ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବାନ୍ଧିଲା ପୋଲିସ । ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ମାରପିଟ୍ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ପୋଲିସ ବିଳମ୍ବିତ ରାତିରେ ଗିରଫ କରିଛି । ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା, ଜାମିନ ନାମାଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପଟେ ପ୍ରଶାନ୍ତଙ୍କ ଗିରଫଦାରୀକୁ ନେଇ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହା ପୋଲିସର ଷଡଯନ୍ତ୍ର ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ଗତକାଲି ଅପରାହ୍ନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ତାଙ୍କ ପତ୍ନୀ ଭୋଟ୍ ଦେବା ପାଇଁ କାଉଁରିପାଟଣା ବୁଥରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଇଭିଏମକୁ ଫିଙ୍ଗାଫୋପଡ଼ା କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଏହି ଘଟଣାରେ ପୁଲିସ ବେଗୁନିଆରୁ ବିଧାୟକଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପସରେ ଅଟକ ରଖିଥିଲା। ତେବେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବିଜେଡି ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା।
ଅନ୍ୟପକ୍ଷରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଉଠିଥିବା ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଥିଲେ ସ୍ଥାନୀୟ ଗ୍ରାମବାସୀ ଓ ପ୍ରତ୍ୟକ୍ଷଦର୍ଶୀ। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।