ଭୁବନେଶ୍ୱର : ସଂଖ୍ୟାଧିକ ମାମଲାରେ ଆଇନ୍ ଅଦାଲତରେ ରାଜ୍ୟ ସରକାର ହାରିବା, ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ସଂଖ୍ୟା ବଢିବା, ମୋଟାମୋଟି ଭାବେ କମ୍ ସଂଖ୍ୟକ ମାମଲା ଫଏସଲା ହେଉଥିବାବେଳେ ଅଧିକ ସଂଖ୍ୟକ ମାମଲା ରୁଜୁ ହୋଇ ମାମଲା ସଂଖ୍ୟା ବୃଦ୍ଧିପାଇବା ଏବଂ ବିଶେଷକରି ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହିବା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।
ସରକାରୀ ତଥ୍ୟ ମୁତାବକ ଏବେ ରାଜ୍ୟର ବିଭିନ୍ନ ଆଇନ୍ ଅଦାଲତରେ ୨୦ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ୧୫ଲକ୍ଷରୁ ଅଧିକ ହେଉଛି ଅପରାଧିକ ମାମଲା । ମହିଳାଙ୍କ ପ୍ରତି ବଢି ଚାଲିଥିବା ଅପରାଧ ଘେନି ସରକାରୀ ଓ ବେସରକାରୀ ମହଲରେ ଉଦବେଗପ୍ରକାଶ ପାଉଥିବାବେଳେ ଏଭଳି କିସମର ୨ଲକ୍ଷରୁ ଅଧିକ ମାମଲା ପଡି ରହିଛି । ଏଥିରୁ ବର୍ଷରେ ୫ ପ୍ରତିଶତ ମାମଲା ଫଏସଲା ହୋଇପାରୁନଥିବାବେଳେ ଦଣ୍ଡବିଧାନ ହାର ବି ୧୦ ପ୍ରତିଶତରୁ କମ୍ ରହିବା ଏନସିଆରବି ତଥ୍ୟ କହୁଛି ।
ଅଭିଯୋଗ ଫଏସଲା ପ୍ରକ୍ରିୟା ସକରାତ୍ମକ ନଥିବାରୁ ଉଭୟ ଦେୱାନୀ ଓ ଫୌଜଦାରୀ ମାମଲା ସମେତ ଚାକିରି ସର୍ତ୍ତାବଳୀ ଓ ପେନସନ ସଂକ୍ରାନ୍ତୀୟ ମାମଲା ବି ବଢି ଚାଲୁଛି । ଆଇନ୍ ବିଶେଷଜ୍ଞମାନେ କହୁଛନ୍ତି ଯେ ତଦନ୍ତରେ ତ୍ରୁଟିବିଚ୍ୟୁତି ଠାରୁ ଆରମ୍ଭକରି ମାମଲା ପରିଚାଳନାରେ ଦୁର୍ବଳତା, ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ କରିବାରେ ସରକାରୀକଳର ସକ୍ରିୟତାର ଅଭାବ ଆଦି କାରଣରୁ ସଂଖ୍ୟାଧିକ ମାମଲାରେ ସରକାର ହାରୁଛନ୍ତି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ୱୀକାର କରିଛନ୍ତି ଯେ ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାର ଅଧିକାରୀମାନଙ୍କ ବିରୁଦ୍ଧରେ ଏବେ ପାଖାପାଖି ୨ହଜାର ଅଦାଲତ ଅବମାନନା ମାମଲା ପଡି ରହିଛି । ଏହା ପଦସ୍ଥ ଅଧିକାରୀମାନଙ୍କର ମୁଣ୍ଡବିନ୍ଧାର ପ୍ରମୁଖ କାରଣ ହେଉଛି । ଅନେକ କ୍ଷେତ୍ରରେ ଠିକଣା ସମୟ ଭିତରେ ହାରିଥିବା ମାମଲା ବିରୁଦ୍ଧରେ ଉଚ୍ଚତମ ନ୍ୟାୟାଳୟରେ ଏସଏଲ୍ପି ଦାଖଲ କରାଯାଇ ପାରୁନଥିବାରୁ ଏହା ସହଜରେ ଖାରଜ ହୋଇଯାଉଛି । ଯେଉଁ ସମୟସୀମା ମଧ୍ୟରେ ଆଇନ୍ ଅଦାଲତ ତାଙ୍କ ନିର୍ଦ୍ଦେଶ ପାଳନପାଇଁ କହୁଛନ୍ତି ଅଧିକାଂଶ କ୍ଷେତ୍ରରେ ଅମଲାତାନ୍ତ୍ରିକ ମନ୍ଥରତା ଓ ନକରାତ୍ମକ ମନୋଭାବ ଯୋଗୁଁ ତାହାର ଠିକଣା ଅନୁପାଳନ କରାଯାଇ ପାରୁନାହିଁ । ଆଉ କେତେକ କ୍ଷେତ୍ରରେ ବିଭିନ୍ନ ବିଭାଗ ଓ ଦପ୍ତର ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ସମସ୍ୟା ଉପୁଜୁଛି ।
ବରିଷ୍ଠ ଅଧିକାରୀମାନେ ଏକଥା ମଧ୍ୟ ସ୍ୱୀକାର କରୁଛନ୍ତି ଯେ ସରକାରଙ୍କ ମାମଲା ପରିଚାଳନା ପାଇଁ ଅଧିବକ୍ତା ନିଯୁକ୍ତି ସମୟରେ ସଂଖ୍ୟାଧିକ କ୍ଷେତ୍ରରେ ଦକ୍ଷତା, ଅଭିଜ୍ଞତା ଓ ସଚ୍ଚୋଟତାକୁ ଉପେକ୍ଷାକରି ରାଜନୈତିକ ଥଇଥାନ ପ୍ରମୁଖ ପ୍ରସଙ୍ଗ ହେଉଥିବାରୁ ସରକାରଙ୍କୁ ଅପଦସ୍ତ ହେବାକୁ ପଡୁଛି । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ନୂଆ ସରକାର ଗଢାଯିବାର ଇତି ମଧ୍ୟରେ ୫ମାସ ଚାଲିଥିଲେ ମଧ୍ୟ ଆଡଭୋକେଟ ଜେନେରାଲଙ୍କ ବ୍ୟତିତ ଅନ୍ୟ କୌଣସି ସରକାରୀ ଓକିଲଙ୍କୁ କୌଣସି ଅଦାଲତ ପାଇଁ ନିଯୁକ୍ତି ଦିଆଯାଇ ପାରିନାହିଁ ।
ଇତି ମଧ୍ୟରେ ରାଜ୍ୟ ସରକାର ଆଇନ୍ କମିଶନ ଦୁଇମାସ ମଧ୍ୟରେ ଗଠନ କରିବେ ବୋଲି ଘୋଷଣା କରିଛନ୍ତି । କମିଶନରେ ନିଯୁକ୍ତି ପାଇଁ ବି ଆଶାୟୀଙ୍କ ସଂଖ୍ୟା ବଢୁଛି । ତେଣେ ସରକାରୀ ଓକିଲ ପ୍ୟାନେଲରେ ନିଯୁକ୍ତି ପାଇବା ଲାଗି ଆଶାୟୀମାନେ ରାଜନୈତିକ ଲବି ଜୋରଦାର କରୁଥିବା ଦେଖାଯାଉଛି । ଦୀର୍ଘବର୍ଷ ଧରି ଏଭଳି ପରମ୍ପରା ଚାଲି ଆସୁଥିବାରୁ ଦୁର୍ବଳ ମାମଲା ପରିଚାଳନା ଯୋଗୁଁ ସରକାର ବହୁ କ୍ଷେତ୍ରରେ ହାରିବା ସହିତ ଅପଦସ୍ଥ ହେଉଥିବା ପରିପ୍ରେକ୍ଷୀରେ ଏଥର କେବଳ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତିମାନଙ୍କୁ ବାଛି ବାଛି ନିଯୁକ୍ତି ଦିଆଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।