୍ଧା ଦେଶର ୧୧ଟି ରାଜ୍ୟରେ ଶତ ପ୍ରତିଶତ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିବାବେଳେ ଓଡିଶାରେ ୭୨.୦୯ ପ୍ରତିଶତ ପରିବାର ଏହି ସୁବିଧା ପାଇଛନ୍ତି ।
ଜଳ ଜୀବନ ମିଶନର ପୋର୍ଟାଲରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ଓଡିଶାର ୬୩,୮୯,୯୪୮ ପରିବାରକୁ ଟ୍ୟାପ ସଂଯୋଗ ଯୋଗାଇ ଦିଆଯାଇଛି । ଏହା ହେଉଛି ଧାର୍ଯ୍ୟ ପରିବାରର ୭୨.୦୯ ପ୍ରତିଶତ । ୨୦୧୯ ମସିହାରେ ଓଡିଶାର ମାତ୍ର ୩ ପ୍ରତିଶତ ପରିବାକୁ ଟ୍ୟାପ ଜଳ ସଂଯୋଗ ରହିଥିଲା ।
ବର୍ତ୍ତମାନ ସୁଦ୍ଧା ଦେଶର ୧୧ଟି ରାଜ୍ୟରେ ଗାଁ ଗହଳର ସମସ୍ତ ପରିବାରକୁ ଟ୍ୟାପ ଜଳ ସଂଯୋଗ ମିଳି ସାରିଲାଣି । ଏହିସବୁ ରାଜ୍ୟ ମଧ୍ୟରେ ରହିଛନ୍ତି ଗୁଜୁରାଟ, ହରିଆନା, ପଞ୍ଜାବ, ପୁଡୁଚେରୀ, ଆଣ୍ଡାମାନ ଏବଂ ନିକୋବର, ଗୋଆ, ହିମାଚଳପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ଆଦି ରହିଛନ୍ତି । ତେବେ ବିହାର ଭଳି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତରୁ ଅଧିକ ପରିବାର ନିକଟରେ ଟ୍ୟାପ ଜଳ ପହଞ୍ଚି ସାରିଲାଣି । ଖୁବ୍ଶୀଘ୍ର ଏହି ରାଜ୍ୟ ଶତ ପ୍ରତିଶତ ଟ୍ୟାପ୍ ଜଳ ସଂଯୋଗ ତାଲିକାରେ ସ୍ଥାନ ପାଇବ ।
ତେବେ ଜାତୀୟ ସ୍ତରରେ ବର୍ତ୍ତମାନ ସୁଦ୍ଧା ୭୪.୮୮ ପ୍ରତିଶତ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଛି । ଦେଶରେ ଥିବା ମୋଟ୍ ୧୯,୨୭,୯୬,୮୬୧ ପରିବାର ମଧ୍ୟରୁ ୧୪,୪୩,୬୧,୪୪୫ ପରିବାରକୁ ଟ୍ୟାପ୍ ସଂଯୋଗ ଦିଆଯାଇ ସାରିଛି । ଓଡିଶାରେ ୭୨ ପ୍ରତିଶତରୁ ଅଧିକ ପରିବାର ଟ୍ୟାପ୍ ଜଳ ସଂଯୋଗ ପାଇପାରିଥିବାବେଳେ ତାଲିକାର ସବୁଠାରୁ ତଳେ କିନ୍ତୁ ରହିଛି ପଡୋଶୀ ପଶ୍ଚିମବଙ୍ଗ । ଏହି ରାଜ୍ୟରେ ମାତ୍ର ୪୪.୫୮ ପ୍ରତିଶତ ପରିବାରରେ ଟ୍ୟାପ ସଂଯୋଗ ହୋଇଥିବାବେଳେ ରାଜସ୍ଥାନରେ ବି ସମାନ ସ୍ଥିତି ରହିଛି ।
ଗାଁ ଗହଳର ଲୋକଙ୍କୁ ଟ୍ୟାପ୍ ସଂଯୋଗ ମାଧ୍ୟରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବା ଫଳରେ ପ୍ରାୟ ୧.୩୬ ଲକ୍ଷ ଶିଶୁଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯାଇପାରିଛି । ଏହି ଶିଶୁମାନେ ଜଳବାହିତ ବିଭିନ୍ନ ରୋଗରେ ପଡି ପ୍ରାଣ ହରାଇଥାନ୍ତେ । ସେହିଭଳି ବିଶୁଦ୍ଧ ପାନୀୟଜଳ ସଂଯୋଗ ଯୋଗୁଁ ୪ଲକ୍ଷ ଡାଇରିଆ ମୃତ୍ୟୁକୁ ମଧ୍ୟ ରୋକାଯାଇ ପାରିଛି ।
ତେବେ ଓଡିଶାରେ ଜଳ ଯୋଗାଣର ଏଭଳି ସ୍ଥିତି ପାଇଁ କରୋନା ମହାମାରୀକୁ ଦାୟୀ କରାଯାଉଛି । କରୋନା ଯୋଗୁଁ ନିର୍ମାଣ କାର୍ଯ୍ୟ ମନ୍ଥର ହେବା ଏପରିକି କେତେକ ସ୍ଥାନରେ ସମ୍ପୂର୍ଣ୍ଣ ଅଟକିଯିବା ଯୋଗୁଁ ଟ୍ୟାପ ସଂଯୋଗ ବିଳମ୍ବ ହେଉଛି । ଏଥି ସହିତ ରାଜ୍ୟରେ ଅନେକ ଗ୍ରାମ ଓ ପଡା ଅପହଞ୍ଚ ଇଲାକାରେ ଥିବାରୁ ସେଠାକୁ ମଧ୍ୟ ସହଜରେ ଟ୍ୟାପଯୋଗେ ପାନୀୟଜଳ ଯୋଗାଯାଇ ପାରୁନାହିଁ । ଅନ୍ୟ ପକ୍ଷରେ ବହୁ ସ୍ଥାନରେ ସୁଉଚ୍ଚ ପାଣି ଟାଙ୍କି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ସରିଥିଲେ ମଧ୍ୟ ଦାୟିତ୍ୱରେ ଥିବା ସଂସ୍ଥା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଓଡିଶା ଜାତୀୟ ହାର ଠାରୁ ପଛରେ ପଡିଛି । ତେବେ ଧାର୍ଯ୍ୟ ସମୟସୀମା ୨୦୨୪ ଡିସେମ୍ବରର ବହୁ ପୂର୍ବରୁ ଓଡିଶା ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିନେବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି ।