ଭୁବନେଶ୍ୱର : ଓଡିଶାର ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକରେ ପ୍ରାୟ ଛଅ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହୋଇନଥିବାବେଳେ ଚଳିତବର୍ଷ ବି ନିର୍ବାଚନ ହେବା ସମ୍ଭାବନା କ୍ଷୀଣ ।
ରାଜ୍ୟରେ ବିଜେପି ସରକାର ଗଠିତ ହେବାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ଆଇନ୍ ମନ୍ତ୍ରୀ ଜାରି କରିଥିବା ବକ୍ତବ୍ୟରେ ଆସନ୍ତାବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କହିବାପରେ ଉଚ୍ଚଶିକ୍ଷାମନ୍ତ୍ରୀ ଆଉଥରେ ଏ ପ୍ରସଙ୍ଗର ସଫେଇ ଦେଇ ଏହା ସରକାରଙ୍କ ବିଚାରାଧିନ ରହିଛି ଏବଂ ଏଥିଘେନି ବିଚାର ଆଲୋଚନା ଚାଲିଛି ବୋଲି କହିବାରୁ ଛାତ୍ର ସଂସଦ ନିର୍ବାଚନ ଏଥର ହୋଇପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା ।
ସାଧାରଣତଃ ଛାତ୍ର ସଂସଦ ନିର୍ବାଚନ ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇଥାଏ ଏବଂ ନଭେମ୍ବରରୁ ଜାନୁୟାରୀ ଭିତରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ର ସଂସଦର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ଏବର୍ଷ ଦୁର୍ଗାପୂଜା ପାଇଁ ସରକାରୀ ଛୁଟି ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଯାବତ୍ ଉଚ୍ଚଶିକ୍ଷା ବିଭାଗର କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନର କାର୍ଯ୍ୟସୂଚୀ ସ୍ଥାନ ପାଇନଥିବାରୁ ମାସକ ଭିତରେ ନିର୍ବାଚନ ହେବା ସମ୍ଭାବନା ମଉଳି ଆସୁଛି ।
୧୯୪୩ ମସିହାରେ ଓଡିଶାରେ ଗୋଟିଏ ମାତ୍ର ବିଶ୍ୱବିଦ୍ୟାଳୟ ଥିଲା । ୧୯୪୭ରେ ଦେଶ ସ୍ୱାଧୀନ ହେଲା ବେଳକୁ ରାଜ୍ୟରେ କଲେଜ ସଂଖ୍ୟା ୧୦ରେ ସୀମିତ ଥିଲା । ଏବେ ଓଡିଶାରେ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଶିକ୍ଷା ୪୨ରେ ପହଞ୍ଚି ଥିବାବେଳେ କଲେଜ ସଂଖ୍ୟା ବି ହଜାରେ ଟପି ସାରିଲାଣି । ରାଜ୍ୟରେ ୪୮ଟି ସରକାରୀ ଡିଗ୍ରୀ କଲେଜ ଥିବାବେଳେ ୬୪୮ଟି ଅନୁଦାନପ୍ରାପ୍ତ କଲେଜ ରହିଛି । ଏହାଛଡା ୩୪୧ଟି ଅଣ ଅନୁଦାନପ୍ରାପ୍ତ କଲେଜ ରହିଥିବାବେଳେ ଅନ୍ୟୁନ ୧୬ଟି ଶିକ୍ଷକ ତାଲିମ କଲେଜ ଅଛି ।
କରୋନା ମହାମାରୀ ପୂର୍ବରୁ ଆଇନ୍ଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । କରୋନା ସମୟରେ ନିର୍ବାଚନର ପ୍ରଶ୍ନ ଉଠୁନଥିଲା । କରୋନାପରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହେବାପରେ ବି ଆଉ ଛାତ୍ରସଂସଦ ନିର୍ବାଚନ ହୋଇନାହିଁ । ସେତେବେଳେ ବିରୋଧିଦଳରେ ଥିବା ବିଜେପି, କଂଗ୍ରେସ ଓ ବାମପନ୍ଥୀ ଦଳମାନେ ଏଥିପାଇଁ ବିଜେଡି ସରକାରକୁ ସମାଲୋଚନା କରୁଥିଲେ । କିନ୍ତୁ ଏବେ ବିଜେଡି ବିରୋଧିଦଳରେ ଥିବାବେଳେ ବିଜେପି ରାଜ୍ୟରେ ସରକାରକୁ ଆସିବାର ତିନିମାସ ପୂରିଥିଲେ ମଧ୍ୟ ପୂର୍ବ ଘୋଷଣା ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ହୋଇପାରୁ ନାହିଁ । ଅବଶ୍ୟ ଇତି ମଧ୍ୟରେ ବିଭିନ୍ନ ରାଜନୈତିକଦଳ ଓ ସେମାନଙ୍କ ଛାତ୍ର ସଂଗଠନମାନେ ଛାତ୍ର ସଂସଦ ନିର୍ବାଚନ ଦାବି ଉଠାଇଛନ୍ତି ।
କୁହାଯାଉଛି ଛଅ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହୋଇନଥିବାରୁ ଚଳିତ ବର୍ଷ ଭିତ୍ତିଭୂମି ସୁଧାରି ଆସନ୍ତା ବର୍ଷ ଠାରୁ ଲିଙ୍ଗ୍ଡୋ କମିଶନଙ୍କ ସୁପାରିଶ୍ ଆଧାରରେ ପୁଣି ନିର୍ବାଚନ ହେବ । ଅନ୍ୟ ପକ୍ଷରେ ଛାତ୍ରନେତାମାନେ କହୁଛନ୍ତି ଯେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ର୍ନିବାଚନ ହୋଇପାରୁଥିବାବେଳେ କଲେଜଗୁଡିକରେ କାହିଁକି ନିର୍ବାଚନ ହୋଇପାରିବ ନାହିଁ । ଅନ୍ୟ ନିର୍ବାଚନଗୁଡିକ ଲାଗି ଭୋଟର ତାଲିକା ପ୍ରସ୍ତୁତି, ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟଗ୍ରହଣ କେନ୍ଦ୍ର ପ୍ରତିଷ୍ଠା, ବିଭିନ୍ନ ଦପ୍ତରରୁ ପୁଲିଂ ଓ ପିଜାଇଡିଂ ଅଫିସର ନିଯୁକ୍ତି, ଆଇନ୍ଶୃଙ୍ଖଳା ବ୍ୟବସ୍ଥା, ଭୋଟର ତାଲିକା ଛପା, ଇଭିଏମ୍ ଆଦି ବିଭିନ୍ନ ଭିତ୍ତିଭୂମିର ଆବଶ୍ୟକ ପଡିଥାଏ । କିନ୍ତୁ ଯେଉଁ କଲେଜର ଯିଏ ଛାତ୍ରଛାତ୍ରୀ ସେମାନେ ସେଠାରେ ନିଜ ଛାତ୍ରସଂସଦ ଗଢିବାର ବ୍ୟବସ୍ଥା ଥିବାରୁ ଭିତ୍ତିଭୂମି ବିକାଶ ପାଇଁ ବର୍ଷେ ସମୟ ନିଆଯିବାର କୌଣସି ଯଥାର୍ଥତା ନାହିଁ