କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡିର ପରାଜୟ ପାଇଁ ଆସ୍କାର ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଦାୟୀ କରିଛନ୍ତି।
ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ବିଭୀଷଣ ବୋଲି କହିଛନ୍ତି। ନିର୍ବାଚନ ସମୟରେ ବିଭୀଷଣ ସାଜି ରଂଜିତା ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି ବୋଲି ନବୀନଙ୍କୁ ଅବଗତ କରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ଆସିଥିବା କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଗଣମାଧ୍ୟମ ଆଗରେ ଆଜି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି।
ଲତିକା କହିଛନ୍ତି, ନିର୍ବାଚନ ସମୟରେ ରଞ୍ଜିତା ସାହୁ ବିଭୀଷଣ ଭୂମିକା ନିର୍ବାହ କରିଥିଲେ। ବେଇମାନି କରିବା ସହିତ ନିର୍ବାଚନରେ ବିଜେପି ସହ ସାଲିସ୍ କରି କାମ କରିଥିଲେ। ଏବେ ମଧ୍ୟ ସେହି କାମ କରୁଛନ୍ତି। ମୁଁ ଦଳର ସଭାପତିଙ୍କୁ ଭେଟି ଏ ସଂପର୍କରେ ଅବଗତ କରିଛି। ତାଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନଷ୍ଠାନ ନେବା ପାଇଁ ଅନୁରୋଧ କରିଛି। ଯଦି ଦଳର ସଭାପତି କାର୍ଯ୍ୟାନୁଷ୍ଠାନ ନ ନେବେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।ସେ ଆହୁରି କହିଛନ୍ତି, ସ୍ୱର୍ଗତ ବିଜୁ ବାବୁଙ୍କ ସମୟରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ୟ କାହା ହାତକୁ ଯାଇ ନଥିଲା। ଏଭିଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆସିକା ସିଟ୍ ପଳାଇଲା। ରଞ୍ଜିତାଙ୍କ ନିର୍ବାଚନ ପରିଚାଳନା ତ୍ରୁଟି ଯୋଗୁ ଆମେ ସବୁ ସିଟ୍ ହରାଇଲୁ। ସେ ବିଭୀଷଣ ସାଜି ଦଳ ବିରୋଧୀ କାମ କରିଛନ୍ତି। ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି। ଏବେ ମଧ୍ୟ ସେ ସେହି କାମ କରୁଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଭାପତିଙ୍କୁ ଅନୁରୋଧ କରିଛି।
ରଞ୍ଜିତା ବିଜେପି ଏଜେଣ୍ଟଙ୍କ ସହ ମିଶି ମୋତେ ହରାଇବା ପାଇଁ ପ୍ଲାନ କରିଥିଲେ। ବିଭୀଷଣ ଭାବେ କାମ କରିବା ଦଳ ପାଇଁ କ୍ଷତିକାରକ। ଦଳର ସଭାପତିଙ୍କ ଉପରେ ମୋର ବହୁତ ବିଶ୍ୱାସ ରହିଛି। ସେ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଲତିକା କହିଛନ୍ତି।