ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମୋଦର ରାଉତଙ୍କ ଦେହାନ୍ତ ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ସେବା ପାଇଁ ତାଙ୍କ କାର୍ଯ୍ୟ ସବୁବେଳେ ସ୍ମରଣୀୟ ହୋଇ ରହିବ । ରାଜନୀତିର କର୍ଣ୍ଣଧାର ଥିଲେ ଦାମୋଦର । ତାଙ୍କ ପରଲୋକରେ ରାଜ୍ୟ ରାଜନୀତିର ଅପୂରଣୀୟ କ୍ଷତି ହୋଇଛି । ତାଙ୍କ ଦେହାନ୍ତ ସାରା ରାଜ୍ୟ ପାଇଁ ଦୁଃଖଦ ଖବର ।
ଠିକ୍ ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ଲେଖିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦୀର୍ଘ ବର୍ଷ ଧରି ରାଜନୀତିରେ ସକ୍ରିୟ ରହି ଲୋକକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶୁକ୍ରବାର ସକାଳେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି।