ଭୁବନେଶ୍ୱର : ଜଳ ସମ୍ପଦର ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ମାନ୍ୟତା ସହ ୫ମ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଳ ସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ, ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ନୂଆ ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସମାରୋହରେ ଆଜି ଏହି ପୁରସ୍କାର ଗ୍ରହଣ ପୂର୍ବକ ସମ୍ବର୍ଦ୍ଧିତ ହୋଇଛନ୍ତି ।
ଓଡ଼ିଶା ସରକାର ତଥା ଜଳ ସଂପଦ ବିଭାଗ ତରଫରୁ ଜଳସଂରକ୍ଷଣ ଏବଂ ଜଳସେଚନ କ୍ଷେତ୍ରରେ ବିବିଧ କାର୍ଯ୍ୟକ୍ରମ ଗ୍ରହଣ ଓ ସଫଳତା ଯୋଗୁଁ ରାଜ୍ୟ ସରକାରଙ୍କୁ ଏହି ପୁରସ୍କାର ମିଲିଛି । ଜଳ ସଂପଦ ବିଭାଗ ତରଫରୁ ଜଳସେଚନ, ପାନୀୟ ଜଳ ଆବଶ୍ୟକତା ଇତ୍ୟାଦି ପୂରଣ ପାଇଁ ଲୋୟର ସୁକତେଲ ଡ୍ୟାମ ଏବଂ ହଳଦିଆ ଡ୍ୟାମ କୁ ସମ୍ପୂର୍ଣ୍ଣ କରାଯାଇ ୩୬୯ ନିୟୁତ କ୍ୟୁବିକ୍ ମିଟର ଜଳ ସଂରକ୍ଷଣ ସୁବିଧା ବିକଶିତ କରାଯାଇଛି ।
ଜଳ ସମ୍ପଦର ସଂରକ୍ଷଣ ପାଇଁ ୨୮ଟି ଅନ୍ତଃ ନଦୀ ଜଳାଶୟ ( ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର)ର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ୧୮ଟିର ଟେଣ୍ଡର ପର୍ଯ୍ୟାୟରେ ରହିଛି ଯଦ୍ୱାରା ପ୍ରାୟ ୫୦ ନିୟୁତ କ୍ୟୁବିକ ମିଟର ଜଳ ସଂରକ୍ଷଣ ହୋଇପାରିବ । ୭୧୨୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇବା ପାଇଁ ରାଜ୍ୟ ଅନୁଦାନପ୍ରାପ୍ତ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ଅଧୀନରେ ୩୧୭ଟି ଚେକ୍ ଡ୍ୟାମ୍ ସମ୍ପୂର୍ଣ୍ଣ କରାଯାଇ ପାଖାପାଖି ୨.୦ ନିୟୁତ କ୍ୟୁବିକ୍ ମିଟର ଜଳସେଚନ ସୁବିଧା କରାଯାଇଛି ।
ଏହା ବ୍ୟତୀତ ୧୪୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନବୀକରଣ କରାଯାଇ ୩.୦ ନିୟୁତ କ୍ୟୁବିକ୍ ମିଟର ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି କରାଯାଇଛି । ଅମୃତ ସରୋବର ଯୋଜନାରେ ଚିହ୍ନଟ ହୋଇଥିବା ୪୬୫୬ ଟି ପୋଖରୀ ମଧ୍ୟରୁ ୨୩୮୫ ଟି ପୋଖରୀର ନବୀକରଣ ଶେଷ ହୋଇଛି ଏବଂ ୮୮୬ଟି ପୋଖରୀ କାମ ଚାଲିଛି । ମୁକ୍ତା ଯୋଜନାରେ ୨୨,୭୭୭ ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯାଇଛି ।
ସବୁ ବର୍ଗର ଜଳସେଚନ ପ୍ରକଳ୍ପରେ ବଣ୍ଟନ ବ୍ୟବସ୍ଥାରେ ଭୂତଳ ପାଇପ୍ ଲାଇନ୍ ବ୍ୟବହାର ଯୋଗୁଁ ପ୍ରକଳ୍ପଗୁଡ଼ିକର ଜଳସେଚନ ଦକ୍ଷତା ୨୦% ରୁ ଅଧିକ ବୃଦ୍ଧି ପାଇଛି । ଜଳ ବ୍ୟବହାର ଦକ୍ଷତା ବୃଦ୍ଧି ପାଇଁ ଏସସିଏଡିଏ (ସ୍କାଡା) ଭିତ୍ତିକ ଜଳ ପରିଚାଳନା ବ୍ୟବସ୍ଥା ଏବଂ ଫସଲ ବିବିଧିକରଣ ଗ୍ରହଣ କରାଯାଇଛି ।
ସୁବର୍ଣ୍ଣରେଖା ବୃହତ୍ ଜଳସେଚନ ପ୍ରକଳ୍ପ (୧୦ ହଜାର ହେକ୍ଟର), ଗଙ୍ଗାଧର ମେହେର ଲିଫ୍ଟ କେନାଲ (୨୫,୬୦୦ ହେକ୍ଟର), ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ତଟ କେନାଲ (୧୪୦୦ ହେକ୍ଟର) ଏବଂ ହରଭଙ୍ଗୀ ମଧ୍ୟମ ପ୍ରକଳ୍ପ (୨୪୦୦ ହେକ୍ଟର)ର ସମ୍ପ୍ରସାରଣ ଅନ୍ତର୍ଭୁକ୍ତ ପୂର୍ବକ ୨.୨୧ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବା ସହ ୦.୪୫ ଲକ୍ଷ ହେକ୍ଟର ଜଳସେଚନ କ୍ଷେତ୍ର ସ୍ଥିର ହୋଇପାରିଛି । ଏହାବ୍ୟତୀତ ୮୧,୨୧୬ ହେକ୍ଟର ଢିପ ଜମି ପାଇଁ ୫୯ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଏବଂ ୧୫,୪୦୩ଟି ଗଭୀର ବୋର କୂପ ଓ ୨,୮୯୦ଟି କମ୍ୟୁନିଟି ଏଲ୍ଆଇପି ସ୍ଥାପନ କରାଯାଇ ୧,୩୯,୩୧୭ ହେକ୍ଟର ଜଳସେଚନ ସେଚାଂଚଳ ସୃଷ୍ଟି କରାଯାଇଛି । ସେହିପରି ୯୦,୯୨୭ ହେକ୍ଟର ଜମି ପାରମ୍ପରିକ ଜଳ ସେଚନରୁ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାରେ ପରିଣତ ହୋଇଥିବାରୁ ୮୬,୮୪୭ ଜଣ ଚାଷୀ ଉପକୃତ ହୋଇଛନ୍ତି ।
ବୃତ୍ତାଙ୍ଗ ଡ୍ୟାମ, ନବରଙ୍ଗପୁର ଉଠା ଜଳସେଚନ, ଖଇରିବନ୍ଧନ ବ୍ୟାରେଜ, ପିପଳପଙ୍କା ଡ୍ୟାମ, ସାମାକୋଇ ବ୍ୟାରେଜ ଓ ଉପର ଲାନ୍ଥ ଡ୍ୟାମ ଭଳି ୬ଟି ନୂତନ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ସାଙ୍ଗକୁ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ହାତକୁ ନିଆଯାଇଛି ଯଦ୍ୱାରା ୧.୧୭ ଲକ୍ଷ ହେକ୍ଟରକୁ ଜଳ ସେଚନ ସୁବିଧା ମିଳିପାରିବ ।
ବାତ୍ୟା ସମୟରେ ଝଡ଼ ତୋଫାନ ପ୍ରଭାବକୁ ରୋକିବା ଏବଂ ଉପକୂଳବର୍ତ୍ତୀ ଅଂଚଳରେ ଉଚ୍ଚ ଜୁଆର ସମୟରେ ଲୁଣି ପ୍ରବେଶକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧୀ ଲବଣ ବନ୍ଧ ପ୍ରକଳ୍ପ ଅଧୀନରେ ପାଖାପାଖି ୨୦୦ କିଲୋମିଟର ଲୁଣି ବନ୍ଧ ନିର୍ମାଣ ଓ ସୁଦୃଢୀକରଣ କାର୍ଯ୍ୟ ହାତକୁ ନିଆଯାଇଛି ।
ପାଣି ପଞ୍ଚାୟତ ଆଇନରେ ସଂଶୋଧନ କରାଯାଇ ପାଣି ବ୍ୟବହାରକାରୀଙ୍କ ଜୀବନସାଥୀଙ୍କୁ ଏଥିରେ ସାମିଲ କରାଯାଇଛି । ଏହାବ୍ୟତୀତ ଜଳଶକ୍ତି ଅଭିଯାନ ଅଧୀନରେ ରାଜ୍ୟବ୍ୟାପୀ ବ୍ୟାପକ କ୍ଷୁଦ୍ର ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୨ଟି ଜିଲ୍ଲା ପାଇଁ ‘ ଜିଲ୍ଲା ବୈଜ୍ଞାନିକ ଜଳ ସଂରକ୍ଷଣ’ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ସମସ୍ତ ୩୦ଟି ଜିଲ୍ଲାରେ ଜଳ ଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛି ।
ମଳ କାଦୁଅ ପରିଚାଳନା ପାଇଁ ଫିକାଲ ସ୍ଲଜ୍ ଏବଂ ସେପ୍ଟେଜ୍ ମ୍ୟାନେଜମେଣ୍ଟ ରେଗୁଲେସନ୍ ପ୍ରଣୟନ କରାଯାଇ ଓଡ଼ିଶାରେ ସମସ୍ତ ୧୧୪ଟି ସହରାଂଚଳରେ ମଳ-କାଦୁଅର ଟ୍ରିଟମେଣ୍ଟ ପାଇଁ ଫିକାଲ ସ୍ଲଜ୍ ଏବଂ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏଫଏସଟିପି) ସ୍ଥାପନ କରାଯାଇଛି । ମିଶନ ଶକ୍ତି ଗୋଷ୍ଠୀ ଏବଂ କିନ୍ନର ଗୋଷ୍ଠୀଗୁଡ଼ିକୁ ୮୭ଟି ସହରାଂଚଳରେ ଏଫଏସଟିପିର ଏବଂ ପରିଚାଳନା ପାଇଁ ପ୍ରଶିକ୍ଷଣ ଏବଂ ନିୟୋଜିତ କରାଯାଇଛି । ଅଧୂନା ସହରାଞ୍ଚଳରେ ୧୧୩ଟି ଏଫ୍ଏସଟିପି ପରିଚାଳନା ପୂର୍ବକ ସହରାଞ୍ଚଳବାସୀଙ୍କ ପାଇଁ ୯୮% ସୁରକ୍ଷିତ ପରିମଳ ବ୍ୟବସ୍ଥା ହାସଲ ହୋଇପାରିଛି ।
ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର ଓ ରାଉରକେଲାରେ ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ତାଳଚେର ଟାଉନରେ ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇଛି । ଏଥିପାଇଁ ଗଠିତ ବୋର୍ଡର ସମ୍ମତି ଅନୁସାରେ ଶିଳ୍ପ ବର୍ଜ୍ୟ ଜଳ ବିଶୋଧନ ପରିଚାଳନା କରାଯାଉଛି । ରାଜ୍ୟର ୧୩୬୮ଟି ଜଳ ପ୍ରଦୂଷଣକାରୀ ଶିଳ୍ପ ମଧ୍ୟରୁ ୧୩୨୭ଟି ଶିଳ୍ପ ସଂସ୍ଥା ୮୧୮ ଏମଏଲଡି ଶିଳ୍ପ ବର୍ଜ୍ୟ ଜଳର ବିଶୋଧନ ପାଇଁ କ୍ୟାପ୍ଟିଭ୍ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି) ସ୍ଥାପନ କରିଛନ୍ତି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଜଳର ଗୁଣବତ୍ତାରେ ଉନ୍ନତି ଆଣି ଓଡ଼ିଶାର ପ୍ରଦୂଷିତ ନଦୀର ପରିମାଣ ୧୯ରୁ ୭କୁ ଆସି ପାରିଛି ।
ଜଳ ସଂପଦର ବିକାଶ ଓ ଜଳ ପରିଚାଳନା କ୍ଷେତ୍ରରେ ସରକାରଙ୍କ ଆନ୍ତରିକ ପ୍ରୟାସ , ରାଜ୍ୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କର ନିରନ୍ତର ପ୍ରୟାସ, ସଂପୃକ୍ତ ବିଭିନ୍ନ ବିଭାଗ, ସଂସ୍ଥା, ଅନୁଷ୍ଠାନ,ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପାଣି ପଂଚାୟତ କର୍ମୀମାନଙ୍କର ସହଯୋଗ ଯୋଗୁଁ ଏହି ସଫଳତା ମିଳିଛି ବୋଲି ଉନ୍ନୟନ କମିଶନର ତଥା ରାଜ୍ୟ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି ।