ଭୁବନେଶ୍ୱର : ଗଞ୍ଜେଇ ଚାଷ ହେଉଥିବା ରାଜ୍ୟର ୧୨ଟି ଅବକାରୀ ଜିଲ୍ଲାରେ ଅବକାରୀ ଓ ପୁଲିସ୍ ବିଭାଗର ମିଳିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଚାଷ ହ୍ରାସ ପାଇବାରେ ଲାଗିଛି । ତେବେ କିଛି ନିଶା ବେପାରୀ ଗଞ୍ଜେଇ ଚାଷ ବଦଳରେ ଏବେ ଅଧିକ ଲାଭ ପାଇବା ଆଶାରେ ଅଫିମ ଚାଷ ଆଡେ ମୁହାଁଇବା ଆରମ୍ଭ କରିଛନ୍ତି ।
ରାଜ୍ୟର ଯେଉଁ ୧୨ଟି ଅବକାରୀ ଜିଲ୍ଲାରେ ଗଞ୍ଜେଇଚାଷୀମାନେ କାୟାବିସ୍ତାର କରିଛନ୍ତି ସେଗୁଡିକ ହେଲା ଅନୁଗୁଳ, ବ୍ରହ୍ମପୁର, ବୌଦ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେରାପୁଟ, ମାଲକାନଗିରି, ରାୟଗଡା ଓ ସମ୍ବଲପୁର । ଏହିସବୁ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ମାଫିଆମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟାପକ ଗଞ୍ଜେଇ ଚାଷ କରିଥାନ୍ତି । ଗଞ୍ଜେଇ ଉତ୍ପାଦନ ପରେ ତାହାକୁ ଜିଲ୍ଲା ବାହାରକୁ ଏପରିକି ଦେଶର ବିଭିନ୍ନ ସ୍ଥାନକୁ ଚାଲାଣ କରିଥାନ୍ତି ।
ତେବେ କିଛିବର୍ଷ ହେଲା ଏହି ବେଆଇନ୍ ଚାଷ ବିରୁଦ୍ଧରେ ଅବକାରୀ ଓ ପୁଲିସ୍ ବିଭାଗ ଅଣ୍ଟା ଭିଡିଛନ୍ତି । ବିଶେଷକରି ଉପଗ୍ରହ ଚିତ୍ର ଓ ଡ୍ରୋନରେ ଉଠାଯାଉଥିବା ଫଟୋକୁ ଆଧାର କରି ଗଞ୍ଜେଇ ଗଛଗୁଡିକୁ ନଷ୍ଟ କରିବାରେ ଲାଗିଛନ୍ତି । ୨୦୨୦-୨୧ ବର୍ଷରେ ରାଜ୍ୟରେ ୨୨ହଜାର ଏକରରୁ ଅଧିକ ଅଞ୍ଚଳରେ ହୋଇଥିବା ଗଞ୍ଜେଇ ଗଛଗୁଡିକୁ ନଷ୍ଟ କରାଯାଇଥିବାବେଳେ ୨୦୨୧-୨୨ବର୍ଷରେ ତାହା ୨୦ହଜାର ଏକର ତଳକୁ ହ୍ରାସ ପାଇଥିଲା । ସେହିଭଳି ୨୦୨୨-୨୩ବର୍ଷରେ ଗଞ୍ଜେଇ ଚାଷ ହୋଇଥିବା ଇଲାକାର ପରିମାଣ ୧୫ହଜାର ଏକର ଥିବାବେଳେ ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ଶେଷସୁଦ୍ଧା ମାତ୍ର ୨୮୮୨ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ଧରାପଡିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ମାଫିଆମାନେ ଘଞ୍ଚ ଜଙ୍ଗଲରେ ରହୁଥିବା ଭୂମିହୀନ ଓ ଗରିବ ଆଦିବାସୀମାନଙ୍କୁ ଟାର୍ଗେଟ କରିବା ସହିତ ଏହି ଚାଷରେ ନିୟୋଜିତ କରୁଥିବାରୁ ଅବକାରୀ ବିଭାଗ ଏବେ ଏହି ଗରିବ ଲୋକଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ବିକଳ୍ପ ରୋଜଗାର ପନ୍ଥା ଯୋଗାଉଛି । ଫଳରେ ସେମାନେ ଆଉ ବେଆଇନ୍ ଚାଷରେ ପଶିବାକୁ ରାଜି ହେଉନାହାନ୍ତି ।
ଏଥି ସହିତ ଜିଲ୍ଲାପ୍ରଶାସନ ସହାୟତାରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ସ୍ଥାନୀୟ କ୍ଲବର ସଦସ୍ୟ, କୃଷକମାନଙ୍କୁ ନେଇ ଗଞ୍ଜେଇ ଚାଷର ଅପକାରିତା ଓ ଦଣ୍ଡବିଧାନ ବ୍ୟବସ୍ଥା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଉଛି । ଯେଉଁସବୁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ସୂଚନା ମିଳୁଛି ସେଠାକୁ ଗମନାଗମନର ସୁବିଧା କରାଯିବା ସହିତ ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ଉଦ୍ୟମ ହେଉଛି । ତେବେ ଯେଉଁ ଜମିରେ ଗଞ୍ଜେଇ ଗଛ ମିଳୁଛି ସେହି ଜମି ମାଲିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଗଞ୍ଜେଇ ଚାଷ ହ୍ରାସରେ ତାହା ଅନ୍ୟତମ କାରଣ ହୋଇଛି ।
ତେବେ ଇତି ମଧ୍ୟରେ ମୟୁରଭଞ୍ଜ ଭଳି ଜିଲ୍ଲାରେ ନିଶା ବେପାରୀମାନେ ଗଞ୍ଜେଇ ଚାଷରୁ ନଜର ହଟାଇ ଅଫିମ ଚାଷରେ ମାତିଛନ୍ତି । ନିକଟରେ ଅବକାରୀ ଓ ପୁଲିସ୍ ପ୍ରଶାସନ ଜିଲ୍ଲାରେ ହଜାର ହଜାର ଅଫିମ ଗଛ ନଷ୍ଟ କରିଛି । ସ୍ଥାନୀୟ ଆଦିବାସୀମାନଙ୍କୁ ପୋସ୍ତ ଚାଷ ବୋଲି କହି ମାଫିଅମାନେ ଅଫିମ ଚାଷ ଆରମ୍ଭ କରିଛନ୍ତି । ତେବେ ଅଫିମଚାଷ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ପାଇଁ ଅବକାରୀ ବିଭାଗର ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।