କାରାଗାରରେ ଅପରାଧ ପୁଲିସ୍‍ ଓ ପ୍ରଶାସନର ଚିନ୍ତାର କାରଣ

ଭୁବନେଶ୍ୱର : ସବୁଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ବା ରାଜ୍ୟ କାରାଗାରଗୁଡିକରେ ଯେଭଳି ଲଗାତାର ଅପରାଧିକ ଘଟଣାମାନ ଘଟୁଛି ଏବଂ କାରାଗାର ଭିତରୁ କେତେକ କ୍ଷେତ୍ରରେ ଅପରାଧ ପାଇଁ ନକ୍ସା ପ୍ରସ୍ତୁତ ସହ ନିଶା କାରବାର ଚାଲୁଛି ତାହା ଉଭୟ ପୁଲିସ୍‍ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । କେବଳ ସେତିକି ନୁହେଁ, ଅଦାଲତ ଯେଉଁ ବିଚାରାଧିନ କଏଦୀମାନଙ୍କୁ ଏଠାକୁ ପଠାଉଛି ସେମାନଙ୍କ ମଧ୍ୟରୁ ଅନେକଙ୍କ ନିରାପତ୍ତା ଘେନି ବି ପରିବାରର ଲୋକମାନେ ଉଦ୍‍ବିଘ୍ନ ରହୁଛନ୍ତି ।

କିଛିଦିନ ମଧ୍ୟରେ ଟିଟିଲାଗଡ ଜେଲ୍‍ରୁ ହତ୍ୟା ଅଭିଯୋଗରେ ଅଟକ ଥିବା ଦୁଇଜଣ ବିଚାରାଧିନ କଏଦୀ ଚମ୍ପଟ ମାରିଛନ୍ତି । ଏହା ପରେ ପରେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓରୁ ଜଣାପଡୁଛି ଯେ ଅଦାଲତଙ୍କ ବିନାନୁମତିରେ ପୂର୍ବରୁ ଏମାନଙ୍କୁ କାରାଗାର ବାହାରକୁ ଛଡା ଯାଉଥିଲା ଏମିତିକି ଏକ ଧର୍ମପୀଠରେ ଆୟୋଜିତ ଭୋଜି ସଭାରେ ଏହି ବିଚାରାଧିନ ବନ୍ଦୀ ଦୁଇଜଣ ଜେଲ୍‍ କର୍ତ୍ତୃପକ୍ଷଙ୍କ ସମେତ ଅନ୍ୟମାନଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି ।

ପୂର୍ବରୁ ଅନ୍ୟଏକ ଘଟଣାରେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କ ମୃତ ଦେହ ଜେଲ୍‍ ପରିସରରୁ ଉଦ୍ଧାର କରାଯାଇଥିଲା । ସେତେବେଳେ କୁହାଯାଇଥିଲା ଯେ ଏହି ଅଭିଯୁକ୍ତ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି । ସେହିପରି ଅନ୍ୟଜଣେ କଏଦୀଙ୍କୁ ସଶସ୍ତ୍ର ପୁଲିସ୍‍ ପହରା ମଧ୍ୟରେ ଅଣାଯାଉଥିବାବେଳେ ଗୁଳି ବିନିମୟରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା ।

ଖୋରଧା ଜେଲ୍‍ ମଧ୍ୟରେ କଏଦୀଙ୍କ ଭିତରେ ମାରପିଟ୍‍ ଘଟିବାପରେ ଘଟଣାର ତଦନ୍ତ ପୁଲିସ୍‍ କରୁଛି । ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଏହି ଗଣ୍ଡଗୋଳର ତଦନ୍ତ ସୂତ୍ରକୁ ଆଧାର କରି ପୁଲିସ୍‍ ନିଶା କାରବାରର ପେଣ୍ଠସ୍ଥଳୀରେ ପହଞ୍ଚିବାରେ ସକ୍ଷମ ହୋଇଛି । ଖୋଦ୍‍ ରାଜଧାନୀ ଭୁବନେଶ୍ୱରରେ ଥିବା ଝାରପଡା ଜେଲରେ କଏଦୀମାନଙ୍କ ମଧ୍ୟରେ ମାଡପିଟ୍‍ ଘଟି କେତେକ ଏବେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାର ତଦନ୍ତ ବି କମିଶନରେଟ ପୁଲିସ୍‍ କରୁଛି ।

