ଅଣସର ଘରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ 

ଅଣସର ଘରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ଏକାଦଶୀରେ ମହାପ୍ରଭୁଙ୍କଠାରେ ଲାଗି ହେବ ରଙ୍ଗ ବେରଙ୍ଗର ପୁଷ୍ପ ,ତୁଳସୀ ଓ ବାଜିବ ଘଣ୍ଟ ଘଣ୍ଟାର ଶବ୍ଦ। ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ ଏହି ସବୁ ନୀତି । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେବ ଶ୍ରୀ ମନ୍ଦିର ପରିବେଶ।

ଶ୍ରୀଜିଉ ମାନଙ୍କୁ ଲାଗି ହେବ ଦଶମୂଳ ମୋଦକ। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ ।

ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୂର୍ବେଦ ଚେରମୂଳରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଏହାକୁ ସେବନ କରି ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି। ତା’ ପରେ ମହାପ୍ରଭୁଙ୍କ ନିକଟରେ ଖଳି ପହଞ୍ଚିବ । ଏହାପରେ ଖଲି ଲାଗି କରାଯିବ ।

ଆସନ୍ତାକାଲି ମହାପ୍ରଭୁ ସୁସ୍ଥ ହେବା ନେଇ ଶୁଭ ଖବର ଶ୍ରୀନଅରରେ ଥିବା ଗଜପତି ମହାରାଜାଙ୍କୁ ଦିଆଯିବ । ଏହି ଅବସରରେ ମହାପ୍ରଭୁଙ୍କ ସୁସ୍ଥତାର ପ୍ରମାଣ ସୂରୁପ ଅଣସରରେ ମହାପ୍ରଭୁଙ୍କୁ ଲାଗି ହୋଇଥିବା କରାଳ ଚନ୍ଦନ, ଚନ୍ଦନ, ପାଟ ଡୋରକୁ ଏକ ରୂପା ଥାଳିରେ ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ । ଏହାପରେ ଗଜପତି ମହାରାଜାଙ୍କ ସହ ରଥ ଯାତ୍ରାର ସୁପରିଚାଳନା ସମ୍ପର୍କରେ ଆଲୋଚନା କରାଯିବ ।ସେପଟେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ବି ସରି ସରି ଆସୁଛି। ବିଶ୍ୱକର୍ମା ମହାରଣାମାନେ ରଥ ସିଂହାସନ ଓ ପ୍ରଭା ନିର୍ମାଣରେ ଲାଗିଥିବାବେଳେ ଚିତ୍ରକାର ସେବକ ହଂସ ପଟା, ଶିଖର ଡମ୍ବରୁ, ଅଁଳା ସହ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଶେଷ କରି ରଥ ଚକ, କୋଣ ଗୁଜ ଓ ପଟା ଗୁଜରେ ରଙ୍ଗ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.