ପରଲୋକରେ ଡାକ୍ତର ଦାମୋଦର ରାଉତ

ପରଲୋକରେ ଓଡ଼ିଶା ରାଜନୀତିର ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ। ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ଏହି ବର୍ଷୀୟାନ ନେତାଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଅକ୍ସିଜେନ୍ ସାଚୁରେସନ କମିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।

ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ଦାମ ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ପ୍ରାୟତଃ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ ।

ଦାମଙ୍କ ଚିକିତ୍ସା ନିମନ୍ତେ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିଲେ। ମାତ୍ର ଶତଚେଷ୍ଟା ସତ୍ତ୍ୱେ ସେ ଆଜି ଭୋରରୁ ଆଖି ବୁଜିଥିବା ଜଣାଯାଇଛି।

ଦାମଙ୍କମ ମରଶରୀରକୁ ଆଜି ପ୍ରଥମେ ୟୁନିଟ ୬ସ୍ଥିତ ସରକାରୀ ବାସଭବନକୁ ଯିବ । ଏହାପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ଦାମଙ୍କ ଶେଷ ଦର୍ଶନ କରିବେ। ଏହାପରେ ମରଶରୀରକୁ ବିଧାନସଭାକୁ ନିଆଯିବ ।  ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବେ।  

ସେଠାରୁ ଦାମଙ୍କ ମରଶରୀରକୁ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ । ଏହାପରେ  ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

 

Leave A Reply

Your email address will not be published.