ରାଜ୍ୟର ବିଭିନ୍ନ କାରଗାରରେ ଘଟୁଥିବା ବିଶୃଙ୍ଖଳା ମଧ୍ୟରୁ ଏହା କେବଳ କେତୋଟି ନମୂନା ମାତ୍ର । ଓଡିଶାରେ ଏବେ ୯୨ଟି କାରାଗାର ରହିଛି ଏବଂ ଏଗୁଡିକରେ ୨୦ହଜାରରୁ ଅଧିକ ଦୋଷୀ ସାବ୍ୟସ୍ତ ଓ ବିଚାରାଧିନ ବନ୍ଦୀ ରହିଛନ୍ତି । କାରାଗାରରେ ଯେତେ ସଂଖ୍ୟକ ବିଚାରାଧିନ ବନ୍ଦୀ ରହିଛନ୍ତି ସେ ସମସ୍ତଙ୍କୁ ଆଇନାନୁଯାୟୀ ଅପରାଧିବୋଲି କହିହେବ ନାହିଁ । ଦୁର୍ଦ୍ଦାନ୍ତ ଅପରାଧିମାନଙ୍କ ଗହଣରେ ରହୁଥିବା ବିଚାରାଧିନ କଏଦୀମାନଙ୍କ ନିରାପତ୍ତା ଘେନି ସେମାନଙ୍କ ପରିବାରବର୍ଗ ଉଦବେଗ ଭିତରେ ରହୁଛନ୍ତି ।

ବହୁ ସମୟରେ ପୁଲିସ୍‍ ଓ ଜେଲ୍‍ ପ୍ରଶାସନ ପକ୍ଷରୁ ଯେତେବେଳେ ବି କାରାଗାରଗୁଡିକ ଉପରେ ଚଢଉ କରାଯାଉଛି ଅଧିକାଂଶ ସ୍ଥଳରେ କାରାଗାର ଭିତରୁ ପ୍ରଚୁର ପରିମାଣର ନିଶା ସାମଗ୍ରୀ, ବିଳାସ ସାମଗ୍ରୀ ଏମିତିକି ମୋବାଇଲ୍‍ ଫୋନ୍‍ ମଧ୍ୟ ଜବତ ହେଉଛି । କଡା ସୁରକ୍ଷା ବଳୟ ଭିତରେ ଥିବା କାରାଗାର ଭିତରକୁ କିଭଳି ଆପତ୍ତିଜନକ ସାମଗ୍ରୀ ବେଧଡକ ଭାବେ ଯାଉଛି ସେଥିଘେନି ସମସ୍ତଙ୍କର ଚିନ୍ତା ବଢୁଛି । କେତେକ କାରାଗାରରେ ଜାମର ଲଗାଯାଇଥିଲେ ବି ସେଗୁଡିକର କାର୍ଯ୍ୟକାରିତା ଘେନି ସନ୍ଦେହ ଉପୁଜୁଛି । ଏମିତିକି ପ୍ରାୟ ସମସ୍ତ କାରଗାରରେ ସିସିଟିଭି ଖଞ୍ଜା ଯାଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହା କାମ କରୁନଥିବା ଜଣାପଡିଛି । ପୂର୍ବ ଇତିହାସରୁ ଜଣାପଡେ ଯେ କେତେକ ଦୁର୍ଦ୍ଦାନ୍ତ ଅପରାଧି ଓ କୁଖ୍ୟାତ ନିଶା ବେପାରୀ ଜେଲ୍‍ ମଧ୍ୟରେ ଥାଇ ବି ବାହାର ଦୁନିଆରେ ସେମାନଙ୍କ ଅପରାଧ ସାମ୍ରାଜ୍ୟ ଚଳାଇଥାନ୍ତି ।

Leave A Reply

Your email address will not be published.